କଟକ, (ବାଘୁଆବାର୍ତ୍ତା): ପ୍ରଦୀପ ପରିଡ଼ା । ବୟସ ପାଖାପାଖି ୫୦ ହେବ । ବାମ ହାତର ମଣିବନ୍ଧ ଉପରକୁ ବ୍ୟାଣ୍ଡେଜ୍ ଗୁଡା ହୋଇଛି । ବ୍ୟାଣ୍ଡେଜ୍ ବି ଫିଟି ଗଲାଣି । ଗୋଡ଼ରେ ଘା’ ସୃଷ୍ଟି ହୋଇଥିବାରୁ ଚଲାବୁଲା କରିବା ତାଙ୍କ ପାଇଁ କଷ୍ଟକର । କେତେବେଳେ କେମିତି ଆବଶ୍ୟକ ପଡିଲେ ବାଡ଼ି ଧରି ଚଲାବୁଲା କରିଥାନ୍ତି । ମାସେ କିମ୍ବା ୨ ମାସ ନୁହେଁ । ଦୀର୍ଘ ୯ ମାସ ଧରି ପ୍ରଦୀପ ଏସ୍ସିବି ମେଡିକାଲ ପରିସରସ୍ଥିତ ଅସୁରକ୍ଷିତ ଭଙ୍ଗା କୋଠା (ପୁରୁଣା ଆଉଟଡୋର୍) ତଳେ ପଡିଛନ୍ତି । ପ୍ରଦୀପଙ୍କ ଘର ଜଗତସିଂହପୁର ଅଞ୍ଚଳରେ । ପ୍ରଦୀପଙ୍କ କହିବାନୁଯାୟୀ, ସେ ଅବିବାହିତ । ୯ ମାସ ତଳେ ସେ ଏସ୍ସିବି ଆସିଥିଲେ । ଗୋଡ଼ରେ ଯନ୍ତ୍ରଣା ହେଉଥିଲା । ଛୋଟେଇ ଛୋଟେଇ ଚାଲୁଥିବା ବେଳେ ଥରେ ପଡିଗଲେ । ବାମ ହାତ ଭାଙ୍ଗି ଯାଇଥିଲା । ମେଡିକାଲରେ ଚିକିତ୍ସା କରାଯାଇଥିଲା । ମାତ୍ର ହାତ ସମ୍ପୂର୍ଣ୍ଣ ଭଲ ହୋଇନଥିଲା । ଘରେ କେହି ସେବା ଯତ୍ନ କରିବାକୁ ନାହାନ୍ତି । ତେଣୁ ପ୍ରଦୀପ ଘରକୁ ନ ଫେରି ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଅପେକ୍ଷା କରିଥିଲେ । ହେଲେ ତାହା ସମ୍ଭବ ହୋଇନଥିଲା । ଠିକ୍ ସମୟରେ ଔଷଧ ଖାଇବାରେ ବ୍ୟତିକ୍ରମ ହେବାରୁ ଆରୋଗ୍ୟ ହେବାରେ ସମସ୍ୟା ଦେଖାଦେଇଥିଲା । ଅନ୍ୟ ଉପାୟ ନ ପାଇ ପ୍ରଦୀପ ଏସ୍ସିବି ପରିସରକୁ ନିଜ ଠିକଣା ଭାବେ ବାଛି ନେଇଛନ୍ତି । ଅସୁରକ୍ଷିତ ଭଙ୍ଗା କୋଠା ତଳେ ଏକ ମଶାରୀ ଟାଙ୍ଗି ପ୍ରଦୀପ ପଡି ରହିଛନ୍ତି । କିଏ ଯଦି ଦୟା କରି ଖାଇବାକୁ ଦେଉଛନ୍ତି ତେବେ ସେ ଖାଉଛନ୍ତି ନଚେତ ଉପାସରେ ଦିନ କଟୁଛି । ଆଜି ଦିନ ତମାମ ପ୍ରଦୀପ କିଛି ଖାଇନଥିବା କହିଥିଲେ । ତେବେ ପ୍ରଦୀପଙ୍କ ଏଭଳି ଅବସ୍ଥା ଦେଖିଲେ ଏସ୍ସିବିର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରିଚିତ, ଅସହାୟ ରୋଗୀଙ୍କ ସେବା ଯତ୍ନ ପାଇଁ ମେଡିକାଲ ପକ୍ଷରୁ ଏକ ଘରୋଇ ସଂସ୍ଥାକୁ ନିଯୁକ୍ତ କରାଯାଇଛି । ବର୍ଷକୁ ଉକ୍ତ ସଂସ୍ଥା ମେଡିକାଲରୁ ୫୦ ଲକ୍ଷ ଟଙ୍କା ନେଉଛି । କିନ୍ତୁ ପ୍ରଦୀପଙ୍କ ଭଳି ଅସହାୟ ରୋଗୀମାନଙ୍କୁ ଦେଖିଲେ ଏହି ଟଙ୍କା କାହା ପାଇଁ ଖର୍ଚ୍ଚ ହେଉଛି ତାହା ସନ୍ଦେହ ସୃଷ୍ଟି କରିଛି । ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା କହନ୍ତି, ଅନେକ ଅସହାୟ ରୋଗୀ ୱାର୍ଡ ଭିତରୁ ବାହାରି ଆସୁଛନ୍ତି । ଏହାବାଦ୍ ଯେଉଁମାନେ ଆରୋଗ୍ୟ ଲାଭ କରିବେ ସେମାନଙ୍କୁ ମେଡିକାଲରେ ରଖିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଯଦି ପ୍ରଦୀପ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବେ ତେବେ ତାଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି ।






