ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆସନ୍ତା ଖରିଫରେ ଓଡ଼ିଶାରେ ପ୍ରାୟ ୫୨ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ହେବ । ଏଥିରୁ ରାଜ୍ୟ ସରକାର ସମସ୍ତ ଯୋଜନାରେ ପ୍ରାୟ ୨୪ ଲକ୍ଷ ମେଟ୍ରିକ ଟନ ଚାଉଳ ବ୍ୟବହାର କରିବେ । ବାକି ୨୮ ଲକ୍ଷ ଟନ ଚାଉଳ ବଳକା ରହିବ । ଏଥିରୁ ୪ ଲକ୍ଷ ଟନ୍ ଅରୁଆ ଚାଉଳ ଏବଂ ବାକି ୨୪ ଲକ୍ଷ ଟନ୍ ଉଷୁନା ଚାଉଳ । ଏହି ୨୪ ଲକ୍ଷ ଟନ୍ ଉଷୁନା ଚାଉଳ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଉଠାଇବ ନାହିଁ । କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ଏ ନିଷ୍ପତ୍ତି ନେଇଛି । ଏଥିରେ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ । ଆସନ୍ତା ଖରିଫରେ ଏଫ୍ସିଆଇ ବଳକା ସବୁ ଚାଉଳ ଉଠାଇବାକୁ ନିର୍ଦ୍ଦେଶ ଦିଅନ୍ତୁ । ଏମିତି ଅନୁରୋଧ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଅସନ୍ତା ୨୦୨୧-୧୧ ଖରିଫ ଧାନ ସଂଗ୍ରହ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଚିଠିରେ ନବୀନ ଦର୍ଶାଇଛନ୍ତି, ବିକେନ୍ଦ୍ରୀକରଣ ବ୍ୟବସ୍ଥାରେ ୨୦୦୩-୦୪ରୁ ଓଡ଼ିଶାରେ ଧାନ ସଂଗ୍ରହ କରାଯାଉଛି । ରାଜ୍ୟରେ ସଂଗୃହୀତ ଚାଉଳ ବଣ୍ଟନ ବ୍ୟବସ୍ଥାରେ ବ୍ୟବହାର କରାଯାଉଛି । ଏହାଛଡ଼ା ବଳକା ଚାଉଳ ଏଫସିଆଇ ଉଠାଣ କରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟ ଜନମଙ୍ଗଳ ଯୋଜନାରେ ବିନିଯୋଗ କରିଥାଏ । ଗତ ଖରିଫରେ ୧୪ ଲକ୍ଷ ଚାଷୀ ୭୭.୩୩ ଲକ୍ଷ ଟନ ଧାନ ବିକ୍ରି କରିଛନ୍ତି । ଏଥିରୁ ୫୨.୩୫ ଲକ୍ଷ ଟନ ଚାଉଳ ଉତ୍ପାଦନ ହୋଇଛି । ଚାଷୀମାନଙ୍କୁ ଏ ଧାନ ସଂଗ୍ରହ ବାବଦରେ ୧୪ ହଜାର ୪୪୪ କୋଟି ଟଙ୍କା ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ ଏହା ଚାଷୀଙ୍କୁ ବେଶ୍ ସହାୟତା କରିଥିଲା ବେଳେ ଗ୍ରାମ୍ୟ ଅର୍ଥନୀତିକୁ ମଧ୍ୟ ସଶକ୍ତ କରିପାରିଛି । ଆସନ୍ତା ଖରିଫରେ ୫୨ ଲକ୍ଷ ଟନ ଚାଉଳ ସଂଗ୍ରହ ହେବ ବୋଲି ଆକଳନ କରାଯାଇଛି । ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ସାଧାରଣତଃ ଓଡ଼ିଶାରେ ଉଷୁନା ଚାଉଳ ବେଶି ବ୍ୟବହାର କରାଯାଏ । ତେଣୁ ମିଲର୍ସମାନେ ଧାନ ସଂଗ୍ରହ ପରେ ଉଷୁନା ଚାଉଳ ଉତ୍ପାଦନ କରନ୍ତି । ତେଣୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ବଳକା ଉଷୁନା ଚାଉଳ ଉଠାଣ ଉପରେ ଯେଉଁ ପ୍ରତିବନ୍ଧକ ଲଗାଇଛନ୍ତି ତାହାକୁ ପ୍ରତ୍ୟାହାର କରିବାର ଆବଶ୍ୟକତା ରହିଛି । ଏହା ନହେଲେ ରାଜ୍ୟର ପ୍ରାୟ ୧୦ ଲକ୍ଷ ଚାଷୀ ହନ୍ତସନ୍ତ ହେବେ । କରୋନା ସମୟରେ କେନ୍ଦ୍ରର ଏ ନିଷ୍ପତ୍ତି ଚାଷୀଙ୍କୁ ଅସୁବିଧାରେ ପକାଇବ । ସେମାନେ ହଇରାଣ ହରକତ ହେବେ ।ତେଣୁ ଏ ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହାଛଡ଼ା କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟର ଆବଶ୍ୟକତା ଅନୁସାରେ ସମସ୍ତ ସର୍ତ୍ତ ପୂରଣ ପାଇଁ ଆବଶ୍ୟକ ସମୟ ଦେବାକୁ ମଧ୍ୟ ନବୀନ ଅନୁରୋଧ କରିଛନ୍ତି ।






