ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସାତଜନ୍ମର ବନ୍ଧନ ହେଉଛି ବିବାହ । ସେହିପରି ପ୍ରେମ ଶାଶ୍ୱତ ଆଉ ଚିରନ୍ତନ । ପ୍ରେମ ପାଇଁ ଜୀବନ ଦେବାର ବି ଉଦାହରଣ ଅଛି । କିନ୍ତୁ ପ୍ରେମ ଓ ବୈବାହିକ ସମ୍ପର୍କ ଏବେ ବଦଳିବାରେ ଲାଗିଛି । ପରକୀୟା ପ୍ରୀତି, ତ୍ରିକୋଣୀୟ ପ୍ରେମରୁ ଘଟୁଛି ଜଘନ୍ୟ ଅପରାଧ । କମିଶନରେଟ୍ ପୁଲିସ ରିପୋର୍ଟ ଅନୁସାରେ, ତ୍ରିକୋଣୀୟ ପ୍ରେମ ଓ ପରକୀୟା ପ୍ରୀତି ଯୋଗୁଁ ଏବର୍ଷ ଆରମ୍ଭରୁ ଏଯାଏଁ ୫ଟି ହତ୍ୟାକାଣ୍ଡ ଘଟିଛି । ୨୦୨୧ ବର୍ଷ ଆରମ୍ଭରୁ ଝରାଫୁଲଠୁ ଆରମ୍ଭ କରି ମହାବୀର ବସ୍ତିରେ ଗୀତା ସେଠୀଙ୍କ ହତ୍ୟା ହୋଇଛି । ଏହା ପଛରେ ପରକୀୟା ପ୍ରୀତି, ପ୍ରେମରେ ଝଗଡ଼ା ଥିବା ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି । ଏନ୍ସିଆର୍ବି ରିପୋର୍ଟ କହୁଛି, ସାରା ରାଜ୍ୟରେ ୨୦୨୦ରେ ପ୍ରେମଜନିତ ୫୯ଟି ହତ୍ୟାକାଣ୍ଡ ଘଟିଥିଲା । ୨୦୧୯ରେ ୫୨ଟି, ୨୦୧୮ରେ ୩୮ଟି ଓ ୨୦୧୭ରେ ୫୪ଟି ହତ୍ୟାକାଣ୍ଡ ଘଟିଛି । ସମ୍ ହସ୍ପିଟାଲ ପ୍ରଫେସର ଡା. ସୁଭେନ୍ଦୁ ନାରାୟଣ ମିଶ୍ର (ମାନସିକ ରୋଗ ବିଶେଷଜ୍ଞ) କହିଛନ୍ତି, ପ୍ରେମ କିମ୍ବା ବୈବାହିକ ସମ୍ପର୍କରେ ବିଚ୍ଛେଦ, ତୃତୀୟ ବ୍ୟକ୍ତିର ପ୍ରବେଶ ହେଲେ ଏହା ଅବସାଦକୁ ଟାଣି ଆଣିଥାଏ । ଏଭଳି ପୀଡ଼ିତ କେହି ନିଶା ଖାଉଥିଲେ, ଅଧିକ ନିଶାଖୋର ହୁଏ । ନଚେତ୍ ହିତାହିତ ଜ୍ଞାନ ହରାଇ କିଛି ଅପରାଧ ଘଟାଇଥାଏ । ଏମିତି ସ୍ଥିତିରେ ପରିବାର କିମ୍ବା ନିବିଡ଼ ସଂପର୍କ ଥିବା ଲୋକଙ୍କୁ ନିଜ ସମସ୍ୟା ଜଣାନ୍ତୁ । ଅବସାଦରୁ ହଟିବା ପାଇଁ ମନସ୍ତତ୍ତ୍ୱବିତ୍ଙ୍କ କାଉନ୍ସିଲିଂ ନିହାତି ଜରୁରି । ସମାଜସେବୀ ତଥା ଆଇଏସ୍ଡି ନିର୍ଦ୍ଦେଶିକା ସୁଭଶ୍ରୀ ଦାଶଙ୍କ କହିବା ମୁତାବକ, ଅଧିକାଂଶ ମହିଳାଙ୍କ ଉପରେ ଏଭଳି ହିଂସା ଘଟେ । କିନ୍ତୁ ଲୋକ ଲଜ୍ଜା ପାଇଁ ଅନେକ ଘଟଣା ପରିବାରରେ ଚପିଯାଏ । ସ୍ୱାମୀ-ସ୍ତ୍ରୀ କିମ୍ବା ପ୍ରେମୀ ଯୁଗଳଙ୍କ ମଧ୍ୟରେ ଅବିଶ୍ୱାସ ଓ ସହନଶୀଳତାର ଅଭାବ ଯୋଗୁଁ ସମ୍ପର୍କରେ ଫାଟ ହୁଏ । ମିଛ ସମ୍ପର୍କ ଗଢ଼ନ୍ତୁନି । ସୋସିଆଲ୍ ମିଡିଆ ପ୍ରତି ସତର୍କ ରୁହନ୍ତୁ । କୌଣସି ଅଘଟଣ ପୂର୍ବରୁ ନିଜକୁ ସମ୍ଭାଳନ୍ତୁ । ନିଜ ମାନସିକ ସ୍ଥିତିକୁ ବଦଳାଇ ମହିଳା ସହଯୋଗ କେନ୍ଦ୍ର ‘ମାଧ୍ୟମ’ର ସହଯୋଗ ନିଅନ୍ତୁ । କିଛି ଚର୍ଚ୍ଚିତ ଘଟଣାବଳୀ –
• ଚଳିତ ବର୍ଷ ଜାନୁଆରୀ ୨୭ରେ ସାରା ରାଜ୍ୟରେ ଚହଳ ପକାଇଥିଲା ଝରାଫୁଲ ହତ୍ୟାକାଣ୍ଡ । ସୁନ୍ଦରପଦାର ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ ତାଙ୍କୁ ଖଣ୍ଡଗିରିର ଏକ ‘ଓୟୋ’ ରୁମ୍ରେ ରଖିଥିଲା । ଝରାଫୁଲକୁ ସେଠାରେ ତଣ୍ଟିଚିପି ହତ୍ୟା କରିଥିଲା ରାଜେଶ । ଏହାପରେ ଜଣେ ସହଯୋଗୀ ସହ ଝରାଫୁଲର ମୃତଦେହକୁ ସ୍କୁଟିରେ ନେଇ ଯାଜପୁର ଧର୍ମଶାଳା ଅଞ୍ଚଳରେ ଫୋପାଡ଼ି ଦେଇଥିଲେ । ୪୦ ହଜାର ଉଧାର ଟଙ୍କା ମାଗିବାରୁ ରାଜେଶ ପ୍ରେମିକା ଝରାଫୁଲକୁ ହତ୍ୟା କରିଥିବା ପୁଲିସକୁ ଜଣାଇଥିଲା ।
• ଫେବୃଆରୀ ୪ରେ ଚନ୍ଦକାର ଅନ୍ଧାରୁଆ-ଦାସପୁର ରାସ୍ତାରୁ ପୁଷ୍ପଲତାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା । ଏହାକୁ ନେଇ କମିଶନରେଟ ପୁଲିସର ମୁଣ୍ଡ ବିନ୍ଧିଥିଲା । ସପ୍ତାହେ ପରେ ଏହି ହତ୍ୟା ପଛର ରହସ୍ୟ ପଦାକୁ ଆସିଲା । ହତ୍ୟା ଅଭିଯୁକ୍ତ ତଥା ପ୍ରେମିକ ଅଙ୍ଗଦ ଓ ସହଯୋଗକାରୀଙ୍କୁ ପୁଲିସ୍ ବାନ୍ଧିଲା । ପରକୀୟା ପ୍ରୀତି ହତ୍ୟା ପଛର କାରଣ ବୋଲି ପୁଲିସ ଦର୍ଶାଇଥିଲା ।
• ମାର୍ଚ୍ଚ ୨୪ରେ ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନିର ଭଡ଼ା ଘରେ ରହୁଥିବା ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ କେନ୍ଦ୍ରାପଡ଼ା ଆଳି ଥାନାର କନଷ୍ଟେବଳ ଅମରେଶ ସାହୁ । ଏକଥା ତାଙ୍କ ସ୍ତ୍ରୀ’ ତଥା ବଡ଼ଗଡ଼ ଥାନା କନ୍ଷ୍ଟେବଳ ଭଗବତୀ ନାୟକ କୌଣସି ସୂତ୍ରରୁ ଜାଣି ପାରିଥିଲେ । ଭଗବତୀ ଉକ୍ତ ଭଡ଼ା ଘରେ ପହଞ୍ଚି ତୁମୁଳକାଣ୍ଡ କରିଥିଲେ । ସ୍ୱାମୀଙ୍କୁ ନିର୍ଧୁମ ପିଟିବା ସହ ଘରର ଆସବାବପତ୍ର, କାର୍ ଆଦି ଭଙ୍ଗାରୁଜା କରିଥିଲେ ।
• ଗତ ଜୁଲାଇ ୭ରେ ଏୟାରଫିଲ୍ଡ଼ ଥାନା ଭୀମଟାଙ୍ଗି ହାଉସିଂବୋର୍ଡ କଲୋନି ଘରେ ସ୍ୱାମୀ ନଥିବା ବେଳେ ପ୍ରିୟଙ୍କା ପ୍ରିୟଦର୍ଶିିନୀ ସାହୁଙ୍କୁ ଛୁରି ଭୁସି ହତ୍ୟା କରା ଯାଇଥିଲା । ପୂର୍ବ ପ୍ରେମିକ ଜଗନ୍ନାଥ ପ୍ରଧାନ ମଧ୍ୟ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡି଼ଥିଲେ । ପ୍ରେମରେ ବିଫଳ ଜଗନ୍ନାଥ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଘଟାଇଥିଲେ ।
• ସ୍ତ୍ରୀ’ଙ୍କ ଶରୀରରେ ପ୍ରେମିକର ଟାଟୁ (ଚିତାକୁଟା) ଘଟଣା ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା । ବିବାହ ପରେ ବି ସୋନାଲି ତାଙ୍କ ପୂର୍ବ ପ୍ରେମିକକୁ ଭୁଲି ପାରି ନଥିବା ଏପରି କରିଥିଲେ ବୋଲି ସ୍ୱାମୀ ତଥା କଟକ ବାସିନ୍ଦା ମୋହିତ ଅଭିଯୋଗ ଆଣିଥିଲେ ।
• ଏପ୍ରିଲ ୨୨ରେ ମଞ୍ଚେଶ୍ୱର ପଳାଶୁଣିର ଘରୋଇ ନର୍ସିଂହୋମରେ ପ୍ରେମିକା ପାଇଁ ହଙ୍ଗାମା କରିଥିଲେ ଖୋର୍ଦ୍ଧା ନର୍ସିଂ ହୋମ୍ର ମାଲିକ । ପ୍ରେମିକାକୁ ସମସ୍ତଙ୍କ ଆଗରେ ମାଡ଼ ମାରିଥିଲେ । ପ୍ରେମିକା ପାଇଁ ପୁଲିସ୍କୁ ବି ଗୋଇଠା ବିଧା ମାରି ଜେଲ୍ ଯାଇଥିଲେ । ନର୍ସିଂ ହୋମ୍ରୁ ଆରମ୍ଭ ହୋଇଥିବା ପ୍ରେମକୁ ଭୁଲି ନପାରି ମାନସ ଏମିତି କାଣ୍ଡ ଭିଆଇଥିବା ପୁଲିସ କହିଥିଲା ।
• ସେପ୍ଟେମ୍ବର ୭ରେ ରୁଚିକା ମାର୍କେଟ ମହାବୀର ବସ୍ତିରୁ ସନ୍ଧାରାଣୀ ସେଠୀ ଓରଫ୍ ଗୀତାଙ୍କ ଗଳିତ ମୃତଦେହ ମିଳିଥିଲା । ତାଙ୍କ ପ୍ରେମିକ ସାଜିଥିବା ସେଖ୍ ଫରିଦ୍ ଓରଫ କାର୍ତ୍ତିକ ଜେନା ୪ ତାଙ୍କ ତଣ୍ଟି ଚିପି ମାରି ଫେରାର୍ ହୋଇ ଯାଇଥିଲେ । ପୂର୍ବରୁ ବିବାହିତ ଫରିଦଙ୍କ ସ୍ତ୍ରୀ ଓ ପ୍ରେମିକାଙ୍କ ଝଗଡ଼ାରୁ ବର୍ତ୍ତିବାକୁ ଏମିତି କାଣ୍ଡ ଭିଆଇଥିଲା।






