ଗୋପ, (ବାଘୁଆବାର୍ତ୍ତା): ଗୋପ କଲେଜର ଜଣେ ଛାତ୍ରୀଙ୍କୁ କଲେଜ ବାହାରେ ଜଣେ ଅଣଛାତ୍ର ଏସିଡ୍ ମାଡ଼ କରିବାକୁ ଉଦ୍ୟମ କରିଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରମାନେ ତାଙ୍କୁ କାବୁ କରିବା ସହ ମାଡ଼ ମାରି କଲେଜ ଅଧ୍ୟକ୍ଷଙ୍କ ନିକଟକୁ ନେଇଥିଲେ । ସେଠାରେ ଯୁବକ ଜଣକ ନିଜ ଦୋଷ ସ୍ୱୀକାର କରିବା ସହ ଭବିଷ୍ୟତରେ ଏପରି ନକରିବାକୁ ଏକ ଅଣ୍ଡରଟେକିଂ ଲେଖିଥିଲେ । ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା । ମାତ୍ର ବୁଧବାର ଏହି ଘଟଣାର ଏକ ନୂଆ ମୋଡ୍ ଆସିଛି । ଉକ୍ତ ଯୁବକଙ୍କୁ କଲେଜ କ୍ୟାମ୍ପସ୍ ପରିସରରେ କେତେକ ଛାତ୍ର ଓ ଅଣଛାତ୍ର ମିଶି ନିସ୍ତୁକ ପିଟୁଥିବାର ଭିଡିଓ ଭାଇରାଲ୍ ହୋଇଛି । ଅଭିଯୁକ୍ତ ଜଣକ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାବେଳେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମଙ୍ଗଳବାର ଗୋପ କଲେଜରେ ଜଣେ ଛାତ୍ରୀଙ୍କୁ ଆସିକ୍ ଖାଁଙ୍କ ପୁତ୍ର ଇମ୍ରାନ୍ ଖାଁ ଏସିଡ୍ ମାଡ଼ ଉଦ୍ୟମ କରିବା ବେଲେ କେତେକ ଛାତ୍ର ସେହି ଯୁବକଙ୍କୁ କାବୁ କରି ନିସ୍ତୁକ ପିଟିଥିବା କଲେଜ କର୍ତ୍ତୃପକ୍ଷ କହିଥିଲେ । ବୁଧବାର ଯେଉଁ ଭିଡିଓ ଭାଇରାଲ ହୋଇଛି ସେଥିରେ କଲେଜ ପରିସରରେ ଅଧ୍ୟକ୍ଷାଙ୍କ ଅଫିସ୍ ସାମ୍ନାରେ ଯୁବକଙ୍କୁ ନିସ୍ତୁକ ମାଡ଼ ହେଉଥିବା ଦେଖିବାକୁ ମିଳିଛି । କଲେଜ କର୍ତ୍ତୃପକ୍ଷ ଆଇନ୍ର ଆଶ୍ରୟ ନେବା ବଦଳରେ ଆଇନ୍କୁ ହାତକୁ ନେଇଥିବା ଅଭିଯୋଗ ଆସିଛି । ମାଡ଼ ମାରିଥିବା ଛାତ୍ର ଓ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଛି । ମାନବାଧିକାର କମିସନ ଏହି ଘଟଣାରେ ତଦନ୍ତ କରିବା ପାଇଁ ମଧ୍ୟ ଦାବି ହୋଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟମ୍ବଦା ପଣ୍ଡାଙ୍କୁ ପଚାରିବାରେ ମୁଁ ଅଫିସ୍ରେ ଥିବାରୁ ଅଫିସ୍ ସମ୍ମୁଖରେ କ’ଣ ଘଟଣା ଘଟିଛି ମୁଁ କହିପାରିବି ନାହିଁ । ଯେଉଁ ଅଧ୍ୟାପକ ଉପସ୍ଥିତ ଥିଲେ ତାଙ୍କର ମତାମତ ନିଆଯାଉ । ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ବିଭୂତି ଭୂଷଣ ସେନାପତିଙ୍କୁ ପଚାରିବାରେ ସେ କହିଛନ୍ତି ଘଟଣା ଘଟିଥାଇପାରେ । ହେଲେ ମୁଁ କୌଣସି ପ୍ରତିକ୍ରିୟା ଦେଇପାରିବି ନାହିଁ ବୋଲି କହିଥିଲେ ।






