ମାଲକାନଗିରି, (ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲା ପଦ୍ମଗିରି ଜଙ୍ଗଲରେ ଏକ ପ୍ରେମୀ ଯୁଗଳଙ୍କୁ ଅସଂଜତ ଅବସ୍ଥାରେ ଦେଖିବା ପରେ ସ୍ଥାନୀୟ କିଛି ଯୁବକ ସେମାନଙ୍କ ଉପରେ ଅତ୍ୟାଚାର କରୁଥିବା ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଜଣେ ଯୁବତୀଙ୍କ ପ୍ରତି କିଛି ଉତ୍ସୃଙ୍ଖଳିତ ଯୁବକଙ୍କ ଏଭଳି ଅଶାଳୀନ ବ୍ୟବହାର ଯେ କେହି ବି ଦେଖିବେ ସେମାନେ ନିଶ୍ଚୟ ପ୍ରତିକ୍ରିୟା ପ୍ରକାଶ କରିବେ । ଏଭଳି ଅସାମାଜିକ କାର୍ୟ୍ୟ କରିଥିବା ଯୁବକଙ୍କୁ ତୁରନ୍ତ ଖୋଜି ବାନ୍ଧିବା ବଦଳରେ ଭାଇରାଲ୍ ଭିଡିଓକୁ ଧରି ଚୁପ୍ ବସିଛି ପଦ୍ମପୁର ପୋଲିସ । ମାଲକାନଗିରି ଜିଲ୍ଲା ପଦ୍ମପୁର ଅଂଚଳର ଜଙ୍ଗଲରେ ଏକ ପ୍ରେମୀ ଯୁଗଳଙ୍କୁ ଅସଂଜତ ଅବସ୍ଥାରେ ଦେଖିବା ପରେ ସ୍ଥାନୀୟ କିଛି ଯୁବକ ସେମାନଙ୍କ ପ୍ରତି ନର୍ୟାତନା ଆରମ୍ଭ କରିଦେଇଥିଲେ । ଏହି ଭାଇରାଲ ଭିଡିଓକୁ ଦେଖିଲେ ସଭ୍ୟ ସମାଜରେ ରହୁଥିବା ଯେ କୌଣସି ମଣିଷର ମୁଣ୍ଡ ତଳକୁ ନଇଁ ଯିବ । ସେମାନେ ଧରାପଡ଼ିଥିବା ପ୍ରେମୀ ଯୁଗଳଙ୍କ ପୋଷାକ ଛଡ଼ାଇ ନେଉଛନ୍ତି । ଉଲଗ୍ନ ଅବସ୍ଥାରେ ନିଜ ଲଜ୍ଜା ବଞ୍ଚାଇବାକୁ ବିକଳ ହେଉଛନ୍ତି ଯୁବତୀ ଜଣକ । ତଥାପି ଏହି ଅସାମାଜିକ ଯୁବକଙ୍କ ମନରେ ଦୟା ଆସୁନି । ପାଲଟା ସେମାନଙ୍କ ଅସହାୟତାର ଭିଡିଓ ରେକର୍ଡ଼ିଂ କରି ଭାଇରାଲ୍ କରିବାକୁ ମଧ୍ୟ ପଛାଇ ନାହାନ୍ତି । ଅନ୍ୟପଟେ ଏହି ଭାଇରାଲ୍ ଭିଡିଓ ପଦ୍ମପୁର ପୋଲିସ ପାଖରେ ମଧ୍ୟ ପହଞ୍ଚିଛି । ଘଟଣାର ତଦନ୍ତ କରାଯାଉଛି ଓ ଭିଡିଓ ଭାଇରାଲ କରିଥିବା ଯୁବକଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ମାଲକାନଗିରି ଥାନା ଅଧିକାରୀ।





