ଭୁବନେଶ୍ବର, (ବାଘୁଆବାର୍ତ୍ତା): ଲଗାତାର ଦ୍ୱିତୀୟ ଦିନ ମଧ୍ୟ ୫୦୦ ତଳକୁ ଆସିଛି ସଂକ୍ରମଣ। ୨୪ ଘଣ୍ଟାରେ ୪୨୮ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସୋମବାର ତୁଳନାରେ ଏହା କମ୍ ରହିଛି। ଟିପିଆର୍ ୦.୮୯% ଖସିଛି । ଗତକାଲି ଏହା ୧% ଉପରେ ଥିଲା। କରୋନା ମୃତ୍ୟୁ ୪କୁ ଆସିଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଆଗକୁ ପାର୍ବଣ ରହିଛି। ତେଣୁ ଆମକୁ ସତର୍କ ରହିବାକୁ ହେବ। ଆଗକୁ ୨/୩ ମାସ ସତର୍କ ନରହିଲେ, ତୃତୀୟ ଲହର ନିଶ୍ଚୟ ଆସିବ। ତେଣୁ କୋଭିଡ୍ ଗାଇଡଲାଇନ୍ ମାନି ଚଳିବାକୁ ହେବ। ମଙ୍ଗଳବାର ନମୁନା ପରୀକ୍ଷା ୪୮ ହଜାର ୮୬କୁ ବଢ଼ିଛି। ବାଲେଶ୍ୱରରେ ୧୮, ଭଦ୍ରକରେ ୧୦, କଟକରେ ୪୬, ଜଗତସିଂହପୁରରେ ୨୦, ଯାଜପୁରରେ ୨୧, ଖୋର୍ଦ୍ଧାରେ ୧୭୯, ମୟୂରଭଞ୍ଜରେ ୧୮ ଓ ପୁରୀରେ ୧୫ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ୧୨ ଜିଲ୍ଲାରେ ଗତକାଲି ତୁଳନାରେ ସଂକ୍ରମଣ ବଢ଼ିଛି ସତ, ହେଲେ ରାଜ୍ୟର ପଜିଟିଭ୍ ହାର ଖସିଛି। ସେହିପରି ଅନୁଗୁଳରୁ ୫, ବରଗଡ଼ରୁ ୩, ଦେବଗଡ଼ରୁ ୪, ଢେଙ୍କାନାଳରୁ ୩, ଗଜପତିରୁ ୧, ଗଞ୍ଜାମରୁ ୪, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୧, ମାଲକାନଗିରିରୁ ୧, ନୟାଗଡ଼ରୁ ୮, ନୂଆପଡ଼ାରୁ ୪, ରାୟଗଡ଼ାରୁ ୪, ସମ୍ବଲପୁରରୁ ୯ ଓ ସୁନ୍ଦରଗଡ଼ରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ୍, ନବରଙ୍ଗପୁର ଓ ସୋନପୁର କରୋନା ଶୂନ୍ୟ ରହିଛି । ଏସବୁ ଜିଲ୍ଲାରୁ ମଙ୍ଗଳବାର ରୋଗୀ ଚିହ୍ନଟ ହୋଇନାହାନ୍ତି। ଆଜିର ମୃତକଙ୍କ ମଧ୍ୟରେ କଟକରୁ ୧, ଖୋର୍ଦ୍ଧାରୁ ୨ ଓ ପୁରୀରୁ ୧ ଜଣ ଚିହ୍ନଟ ହୋଇଛନ୍ତି।





