ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଚମକିବ ରାଜ୍ୟର ପ୍ରମୁଖ ପର୍ୟ୍ୟଟନସ୍ଥଳୀ । ବଦଳିବ ଚେହେରା । ସଜେଇ ହେବ ନୂଆ ରୂପରେ । ଏହାସହ ଆଖପାଖରେ ଥିବା ଛୋଟ ଛୋଟ ପର୍ୟ୍ୟଟନୀସ୍ଥଳୀର ମଧ୍ୟ ବିକାଶ କରାଯିବ । ତା’ସାଙ୍ଗକୁ ଆଖି ଝଲସିବା ଭଳି ଖୋଲିବ ହୋଟେଲ୍, ରେସ୍ତୋଁରା । ଖାଣ୍ଟି ଓଡ଼ିଆ ଖାଦ୍ୟଠାରୁ ଆରମ୍ଭ କରି ଚାଇନିଜ୍ ପର୍ୟ୍ୟନ୍ତ ସବୁକିଛି ମିଳିବ ହାତ ପାହାନ୍ତାରେ । ପୁଣି ପ୍ରାକୃତିକ ପରିବେଶରେ ଇକୋ କଟେଜ୍ରେ ରାତି କାଟିବେ ପର୍ୟ୍ୟଟକ । ବିଭିନ୍ନ ସାଂସ୍କୃତିକ ଉତ୍ସବ, ଇକୋ-ରିଟ୍ରିଟ୍ ଭଳି କାର୍ୟ୍ୟକ୍ରମର ମଜା ବି ଉଠାଇବେ । ଚକାଚକ୍ ରାସ୍ତାଘାଟ ସାଙ୍ଗକୁ ଗମନାଗମନ ସୁବିଧା ହେବ । ମହାମାରୀ କରୋନା ପରେ ଏଭଳି କିଛି ନୂଆ ପରିକଳ୍ପନା ନେଇ ଓଡ଼ିଶା ପର୍ୟ୍ୟଟନକୁ ପୁଣି ଟ୍ରାକ୍କୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । ଏଥିପାଇଁ ଅନେକ ଯୋଜନା କରାଯାଇଛି । କାର୍ୟ୍ୟକାରୀ କରିବାକୁ ଦେଶର ବିଭିନ୍ନ ସଂସ୍ଥା ସହିତ ଚୁକ୍ତିନାମା ସ୍ୱାକ୍ଷରିତ(ଏମ୍ଓୟୁ) ହୋଇଛି । ବିଶେଷକରି ଚିଲିକା ହ୍ରଦ, ସାତକୋଶିଆ ଅଭୟାରଣ୍ୟ ଏବଂ ହୀରାକୁଦ ବନ୍ଧ ପାଇଁ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଆଗାମୀ ଦିନରେ ଏସବୁ ପର୍ୟ୍ୟଟନସ୍ଥଳୀ ଆକର୍ଷଣର ପ୍ରମୁଖ କେନ୍ଦ୍ର ପାଲଟିବ ବୋଲି ଆଶା କରାଯାଉଛି । ଚିଲିକା ହ୍ରଦ ଏବଂ ଏହାର ଆଖପାଖ ମଙ୍ଗଳାଯୋଡ଼ି, ବଡ଼କୁଳ, ରମ୍ଭା, ସାତପଡ଼ା, ସିପକୁଦ, ରାଜହଂସର ବିକାଶ ପାଇଁ ଯୋଜନା ହୋଇଛି । ଏହାକୁ ପ୍ରସ୍ତୁତ କରିବାକୁ ବିଡିଂ ପ୍ରକ୍ରିୟା ମାଧ୍ୟମରେ ଓମାନସ୍ଥିତ ଆର୍କିଟେକ୍ଟ ଏଜେନ୍ସି (ଭାରତ ଇଞ୍ଜିନିୟରିଂ ଇନୋଭେସନ୍ ଡିଜାଇନ୍ ଆଣ୍ଡ୍ କନ୍ସଲ୍ଟିଂ ପ୍ରାଇଭେଟ୍ ଲିମିଟେଡ୍)କୁ ଦାୟିତ୍ୱ ଦିଆଯାଇଛି । ଗତ ୨୩ ତାରିଖରେ ଉକ୍ତ କମ୍ପାନି ସହିତ ରାଜ୍ୟ ପର୍ୟ୍ୟଟନ ଭବନରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ସ୍ଥାନୀୟ ଅଞ୍ଚଳରେ ପର୍ୟ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହୋଟେଲ୍, ରେସ୍ତୋରାଁ ନିର୍ମାଣ ହେବ । ବୋଟିଂ ଜେଟି, ପୁରୁଣା ଡଙ୍ଗା ଏବଂ ବୋଟ୍କୁ ପରିବର୍ତ୍ତନ କରି ନୂତନ ବୋଟ୍ ଚଲାଯିବ । ଡକିଂ ସୁବିଧା, ଅନ୍ୟାନ୍ୟ ଉପକୂଳ ଭିତ୍ତିଭୂମି, ପକ୍ଷୀ ଦେଖିବା, ବ୍ୟାଖ୍ୟାନ କେନ୍ଦ୍ର, ସଂଗ୍ରହାଳୟ ଆଦି ବିକାଶ ପାଇଁ ଉପଯୁକ୍ତ ଭିତ୍ତିଭୂମି ସୃଷ୍ଟି ହେବ । ଚିଲିକା ହ୍ରଦ ଏକ ଜୈବ ବିବିଧତା କ୍ଷେତ୍ର ପରିସର ଭିତରେ ଆସୁଥିବାରୁ ପରିବେଶ ଦୃଷ୍ଟିରେ ରଖି ବିଭିନ୍ନ କାର୍ୟ୍ୟକ୍ରମ ଗ୍ରହଣ କରାଯିବ । ଯେପରି ସ୍ଥାନୀୟ ଲୋକଙ୍କ ନିଯୁକ୍ତି ସୃଷ୍ଟିରେ ବିଶେଷ ସହାୟକ ହେବ । ଏଥିରେ ଚିଲିକା ବିକାଶ ପ୍ରାଧିକରଣ (ସିଡିଏ)କୁ ସାମିଲ କରାଯିବ । ଏହାଛଡ଼ା ସାତକୋଶିଆ ଅଭୟାରଣ୍ୟ ଓ ଏହାର ଚାରିପାଖକୁ ମଧ୍ୟ ବିକଶିତ କରାଯିବ । ସେଥିପାଇଁ ଯୋଜନା ପ୍ରସ୍ତୁତ ଲାଗି ମୁମ୍ବାଇସ୍ଥିତ ଆକର ଅଭିନବ କନ୍ସଲ୍ଟାଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍କୁ ଦାୟିତ୍ୱ ଦିଆଯାଇଛି । ଗତ ଅଗଷ୍ଟ ୨୭ରେ ରାଜ୍ୟ ପର୍ୟ୍ୟଟନ ଭବନରେ ଉକ୍ତ କମ୍ପାନି ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ହୀରାକୁଦ ବନ୍ଧ ଓ ଏହାର ଆଖପାଖ ଅଞ୍ଚଳକୁ ବିକଶିତ କରିବାକୁ ମଧ୍ୟ ସ୍ୱତନ୍ତ୍ର ଯୋଜନା ହୋଇଛି । ଏଥିଲାଗି ପର୍ୟ୍ୟଟନ ବିଭାଗ କର୍ଣ୍ଣାଟକସ୍ଥିତ ଆଇଡେକ୍ କମ୍ପାନି ସହ ଚୁକ୍ତିନାମା ସ୍ୱାକ୍ଷରିତ ପୂର୍ବକ ଦାୟିତ୍ୱ ଦିଆଯାଇଛି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ପ୍ରକଳ୍ପର ଉନ୍ନୟନ କାର୍ୟ୍ୟ ଶେଷ କରିବାକୁ ଉପରୁ ନିର୍ଦ୍ଦେଶ ହୋଇଛି ।






