ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଚର୍ଚ୍ଚାରେ ମାନବବାଦ ତଥା ରାଷ୍ଟ୍ରୀୟ ସାମାଜିକ ସୁରକ୍ଷା ମଞ୍ଚର କଥାକଥିତ ଗୁରୁଜୀ ମାନସ ଦାସ । ଅଭିମାନପୁର ଗ୍ରାମରେ ସତ୍ୟବ୍ରତ ନାୟକ ହତ୍ୟାକାଣ୍ଡ ଘଟଣାରେ ସଂଗଠନ ମୁଖିଆ ତଥା ଆତ୍ମଘୋଷିତ ଗୁରୁଜୀ ମାନସ ଏବଂ ସାନଗୁରୁଜୀ ତଥା ତାଙ୍କ ପୁଅ ମନୋରଞ୍ଜନ ଗିରଫ ହେବା ପରେ ତାଙ୍କର ଗୋଟିଏ ପରେ ଗୋଟିଏ ପଲଟିକାଲ ଲିଙ୍କ୍ର ଗୁମର ଫିଟୁଛି । ପ୍ରଥମେ ୨୦୧୯ ମସିହାରେ ଫେବୃୟାରୀ ୨ ତାରିଖ ମିଶ୍ରଣ ପର୍ବରେ ବିଜେଡି ସଭାମଞ୍ଚରେ ମାନସଙ୍କ ଉପସ୍ଥିତର ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ବିରୋଧୀ ମାନବବାଦ୍ ସଂଗଠନ ଏବଂ ବିଜେଡି ଲିଙ୍କ୍କୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଏ କଥା ଲୋକ ଭୁଲିନଥିବାବେଳେ ମାନସଙ୍କ ବିଜେପି ଓ କଂଗ୍ରେସ ଲିଙ୍କ୍ ପଦାକୁ ଆସିଛି । ଖୋଦ୍ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବିଜେପି ନେତାଙ୍କ ସାଙ୍ଗରେ ମାନସ ଛିଡ଼ାହାଇଥିବା ଫଟୋ ଭାଇରାଲ୍ ହୋଇଛଇ । ଫଟୋ କେଉଁ ମସିହାର ତାହା ସ୍ପଷ୍ଟ ହୋଇନି ତଥାପି ମାନସ ଉଭୟ ଶାସକ ଓ ବିରୋଧି ଦଳର ନେତାଙ୍କ ଛତ୍ରଛାୟା ତଳେ ରହି ନିଜର ସାମ୍ରାଜ୍ୟ ଓଡ଼ିଶାରୁ ଆସାମ ଯାଏ ବିସ୍ତାର କରୁଥିବା ଅନୁମାନ କରାଯାଉଛି । ସେହିପରି ପୁଲିସ ହାତରେ ମାନସ, ତାଙ୍କ ପୁଅ, ପତ୍ନୀ, ଝିଅ ନାମରେ ଥିବା ୪ ବ୍ୟାଙ୍କ ଜମାଖାତା ଲାଗିଛି । ସେହିପରି ବହୁତ ସିଡି, ସଂଗଠନ ପରିଚୟ ପତ୍ର, ପୋଷ୍ଟର ଲାଗିଥିବା ଜଣାପଡ଼ିଛି । ବିଗତ ୧୦ ବର୍ଷ ମଧ୍ୟରେ ମାନସଙ୍କ ଅର୍ଥ କାରବାର ଚେର କେତେ ବାଟ ଲମ୍ବିଛି ତାହାର ଖିଅ ଖୋଜିବାକୁ ପୁଲିସ ଯୋଜନା କରିଥିବା ଜଣାପଡ଼ିଛି । ଜବତ ଜମାଖାତାରେ କେତେ ଅର୍ଥ ରହିଛି । କିଏ ଏବଂ କ’ଣ ପାଇଁ ଦେଇଛି, ଏ ଟଙ୍କା କାରବାର ପଛରେ ରାଜନେତା ସମ୍ପୃକ୍ତ ଅଛନ୍ତି ନା ନାହିଁ, ବିଦେଶୀ ଲିଙ୍କ୍ ସମ୍ପର୍କରେ ଖୋଳତାଡ଼ କରିବାକୁ ପୁଲିସ ଯୋଜନା କରିଥିବା ଏସ୍ଡିପିଓ ସୁଶୀଲ ମିଶ୍ର କହିଛନ୍ତି ।






