କାବୁଲ, (ବାଘୁଆବାର୍ତ୍ତା): ଆଫଗାନିସ୍ତାନରେ ତାଲିବାନ ଦଖଲ କରିଛି ସତ, କିନ୍ତୁ ପଞ୍ଜଶୀରକୁ ଦଖଲ କରିବାରେ ଏବେବି ତାଲିବାନ ଠାରୁ ଦୂରରେ । ପଞ୍ଜଶୀରକୁ ନେଇ ବିବାଦ ବଢିଚାଲିଛି । ଆଫଗାନିସ୍ତାନର ପଞ୍ଜଶୀରର ରେସିଷ୍ଟାନ୍ସ ଫୋର୍ସ ତାଲିବାନ ବିରୋଧରେ ଲଢେଇ ଜାରି ରଖିବ ବୋଲି ଘୋଷଣା କରିସାରିଛି । ତାଲିବାନ ସହିତ ଚାଲିଥିବା କଥାବାର୍ତା ବିଫଳ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାପୂର୍ବରୁ ପଞ୍ଜଶୀର ପ୍ରାନ୍ତ ସହିତ ଆଲୋଚନା ବିଫଳ ହୋଇଛି ବୋଲି ତାଲିବାନ ନେତାମାନେ ଘୋଷଣା କରିସାରିଛନ୍ତି । ଆଫଗାନିସ୍ତାନରେ ପଞ୍ଜଶୀର ଏକ ମାତ୍ର ଅଞ୍ଚଳ ଅଟେ, ଯାହା ଏବେ ଯାଏଁ ତାଲିବାନ ନିୟନ୍ତ୍ରଣକୁ ଆସିନାହିଁ । ଖବର ଅନୁଯାୟୀ, ତାଲିବାନ ପଞ୍ଜଶୀର ପ୍ରାନ୍ତରେ ଅନେକ ଥର ପ୍ରବେଶ କରିବା ପାଇଁ ଉଦ୍ୟମ କରିସାରିଲାଣି । କିନ୍ତୁ ପ୍ରତ୍ୟେକ ଥର ବିଫଳ ହେବାକୁ ପଡିଛି । ପଞ୍ଜୀଶୀରରେ ଉପରାଷ୍ଟ୍ରପତି ଏବଂ ଅହମ୍ମଦ ମସୁଦଙ୍କ ନେତୃତ୍ୱରେ ରେସିଟାନ୍ସ ଫୋର୍ସ ଆଗରେ ତାଲିବାନ ଦୁର୍ବଳ ପରି ନଜର ଆସୁଛି । ଏଥିପାଇଁ ତାଲିବାନ ଏବେ ଶାନ୍ତିର ବାର୍ତ୍ତା ପାଇଁ ଆଗକୁ ଆସିଛି । ଏହି ଘଟଣାକ୍ରମରେ ତାଲିବାନର ୩୫୦ସଦସ୍ୟଙ୍କୁ ନିହତ କରିଛି ବୋଲି ପଞ୍ଜଶୀର ଘାଟିର ନର୍ଦନ ଆଲାଏନସ୍ ଦାବି କରିଛି । ସେହିପରି ପଞ୍ଜଶୀର ଘାଟିରେ ଆଫଗାନିସ୍ତାନର କାର୍ୟ୍ୟବାହୀ ରାଷ୍ଟ୍ରପତି ଉମରଉଲ୍ଲାହ ସୋଲେହଙ୍କ ଦେଶରୁ ତାଲିବାନକୁ ବିତାଡିତ କରିବେ ବୋଲି ପ୍ରତିଜ୍ଞା ନେଇଛନ୍ତି । ଏହାସହିତ ତାଙ୍କ ପୁତ୍ର ମଧ୍ୟ କହିଛନ୍ତି ଯେ, ସରେଣ୍ଡର କରିବା ଆମ ଭାଗ୍ୟରେ ନାହିଁ । ତେଣୁ ପଞ୍ଜଶୀର ଘାଟିକୁ ଦଖଲ କରିବାକୁ ସ୍ୱପ୍ନ ଦେଖୁଥିବା ତାଲିବାନର କେବେ ପୂରଣ ହେବନାହିଁ । ସେପଟେ ପଞ୍ଜଶୀର ଘାଟିରେ ତାଲିବାନମାନେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଛନ୍ତି । ଘାଟି ପଟୁ ଯାଉଥିବା ରାସ୍ତାକୁ ମଧ୍ୟ ସିଲ୍ କରିଛି ତାଲିବାନୀ ।





