କଟକ, (ବାଘୁଆବାର୍ତ୍ତା): ବସ୍ରେ ୫୦ ଜଣରୁ ଉଦ୍ଧ୍ୱର୍ ଯାତ୍ରୀ ଯାତ୍ରା କରିପାରିବେ । ହୋଟେଲ, ମଲ୍, ବାର୍, ସିନେମା ହଲ୍ ଖୋଲିବ । ଲୋକମାନେ ଯାତ୍ରା ବି ଦେଖିପାରିବେ । ଅଥଚ ମୂର୍ତ୍ତି ନିର୍ମାଣରେ ପ୍ରତିବନ୍ଧକ ରହିବ? ଉଚ୍ଚତା-ପ୍ରତିବନ୍ଧକ ହଟାଇଦେଲେ କଣ କରୋନା ମହାମାରୀ ବଢିଯିବ? – କରୋନା କଟକଣା ଭିତରେ ପୂଜା ପାଇଁ ଜାରି ନିୟମକୁ ନେଇ ଏମିତିକା ପ୍ରଶ୍ନ ଉଠାଇଛି କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି । କରୋନା ଆଳରେ ପରମ୍ପରାକୁ କ୍ଷୂର୍ଣ୍ଣ କରାନଯାଇ ଚଳିତ ବର୍ଷ ମୂର୍ତ୍ତି ଉଚ୍ଚତାରେ ଥିବା ପ୍ରତିବନ୍ଧକ ନିଷ୍ପତ୍ତିକୁ ପୁନର୍ବିଚାର କରିବା ପାଇଁ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ, ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ମହାନଗର ନିଗମ ପ୍ରଶାସନକୁ ଅନୁରୋଧ କରାଯାଇଛି । କମିଟିର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁଙ୍କ କହିବା କଥା, ହଜାରେ ବର୍ଷର କଟକ ସହର ଭାଇଚାରାର, ସଂସ୍କୃତି ଓ ପରମ୍ପରାର ପ୍ରାଣକେନ୍ଦ୍ର। ଅଦ୍ୟାବଧି କଟକ ସହରର ସମସ୍ତ ପୂଜା କମିଟିର ସଭାପତି, ସଂପାଦକ, ମୁରବି, କର୍ମକର୍ତ୍ତା ଏବଂ ଯୁବକ ସଂଘ ସରକାର ଓ ପୁଲିସ, ଜିଲ୍ଲା ତଥା ନିଗମ ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇବା ସହ ସବୁ ନିୟମ ଅନୁସରଣ କରିଆସୁଛନ୍ତି। ଅନ୍ୟ ସବୁ କଟକଣା କୋହଳ ହୋଇଥିବା ବେଳେ ମୂର୍ତ୍ତି ନିର୍ମାଣରୁ ପ୍ରତିବନ୍ଧକ ହଟାଇଦେଲେ ଯେ କରୋନା ମହାମାରୀ ବଢିଯିବ ଏହା ଚିନ୍ତା କରିବା ବିଡ଼ମ୍ବନାର ବିଷୟ । ତେଣୁ କମିଟି ମତ ଦେଇଛି କି’ ମୂର୍ତ୍ତି ନିର୍ମାଣରେ ବା ଉଚ୍ଚତାରେ କୌଣସି ପ୍ରତିବନ୍ଧକ ନ ରହୁ ।ମନ୍ଦିରରେ ଭକ୍ତମାନେ କଟକଣା ଭିତରେ ଠାକୁରଙ୍କୁ ଦର୍ଶନ କରିବା ଭଳି ପୂଜାମଣ୍ଡପରେ ଶ୍ରଦ୍ଧାଳୁମାନେ ଅଳ୍ପ ସଂଖ୍ୟାରେ ବିନା ଭିଡ଼ରେ ଧାଡ଼ିରେ ଦେବଦର୍ଶନ କରିବାକୁ ଅନୁମତି ଦିଆଯାଉ । କେବଳ ଦେବୀଗଡ଼ାରେ କୃତ୍ରିମ ପୋଖରୀ ପ୍ରସ୍ତୁତ କରି ମୂର୍ତ୍ତି ଜଳଶାୟୀ କରାଯାଉ । ଏଥିସହ ପୂଜାରେ ସାମିଲ ହେବାକୁ ଥିବା ମୂର୍ତ୍ତି କାରିଗର, ମନ୍ଦିର ପୂଜକ, ବ୍ରାହ୍ମଣ ଏବଂ କର୍ମକର୍ତ୍ତାଙ୍କୁ ଟିକାକରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଶାନ୍ତି କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।






