ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ସ୍ବାଧୀନତା ଦିବସର ଖୁସି ଏଥର ଦୁଇଗୁଣ ହେବାକୁ ଯାଉଛି। କାରଣ ଭାରତ ଆକାଶରେ ଆଉ ଏକ ଲମ୍ଫ ମାରିବାକୁ ପ୍ରସ୍ତୁତ । ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ୧୨ ଅଗଷ୍ଟରେ ଭାରତର ଅବଜରଭେସନ୍ ସାଟେଲାଇଟ୍ ଉତକ୍ଷେପଣ କରିବ । ଇସ୍ରୋ ଶ୍ରୀହରିକୋଟାରେ ଥିବା ସତିଶ ଧାବନ ମହାକାଶ କେନ୍ଦ୍ରରୁ ଜିଏସଏଲଭି-ଏଫ ୧୦ ସାହାଯ୍ୟରେ ପୃଥିବୀ ଉପରେ ନଜର ରଖିବାକୁ ଉପଗ୍ରହ ଇଓଏସ୍-୦୩ ପ୍ରକ୍ଷେପଣ କରିବାକୁ ଯାଉଛି । ଏହା ଦ୍ବାରା ଭାରତକୁ ବହୁତ ଲାଭ ମିଳିବ। ନ୍ୟୁଜି ଏଜେନ୍ସି ପିଟିଆଇ ଅନୁସାରେ, ଇସ୍ରୋ ୧୨ ଅଗଷ୍ଟ ସକାଳ ୫.୪୩ରେ ଉପଗ୍ରହ ଉତକ୍ଷେପଣ କରିବ। କିନ୍ତୁ ଏହା ପାଣିପାଗ ଉପରେ ନିର୍ଭର କରେ। ଯଦି ଏହି ପରୀକ୍ଷଣ ସଫଳ ହେବ ତେବେ ଭାରତର ଶକ୍ତି ଆହୁରି ବୃଦ୍ଧି ପାଇବ ଏବଂ ପାଣିପାଗ ସମ୍ବନ୍ଧୀୟ ସ୍ଥିତି ବୁଝିବାକୁ ଆହୁରି ସହଜ ହେବ। ଇଓଏସ୍-୦୩ ଉପଗ୍ରହ ଗୋଟିଏ ଦିନରେ ଭାରତର ୪-୫ ଥର ଫଟୋ ଉଠାଇବ। ଏହା ଦ୍ବାରା ଦେଶର ପାଣିପାଗ, ବାୟୁମଣ୍ଡଳୀୟ ପରିବର୍ତ୍ତନ ସମ୍ବନ୍ଧୀୟ ପ୍ରମୁଖ ତଥ୍ୟ ମିଳିପାରିବ । ଏହା ସହ ଭାରତକୁ ମାଡ଼ିଆସୁଥିବା ବାତ୍ୟାର ସଠିକ୍ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି ।






