କାବୁଲ୍, (ବାଘୁଆବାର୍ତ୍ତା): ତାଲିବାନ ଆତଙ୍କବାଦୀ ଆଫଗାନିସ୍ତାନର ଯୁବତୀଙ୍କ ଉପରେ ହୀନ ଦୃଷ୍ଟି ପକାଇଛନ୍ତି । ସେମାନଙ୍କୁ ବଳପୂର୍ବକ ଉଠାଇ ନେଇ ବିବାହ ପାଇଁ ଯୋଜନା ଚଳାଇଛନ୍ତି । ତାଲିବାନ ୧୫ ବର୍ଷରୁ ଅଧିକ ବୟସର ଯୁବତୀ ଏବଂ ୪୫ ବର୍ଷରୁ କମ୍ ବୟସର ବିଧବା ମହିଳାଙ୍କ ତାଲିକା ମଗାଇଛି । ଧାର୍ମିକ ନେତାଙ୍କୁ ତାଗିଦ କରାଯାଇ ଯଥାଶୀଘ୍ର ତାଲିକା ଦେବାକୁ କୁହାଯାଇଛି । ଏ ନେଇ ଏକ ସ୍ୱତନ୍ତ୍ର ଆଦେଶନାମା ଜାରି କରାଯାଇଛି । ତାଲିବାନ ଏହାର ଯୁବକମାନଙ୍କ ବିବାହ କରାଇବା ଲାଗି ପ୍ରତିଶ୍ରୁତି ଦେଇଥିଲା । ଯୁବକମାନଙ୍କର ବିବାହ କରାଇବା ପରେ ସେମାନଙ୍କୁ ପାକିସ୍ତାନର ୱଜିରିସ୍ତାନକୁ ନିଆଯିବ । ସେଠାରେ ଅଣମୁସଲିମ ଯୁବତୀ ବା ମହିଳାଙ୍କର ଧର୍ମ ପରିବର୍ତ୍ତନ କରାଯିବ । ସମସ୍ତେ ଇସଲାମ ଧର୍ମ ଗ୍ରହଣ କରିବେ । ଦ ସନ୍ରେ ପ୍ରକାଶିତ ରିପୋର୍ଟ ମୁତାବକ ତାଲିବାନ ଏହି ଯୁବତୀ ଓ ମହିଳାମାନଙ୍କୁ ନିଜ ଆତଙ୍କୀ ସଦସ୍ୟଙ୍କର ଗୋଲାମ ବନାଇବାକୁ ଚାହୁଁଛି । ମହିଳାମାନଙ୍କୁ କେବଳ ଯୌନ ଶୋଷଣ ପାଇଁ ତାଲିବାନ ଏଭଳି ପଦକ୍ଷେପ ନେଇଛି । ତାଲିବାନର କଲ୍ଚରାଲ୍ କମିଶନ ତରଫରୁ ଏହି ଆଦେଶନାମା ଜାରି କରାଯାଇଛି । ଇରାନ, ପାକିସ୍ତାନ, ଉଜବେକିସ୍ତାନ ଓ ତାଜିକିସ୍ତାନ ସୀମାକୁ ଲାଗିଥିବା ଆଫଗାନିସ୍ତାନର ପ୍ରମୁଖ ଜିଲ୍ଲା ଓ ଥାନାଗୁଡ଼ିକୁ କବ୍ଜାକୁ ନେବା ପରେ ତାଲିବାନ ଏଭଳି ଆଦେଶନାମା ଜାରି କରିଛି । ପୂର୍ବରୁ ଆଫଗାନିସ୍ତାନର ପୂର୍ବୋତ୍ତର ଅଞ୍ଚଳରେ ମହିଳାମାନଙ୍କୁ ଘରୁ ଏକାକୀ ନ ବାହାରିବା ପାଇଁ ତାଲିବାନ ନିର୍ଦ୍ଦେଶ ଜାରି କରିଥିଲା । ପୁରୁଷମାନଙ୍କୁ ଦାଢ଼ି ବଢ଼ାଇବା ଲାଗି କୁହାଯାଇଥିଲା । ସେତିକି ନୁହେଁ, ଯୁବତୀମାନଙ୍କ ପାଇଁ ଯୌତୁକ ନିୟମ ବି ନିର୍ଦ୍ଧାରିତ କରାଯାଇଛି । କାରଣ ତାଲିବାନ ଇସଲାମ ଆଇନର ନିଜସ୍ୱ ସଂସ୍କରଣକୁ ଲାଗୁ କରୁଛି । ୨୦୦୧ ପୂର୍ବରୁ ତାଲିବାନ ଶାସନ ଅନୁସାରେ ଆଫଗାନିସ୍ତାନରେ ମହିଳାମାନଙ୍କୁ ସ୍କୁଲ ଯିବା, ଘରୁ ବାହାରି କାମ କରିବା ଅଥବା ପୁରୁଷଙ୍କ ବିନା ଘରୁ ବାହାରିବା ଉପରେ ରୋକ ଲଗାଯାଇଥିଲା ।






