ପୁରୀ, (ବାଘୁଆବାର୍ତ୍ତା): ସୋଲ କାରିଗର ହତ୍ୟା ମାମଲାରେ ମୁଣ୍ଡି ଗ୍ୟାଙ୍ଗ୍ର ୫ ଜଣଙ୍କୁ ବାନ୍ଧିଲା ପୁଲିସ । ଗ୍ୟାଙ୍ଗ୍ର ୩ ଭାଇଙ୍କ ସହ ଅନ୍ୟ ୨ ଜଣଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଅଭିଯୁକ୍ତ ହେଲେ ସର୍ବୋଦୟନଗରର ସୂର୍ୟ୍ୟନାରାୟଣ ବିଶ୍ୱାଳ ଓରଫ ଗେଡୁମୁଣ୍ଡି (୩୬), ତା’ ବଡଭାଇ ଶିବନାରାୟଣ ବିଶ୍ୱାଳ ଓରଫ ସାନମୁଣ୍ଡ (୪୪), ସାନଭାଇ ଲକ୍ଷ୍ମୀନାରାୟଣ ବିଶ୍ୱାଳ ଓରଫ ବୁବୁ ଓରଫ ଅଗମୁଣ୍ଡି(୩୨), ଗେଡୁମୁଣ୍ଡିର ସହଯୋଗୀ ତ୍ରିଦେବନଗରର ଆଶିଷ କୁମାର ରଥ (୧୯) ଓ ମାର୍କଣ୍ଡେଶ୍ୱର ସାହିର ନିରଞ୍ଜନ ମହାନ୍ତି ଓରଫ ଜଗା (୩୫) । ସେମାନଙ୍କ ଗୋଟିଏ ଭୁଜାଲି ଓ ୨ଟି ଚାପଡ ସହ ୪ଟି ମୋବାଇଲ୍, ଗୋଟିଏ ବାଇକ (ଓଡି-୦୨ଏସ୍-୪୫୦୭) ଓ ମୋପେଡ(ଓଆର୍-୧୩କେ-୩୮୬୩) ଜବତ ହୋଇଛି । ସୋଲ କାରିଗର ଓଡିଆ ମଠ ଛକର ଜିତେନ୍ଦ୍ର ପୁରୋହିତ ଓରଫ ଜିତୁ (୩୬)ଙ୍କୁ ଗତ ୨୫ ତାରିଖ ସନ୍ଧ୍ୟା ୬ଟାରେ ବଡପୋଖରୀ ଜାଗା ସମ୍ମୁଖ ତିଆଡି ବଗିଚା ନିକଟରେ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ଗିରଫ ଅଭିଯୁକ୍ତମାନେ ଜିତୁଙ୍କୁ ହତ୍ୟା କରି ଫେରାର୍ ଥିବାବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିବା ଶୁକ୍ରବାର ବାସେଳୀ ସାହି ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ମିହିର୍ ପଣ୍ଡା ଓ ସିଟି ଡିଏସ୍ପି ଜନାର୍ଦ୍ଦନ ପାଢୀ ସୂଚନା ଦେଇଛନ୍ତି । ହତ୍ୟା ପରେ ଅଭିଯୁକ୍ତମାନେ ଫେରାର୍ ଥିଲେ । ଖୋର୍ଦ୍ଧା ଜିଲ୍ଲା ନରଣଗଡ ସ୍ଥିତ ବଳଦେବଜିଉ ମଠରେ ସାନମୁଣ୍ଡି ଓ ଅଗମୁଣ୍ଡି ଥିବାବେଳେ ସେଠାରେ ଥିବା ଏକ ଫାର୍ମହାଉସ୍ରେ ଗେଡୁମୁଣ୍ଡି ଓ ଆଶିଷ ଲୁଚିଥିଲେ । ପୁଲିସ ଟିମ୍ ବୁଧବାର ବିଳମ୍ବିତ ରାତିରେ ୪ ଜଣଙ୍କୁ ଧରିବା ପରେ ଅନ୍ୟ ସ୍ଥାନରୁ ଜଗାକୁ କାବୁ କରିଥିଲା । ଜିତୁଙ୍କ ଭାଇ ଚନ୍ଦ୍ରଶେଖର ପୁରୋହିତଙ୍କ ଏତଲାକ୍ରମେ ପୁଲିସ ହତ୍ୟା ମାମଲା ରୁଜୁ କରିଥିଲା । ଫେରାର୍ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏସ୍ପି କେ.ବିଶାଲ୍ ସିଂହଙ୍କ ନିର୍ଦ୍ଦେଶ କ୍ରମେ ୩ଟି ଟିମ୍ ଗଠନ ହୋଇଥିଲା । ଅତିରିକ୍ତ ଏସ୍ପି ମିହିର୍ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସିଟିଡିଏସ୍ପି ଶ୍ରୀ ପାଢୀ, ବାସେଳୀ ସାହି ଥାନା ଆଇଆଇସି ସଞ୍ଜୀବ ପ୍ରଧାନ ଓ ଟାଉନ୍ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ଏହି ଟିମ୍ର ନେତୃତ୍ୱ ନେଇଥିଲେ । ହତ୍ୟାକାଣ୍ଡ ସ୍ଥିତି ଏତେ ସଙ୍ଗିନ ଥିଲା ଯେ ମାମଲା ରେଡ୍ ଫ୍ଲାଗ୍ରେ ଅନ୍ତର୍ଭୁକ୍ତ ହୋଇଛି । ରାଜ୍ୟ ପୁଲିସ ମୁଖ୍ୟାଳୟ ଓ କ୍ରାଇମ୍ବ୍ରାଞ୍ଚ ସହ ଏସ୍ପିଙ୍କ ଆଲୋଚନା ପରେ ଏହି ବ୍ୟବସ୍ଥା ହୋଇଛି । ରେଡ୍ ଫ୍ଲାଗ୍ ଅନୁଯାୟୀ ୩୦ ଦିନ ମଧ୍ୟରେ ମାମଲାର ତଦନ୍ତ ସାରି କୋର୍ଟରେ ଚାର୍ଜସିଟ୍ ଦାଖଲ ହେବ ବୋଲି କହିଛନ୍ତି ଅତିରିକ୍ତ ଏସ୍ପି ଶ୍ରୀ ପଣ୍ଡା । ନିର୍ଦ୍ଧାରିତ ସମୟରେ କୋର୍ଟରେ ସାକ୍ଷୀଙ୍କୁ ନେଇ ହାଜର କରାଇବା ସହ ନିୟମିତ ଭାବେ ମାମଲାର ଫଲୋଅପ୍ କରିବ ପୁଲିସ । ମାମଲାର ଗୁରୁତ୍ୱ ଦେଖି କ୍ରାଇମ୍ବ୍ରାଞ୍ଚ ରେଡ୍ ଫ୍ଲାଗ୍ରେ ଅନ୍ତର୍ଭୁକ୍ତ କରାଇବାକୁ ନିର୍ଦ୍ଦେଶ ଦେଇଥାଏ । ତେଣୁ ଏହି ମାମଲାର ଗୁରୁତ୍ୱ ଦେଖି ରେଡ୍ ଫ୍ଲାଗ୍ରେ ଅନ୍ତର୍ଭୁକ୍ତ କରାଯାଇଥିବା କହିଛି ପୁଲିସ । ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ସ୍ୱତନ୍ତ୍ର ଜଜ୍ ମାମଲାର ବିଚାର କରିଥାଆନ୍ତି । ଏହି ମାମଲାର ତ୍ୱରିତ ତଦନ୍ତ ପାଇଁ ପୁଲିସର ପଦକ୍ଷେପ ସମ୍ପର୍କରେ ବିଚାରବିଭାଗ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସ୍ପି ଶ୍ରୀ ପଣ୍ଡା । ବନ୍ଧୁତାରୁ ବିବାଦ, ପରେ ହତ୍ୟା – ଅଭିଯୁକ୍ତ ଗେଡୁମୁଣ୍ଡି ଓ ମୃତ ଜିତୁ ଥିଲେ ସାଙ୍ଗ । ୨୦୦୪ ମସିହାରେ ଜିତୁଙ୍କ ଇସାରା କ୍ରମେ କାଳିଆ ନାମକ ଜଣେ ବ୍ୟକ୍ତିଙ୍କୁ ହାଣିଥିଲେ ଉଭୟେ । ଏନେଇ ରୁଜୁ ହୋଇଥିବା ମାମଲାରେ ଗେଡୁମୁଣ୍ଡିକୁ ଗିରଫ କରିଥିଲା ଟାଉନ୍ ଥାନା ପୁଲିସ । କିନ୍ତୁ ମାମଲାରେ ଜିତୁ ଫେରାର୍ ରହି ଆଗୁଆ ଜାମିନ୍ ପାଇଥିଲା । ସେପଟେ ଏକାକୀ ଗିରଫ ହୋଇଥିବା ଗେଡୁମୁଣ୍ଡି ମୁଣ୍ଡକୁ ପିତ୍ତ ଚଢିଥିଲା । ଜେଲ୍ରୁ ଜାମିନ୍ରେ ଆସିବା ପରେ ଜିତୁ ସହ ତା’ର ବିବାଦ ଆରମ୍ଭ ହୋଇଥିଲା । ବନ୍ଧୁତା ଭାଙ୍ଗି ଶତ୍ରୁତା ବଢିଥିଲା । ମାମଲାରେ ଖର୍ଚ୍ଚ କରିଥିବା ଟଙ୍କା ସେ ଜିତୁକୁ ମାଗିଥିଲା । ବାରମ୍ବାର ତାଙ୍କ ଘରକୁ ଯାଇ ଲକ୍ଷାଧିକ ବଟି ଆକାରରେ ମାଗିବାବେଳେ ତାକୁ ଜିତୁଙ୍କ ପରିବାର ବିରୋଧ କରିଥିଲେ । ପରେ ୨୦୧୮ ମସିହାରେ ଜିତୁଙ୍କ ଘରେ ପଶି ଖଣ୍ଡା ବୁଲାଇବା ସହ ବୋମାମାଡ କରିଥିଲା । ଏହାପରେ ସେ ଟାର୍ଗେଟ୍ କରି ଜିତୁଙ୍କୁ ହତ୍ୟା କରିଥିବା ପୁଲିସ କହିଛି । ୨୮ ମାମଲାରେ ଜଡ଼ିତ ମୁଖ୍ୟ ଅଭିଯୁକ୍ତ – ମାମଲାର ମୁଖ୍ୟ ଅଭିଯୁକ୍ତ ଗେଡୁମୁଣ୍ଡି ୨୮ଟି ମାମଲାରେ ଜଡିତ ଥିବା ପୁଲିସ କହିଛି । ୨୦୦୦ ମସିହାରୁ ଅପରାଧ ଜଗତରେ ପାଦ ଥାପି ଗେଡୁମୁଣ୍ଡି ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇଥିଲା । ଗେଡୁମୁଣ୍ଡି ନାମରେ ଟାଉନ୍ ଥାନାରେ ୧୬ଟି, ବାସେଳୀ ସାହି ଥାନାରେ ୭ଟି, କୁମ୍ଭାରପଡ଼ା ଥାନାରେ ୨ଟି, ସଦର ଥାନାରେ ୨ଟି ଓ ତାଳବଣିଆ ଥାନାରେ ଗୋଟିଏ ମାମଲା ଥିବା କହିଛନ୍ତି ବାସେଳୀ ସାହି ଥାନା ଆଇଆଇସି ଶ୍ରୀ ପ୍ରଧାନ । ତା’ ଦୁଇ ଭାଇ ସାନମୁଣ୍ଡି ଓ ଅଗମୁଣ୍ଡି ମଧ୍ୟ ବହୁ ଧର୍ତ୍ତବ୍ୟ ଅପରାଧରେ ଜଡିତ ଥିବା ସେ କହିଛନ୍ତି । କିନ୍ତୁ ଗେଡୁମୁଣ୍ଡିକୁ ଛାଡି ଅନ୍ୟ ୨ଭାଇ ଓ ୨ ସହଯୋଗୀଙ୍କ ଅପରାଧ ରେକର୍ଡ ସମ୍ପର୍କରେ ପୁଲିସ ସୂଚନା ଦେଇ ପାରିନାହିଁ ।





