ଭୁବନେଶ୍ବର, (ବାଘୁଆବାର୍ତ୍ତା): କିଏ କୋଭିଡରେ ବାପାଙ୍କୁ ହରାଇଛି, ଆଉ କିଏ ମାଆ । ଆଉ କିଏ ଉଭୟ ବାପା-ମାଆଙ୍କୁ ମଧ୍ୟ ହରାଇଛି । ଅଣକୋଭିଡରେ ମଧ୍ୟ ବହୁ ପିଲା ଅନାଥ ହୋଇଛନ୍ତି । ଗତ ବର୍ଷ ମାର୍ଚ୍ଚରୁ ଏଯାଏ ସମଗ୍ର ଦେଶରେ ଏଭଳି ଅନାଥ ଶିଶୁଙ୍କ ସଂଖ୍ୟାରେ ଓଡ଼ିଶାର ସ୍ଥାନ ଦ୍ୱିତୀୟ । ଓଡ଼ିଶାର ୬୫୬୨ ଜଣ ପିଲା ଅନାଥ ହୋଇଛନ୍ତି । ମହାରାଷ୍ଟ୍ର ଅଛି ଶୀର୍ଷରେ(୧୩,୫୮୯) । ଅନାଥ ପିଲାମାନଙ୍କ ଶିକ୍ଷା ଓ ଭବିଷ୍ୟତର ସୁରକ୍ଷା ପାଇଁ ସରକାର ଯୋଜନା କରିବାକୁ ସୁପ୍ରିମକାର୍ଟ ନିର୍ଦ୍ଦେଶ ଦେଇଥିଲ । ମାତ୍ର ଏଯାଏ ପିଲାମାନଙ୍କୁ ସରକାରୀ ସୁବିଧା ସୁଯୋଗ ମିଳିବା ନେଇ ଆବଶ୍ୟକ ତଥ୍ୟ ରାଜ୍ୟ ସରକାର ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନ୍ସିପିସିଆର)ଙ୍କ ‘ବାଲ ସ୍ୱରାଜ’ ପୋର୍ଟାଲରେ ଅପଲୋଡ଼ କରିନାହାନ୍ତି । ଓଡ଼ିଶା ସମେତ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳ ଅନାଥ ପିଲାଙ୍କ ଭବିଷ୍ୟତର ସୁରକ୍ଷା ଓ କଲ୍ୟାଣ ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ଆସନ୍ତା ଅଗଷ୍ଟ ୨୩ ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କରୋନା ନେଇଛି ବହୁ ଜୀବନ । କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ବହୁ ଶିଶୁ ଅନାଥ ହୋଇଯାଇଛନ୍ତି । ସେମାନଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି । ମା’ବାପାଙ୍କୁ ହରାଇ ସେମାନେ ବେସାହାରା । ବେସାହାରା ହୋଇଥିବା ଏହି ଶିଶୁଙ୍କ ଦାୟିତ୍ୱ ସରକାର ନେବା ଆବଶ୍ୟକ ବୋଲି ଏନ୍ସିପିସିଆର୍ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲା । ସର୍ବୋଚ୍ଚ ଅଦାଲତ ୨୦୨୦ ମାର୍ଚ୍ଚରୁ ଏଯାଏ କରୋନା ହେଉ ଅବା ଅଣକୋଭିଡରୁ ଯେଉଁ ପିଲାମାନେ ଅନାଥ ହୋଇଯାଇଛନ୍ତି ତାଙ୍କ ତାଲିକା ‘ବାଲ ସ୍ୱରାଜ’ ପୋର୍ଟାଲରେ ଅପଲୋଡ଼ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ । ଏହାଛଡ଼ା କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଏଭଳି ପିଲାମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏ ପିଲାମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟା ଭିଡ଼ିଲେ । ପ୍ରତି ଜିଲ୍ଲାର ଜିଲ୍ଲାପାଳ ଏହି ଅନାଥ ପିଲାମାନଙ୍କର ଅଭିଭାବକ ପାଲଟିବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ‘ଆଶୀର୍ବାଦ’ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି । ମାତ୍ର ସମଗ୍ର ଦେଶରୁ ୭୫ ହଜାର ୩୨୦ ପିଲା ଅନାଥ ବୋଲି ପୋର୍ଟାଲରେ ସୂଚନା ଦିଆଯାଇଛି । ସେଥିରୁ ମାତ୍ର ୧୧୨୬ ଜଣଙ୍କ ସଂପର୍କରେ ଷ୍ଟେଜ୍ ୫ ଯାଏ ସମ୍ପୂର୍ଣ୍ଣ ତଥ୍ୟ ଜିଲ୍ଲା ମାଜିଷ୍ଟ୍ରଟମାନେ ଦାଖଲ କରିଛନ୍ତି । ଏହାଦ୍ୱାରା ଅନାଥ ପିଲାମାନେ ସରକାରୀ ଯୋଜନାର ସୁଫଳ କିପରି ପାଇବେ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଏହାଛଡ଼ା ରାଜ୍ୟ ସରକାରମାନେ ଦେଇଥିବା ପିଲାଙ୍କୁ ଛାଡ଼ି ଆହୁରି ଅନାଥ ପିଲାଙ୍କ ସଂପର୍କରେ ତଥ୍ୟ ପୋର୍ଟାଲରେ ଅପଲୋଡ଼ ହୋଇନଥିବା କୋର୍ଟ ଅନୁଭବ କରୁଛନ୍ତି । ତେଣୁ ଏ ଦିଗରେ ରାଜ୍ୟ ସରକାରମାନେ ଯତ୍ନବାନ ହେବାକୁ ଜୋର ଦେଇଛନ୍ତି । ଏହି ପିଲାମାନେ ଯେପରି କୌଣସି ପରିସ୍ଥିତିରେ ପାଠପଢ଼ାରୁ ବଞ୍ଚିତ ନହୁଅନ୍ତି ତାକୁ ଧ୍ୟାନ ଦେବାକୁ କୋର୍ଟ କହିଛନ୍ତି । ଏପରିକି ଘରୋଇ ସ୍କୁଲରେ ଯଦି ପିଲା ପାଠ ପଢୁଥିବ, ଶିକ୍ଷା ଅଧିକାର ଆଇନରେ ମାଗଣା ଶିକ୍ଷାଦାନ ବ୍ୟବସ୍ଥା ନେଇ ରାଜ୍ୟ ସରକାର ପଦକ୍ଷେପ ନେବେ । କୌଣସି ପରିସ୍ଥିତି ଏ ଦିଗରେ ଅବହେଳା ନକରିବାକୁ ଅଦାଲତ କହିଛନ୍ତି । ଉଲ୍ଲେଖଯୋଗ୍ୟ, କୋଭିଡ୍ ହେବା ଅଣକୋଭିଡ୍ ଅନାଥ ପିଲାମାନଙ୍କୁ ଖୋଜି ବାହାର କରିବା ସରକାରଙ୍କ ପାଇଁ ବଡ଼ ଆହ୍ୱାନ ହୋଇଛି ।






