ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଗତକାଲି ପିପିଲି ନିକଟରେ ସ୍ଥାପିତ ହସ୍ତିକା ହସ୍ତଶିଳ୍ପ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ଷ୍ଟାର୍ଟଅପ୍କୁ ଓଡ଼ିଆ ଯୁବକ ବିଶ୍ୱଜିତ ସ୍ୱାଇଁ ଆରମ୍ଭ କରି ବର୍ତ୍ତମାନ ୨୦ ଜଣ କୁଶଳୀ ଶିଳ୍ପୀଙ୍କ ଜରିଆରେ କଦଳୀ ପଟୁଆ, ସବାଇଘାସ ଓ ମଧୁର କାଠିରେ ବିଭିନ୍ନ ପ୍ରକାରର ସୌଖିନ ସାମଗ୍ରୀ ତିଆରି କରୁଛନ୍ତି, ଯାହାର ଏବେ ଦେଶବିଦେଶରେ ବହୁଳ ଭାବେ ଚାହିଦା ବଢ଼ୁଛି । ନିକଟରେ ଏହି ଷ୍ଟାର୍ଟଅପ୍ ଯୁକ୍ତରାଷ୍ଟ୍ର ଆମେରିକା ତା’ର କାରବାର କରିବା ପାଇଁ ହସ୍ତିକା ହ୍ୟାଣ୍ଡିକ୍ରାଫଫସ୍ ଏଲ୍ଏଲ୍ସି କମ୍ପାନୀ ଭାବେ ପଞ୍ଜୀକୃତ କରିଥିବା ଜଣାପଡ଼ିଛି । ସଚିବ ଏଠାରେ ତିଆରି ସାମଗ୍ରୀଗୁଡ଼ିକ ଦେଖି ଖୁସି ବ୍ୟକ୍ତ କରିଥିଲେ । ଆନ୍ତର୍ଜାତିକ ବଜାରରେ ନିଜର ପରିଚୟ ସୃଷ୍ଟି କରୁଥିବା ଏ ଧରଣର ଷ୍ଟାର୍ଟଅପ୍ଗୁଡ଼ିକୁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ତାଙ୍କ ସହ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଉଦୟ ନାରାୟଣ ଦାସ, ବିଭାଗର ଇଭାନ୍ଜେଲିଷ୍ଟ ସୁଶ୍ରୀ ସଂଯୁକ୍ତା ବଢ଼ାଇ ଏହି ହସ୍ତଶିଳ୍ପ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଥିଲେ ।






