କଟକ, (ବାଘୁଆବାର୍ତ୍ତା): କରୋନାରେ ସଂକ୍ରମିତ ହୋଇ ଗୁରୁତର ହୋଇ ପଡୁଥିବା ରୋଗୀମାନଙ୍କୁ ଏଣିକି ଏସ୍ସିବିରେ ମିଳିପାରିବ ଏକ୍ମୋ ଚିକିତ୍ସା। ଦୁଇଟି ଏକ୍ମୋ ମେସିନ୍ ଏସ୍ସିବି କାର୍ଡିଓଥୋରାସିସ୍ ବିଭାଗରେ ଆସି ପହଞ୍ଚିଛି। ବିଭାଗରେ ସମୁଦାୟ ୯ଟି ଏକ୍ମୋ ମେସିନ୍ ସ୍ଥାପନ କରାଯିବାର ବ୍ୟବସ୍ଥା ହୋଇଛି। ଇତିମଧ୍ୟରେ କାର୍ଡିଓଥୋରାସିସ୍ ବିଭାଗରେ ଗୋଟିଏପଟେ ଏକ୍ମୋ ମେସିନ୍ ସ୍ଥାପନ କାର୍ୟ୍ୟ ଚାଲିଥିବାବେଳେ ଅନ୍ୟପଟରେ ମେସିନ୍ କାର୍ୟ୍ୟକ୍ଷମ କରିବା ଓ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ପର୍ଫ୍ୟୁଜିଅନିଷ୍ଟ, ଇସିଜି ଟେକ୍ନିସିଆନ୍ ଆଦି ପଦରେ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆଗେଇ ଚାଲିଛି। ଆସନ୍ତା ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍ସିବିରେ ଏକ୍ମୋ ଚିକିତ୍ସାକୁ ଲୋକାର୍ପଣ କରିବାର କାର୍ୟ୍ୟକ୍ରମ ଥିବାରୁ ଡାକ୍ତରଖାନା ପକ୍ଷରୁ ସମସ୍ତ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ଏକ୍ମୋ ଚିକିତ୍ସା ସୁବିଧା ରାଜ୍ୟରେ ସରକାରୀ ମେଡିକାଲରେ କେଉଁଠାରେ ନଥିବାରୁ ବିଭିନ୍ନ ସମୟରେ ରୋଗୀମାନେ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଥିଲେ। ଅନ୍ୟପକ୍ଷରେ ରାଜ୍ୟ ବାହାରେ ଏକ୍ମୋ ଚିକିତ୍ସା ଅତିରିକ୍ତ ବ୍ୟୟବହୁଳ ଥିବାରୁ ସାଧାରଣ ରୋଗୀଙ୍କ ପକ୍ଷରେ ଏହା ଅସମ୍ଭବ ହୋଇପଡୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ରାଜ୍ୟରେ ଏକମୋ ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ବନ୍ଦୋବସ୍ତ କରୁଛନ୍ତି। ଉକ୍ତ ଚିକିତ୍ସା ପାଇଁ ପର୍ଫ୍ୟୁଜିଅନିଷ୍ଟ୍ ଏବଂ ଇସିଜି ଟେକ୍ନିସିଆନ୍ ପଦବି ପାଇଁ ନିକଟରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପର୍ଫ୍ୟୁଜିଅନିଷ୍ଟ୍ ପଦବି ଦରମାକୁ ନେଇ ଆବେଦନକାରୀମାନେ ଅସନ୍ତୁଷ୍ଟ ହେବାରୁ ପରବର୍ତ୍ତୀ ସମୟରେ ସେମାନଙ୍କ ଦରମା ବୃଦ୍ଧି କରାଯାଇଥିଲା। ମୋଟ ୭ଟି ପଦବିରୁ ଏବେ ୩ ଜଣ ପର୍ଫ୍ୟୁଜିଅନିଷ୍ଟ୍ ଚାକିରିରେ ଯୋଗ ଦେଇଥିବା ବେଳେ ଆହୁରି ୪ଟି ପଦବି ଫାଙ୍କା ପଡିଛି। ଏଥିଲାଗି ଏସ୍ସିବି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଉ ଥରେ ବିଜ୍ଞପ୍ତି ପ୍ରକାଶ କରାଯାଉଥିବା ସୂଚନା ମିଳିଛି। ସେହିପରି ୮ ଟି ଇସିଜି ଟେକ୍ନିସିଆନ୍ ପଦବିରୁ ପ୍ରାୟ ୨ ଜଣ କାର୍ୟ୍ୟରେ ଯୋଗ ଦେଇଥିବା ବେଳେ ଆହୁରି ୬ଟି ପଦବି ଏବେ ସୁଦ୍ଧା ଫାଙ୍କା ପଡିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି। ତେବେ ସବୁ ପଦବିରେ ନିଯୁକ୍ତି ପ୍ରକ୍ରିୟା ଖୁବ୍ ଶୀଘ୍ର ଶେଷ ହେବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।





