ଚନ୍ଦ୍ରଶେଖରପୁର, (ବାଘୁଆବାର୍ତ୍ତା): ଅନଲାଇନ କାରବାରକୁ ନେଇ ଫାଇଦା ଉଠାଉଛନ୍ତ ସାଇବାର ଠକ । ସାମାଜିକ ଗଣମାଧ୍ୟମରେ ମିଛ ବିଜ୍ଞାପନର ମୋହ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି । ଏମିତି ଏକ ଠକାମିର ଶିକାର ହୋଇଛନ୍ତ ଚନ୍ଦ୍ରଶେଖରପୁର ବିଡିଏ କଲୋନୀର ଆକାଶ ଗଡ଼ନାୟକ । ଅନଲାଇନରେ ହେଡ୍ ଫୋନ୍ କିଣୁଥିବା ବେଳେ ତାଙ୍କ ଆକାଉଣ୍ଟରୁ ୭୫ ହଜାର ଠକି ନେଇଛନ୍ତି ସାଇବର ଠକ । ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଆକାଶ ଅନଲାଇନ୍ ରେ କଲେଜର କ୍ଲାସ କରୁଥିବାରୁ ନୂଆ ହେଡ୍ ଫୋନର ଆବଶ୍ୟକତା ଥିଲା । ହେଡ୍ ଫୋନ୍ କିଣିବା ପାଇଁ ଗୁଡାଏ ସପିଂ ସାଇଟ୍ ଖୋଜା ଖୋଜି କରିଥିଲେ । ଏହି ସମୟରେ ଏକ ସପିଂ ସାଇଟ୍ରେ ହେଡ୍ ଫୋନ୍ ୫୦ ପ୍ରତିଶତ ରିହାତି ରହିଥିବା ଦେଖିବାକୁ ପାଇଥିଲେ । ସେଥିରୁ ୨ଟା ହେଡ୍ ଫୋନ୍ ବାଛିବା ପରେ ପେମେଣ୍ଟ କରିବାକୁ କୁହାଯାଇଥିଲା । ପ୍ରଥମେ ଆକାଶ ୧୨ ଶହ ଟଙ୍କା ପୂରଣ କରିବା ପରେ ତାଙ୍କ ମୋବାଇଲକୁ ଏକ ଓଟିପି ଆସିଥିଲା। ଓଟିପି ଦେବା ପରେ ସଙ୍ଗେ ସଙ୍ଗେ ତାଙ୍କ ଆକାଉଣ୍ଟରୁ ପ୍ରଥମେ ୧୫ ହଜାର ପରେ ଦୁଇଟା କିସ୍ତିରେ ୩୦ ହଜାର ଲେଖାଏଁ ଦୁଇ ଥର କଟି ଯାଇଥିଲା । ଏତେ ଟଙ୍କା କଟିଯିବା ପରେ ତାଙ୍କ ହୋସ୍ ଉଡିଯାଇଥିଲା । ସପିଂ ସାଇଟରେ ଦିଆଯାଇଥିବା ନମ୍ବରରେ ଫୋନ୍ କରିଥିଲେ । ହେଲେ ନମ୍ବର ସୁଇଚ୍ ଅଫ୍ ଆସିଥିଲା ।





