ସମ୍ବଲପୁର, (ବାଘୁଆବାର୍ତ୍ତା): ଶାସନ ଥାନା ଅଞ୍ଚଳରେ ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ ଘଟଣାରେ ଶାସନ ପୁଲିସ୍ ପ୍ରେମିକ ସମେତ ୩ ଯୁବକଙ୍କୁ ଗିରଫ କରିଛି । ଏହି ଘଟଣାରେ ଭିଡିଓ ରେକର୍ଡିଂ ହୋଇଥିବା ଓ ଭାଇରାଲ୍ରେ ବ୍ୟବହୃତ ୩ଟି ମୋବାଇଲ୍ ଫୋନ୍କୁ ମଧ୍ୟ ପୁଲିସ୍ ଜବତ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ପ୍ରେମିକ ତଥା ପିଥମପୁରର ସୁରେନ୍ଦ୍ର କୁମାର ବାଦୀ(୨୬), ବିଶାଳଖିଣ୍ଡା ଗ୍ରାମର ପୱଲ୍ ବାବା(୨୧) ଓ ପୌଲୁସ୍ ବାବା(୨୬) । ଉକ୍ତ ଭିଡିଓ ଦେଖିଥିବା ୨୬ ଜଣଙ୍କୁ ପୁଲିସ୍ ଅଟକ ରଖି ପୁଲିସ୍ ପଚରାଉଚରା ମଧ୍ୟ କରିଥିବା ଜଣାପଡ଼ିଛି । ପୁଲିସ୍ ପିଥମପୁରର ସୁରେନ୍ଦ୍ର ଜଣେ ଯୁବତୀଙ୍କୁ ଗତ ୯ ମାସ ହେବ ପ୍ରେମ କରୁଥିଲା । ଉଭୟଙ୍କ ମଧ୍ୟରେ ନିୟମିତ ଭାବେ ଭିଡିଓ କଲ୍ ଓ ଭିଡିଓ ଚାଟିଂ ବି ଚାଲିଥିଲା । ତେବେ ଏହାରି ମଧ୍ୟରେ ଉଭୟେ ବେଶ୍ ନିକଟତର ହୋଇଯିବା ସହ ଭିଡିଓ କଲ୍ରେ କଥାବାର୍ତ୍ତା କରୁଥିଲେ । ଏହି ସମୟରେ ସୁରେନ୍ଦ୍ର ହ୍ୱାଟସ୍ ଆପ୍ ଭିଡିଓ କଲ୍କୁ ନିଜ ମୋବାଇଲ୍ରେ ରେକର୍ଡ କରି ନେଉଥିଲା । ଯେଉଁଥିରେ ନିଜର ଓ ପ୍ରେମିକାର ନଗ୍ନ ଚିତ୍ର ରହିଥିଲା । ତେବେ ଗତ ୪ ତାରିଖରେ କିଛି ଯୁବକ ସୁରେନ୍ଦ୍ର ଓ ଉକ୍ତ ଯୁବତୀଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିପାରି ପଚାରିଥିଲେ । ସେମାନେ ସୁରେନ୍ଦ୍ରକୁ ଧମକଚମକ ଦେଇ ସୁରେନ୍ଦ୍ର ମୋବାଇଲ୍ରେ ରହିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ନିଜ ମୋବାଇଲ୍କୁ ନେଇ ଯାଇଥିଲେ । ଏହାପରେ ଉକ୍ତ ଭିଡିଓଗୁଡ଼ିକ ମୋବାଇଲ୍ରୁ ମୋବାଇଲ୍କୁ ଘୁରି ବୁଲିଥିଲା । ଏହି ଘଟଣା ସମ୍ପର୍କରେ ଯୁବତୀଜଣଙ୍କ ଜାଣିବା ପରେ ଗତ ୫ ତାରିଖରେ ଶାସନ ପୁଲିସ୍ର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସମୟରେ ଅଭିଯୁକ୍ତଙ୍କୁ ଗିରଫ କରିଛି ।





