ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପ୍ରେମରେ ପଡ଼ିଲେ ମଣିଷ ସବୁ ଭୁଲି ଯାଏ । ଏହି ଉକ୍ତିକୁ ଅନେକ ଶୁଣିଥିବେ, କିଛି ଦେଖିଥିବେ ଆଉ କିଛି ଅନୁଭବ କରିଥିବେ । ହେଲେ ଯଦି କାଳିଆ ଠାକୁରଙ୍କ ପ୍ରେମରେ ଜଣେ ପଡ଼ିଯାଏ ତେବେ କଥା ସରିଲା । କି ଦିନ କି ରାତି ସବୁ ଖାଲି କାଳିଆ କାଳିଆ ଦେଖାଯାଏ । ଏମିତି ମହାବାହୁ ଶ୍ରୀ ଜଗନ୍ନାଥଙ୍କ ପ୍ରେମରେ ପାଗଳ ହୋଇଛନ୍ତି ୨୬ ବର୍ଷୀୟା ପ୍ରିୟଙ୍କା ସାହାଣୀ । ରାତି ରାତି ଅନିଦ୍ରା ହୋଇ ସେ ଆଙ୍କୁଛନ୍ତି କଳାଠାକୁରଙ୍କ ଚିତ୍ର । ରଥଯାତ୍ରା ବେଳକୁ ବିଭିନ୍ନ ଜିନିଷରେ ମହାପ୍ରଭୁ ଜଗନ୍ନାଥଙ୍କ ୧୦୮ଟି ଚିତ୍ର ଆଙ୍କିବାକୁ ଚିନ୍ତା କରିଛନ୍ତି । ପ୍ରିୟଙ୍କା କୁହନ୍ତି ମୁଁ ପିଲାବେଳୁ ମହାଦେବଙ୍କୁ ଭଲ ପାଉଥିଲି । ଗତବର୍ଷ ପିତା ବିବେକାନନ୍ଦ ସାହାଣୀଙ୍କ ମୃତ୍ୟୁ ହୋଇଥିଲା । ପିତାଙ୍କ ଶେଷ ଇଚ୍ଛା ଥିଲା ମରିବା ପରେ ସ୍ୱର୍ଗଦ୍ୱାରରେ ତାଙ୍କ ଦାହ ସଂସ୍କାର ହେଉ । କୋଭିଡ୍ର କରାଳ ସ୍ଥିତିରେ ବି ବାପାଙ୍କ ଶେଷକୃତ୍ୟ ମହାପ୍ରଭୁଙ୍କ ଅଦୃଶ୍ୟ ଶକ୍ତି ଯୋଗୁ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେଲା । ଆଶ୍ଚର୍ୟ୍ୟର କଥା ବାପାଙ୍କ ଜୁଇ ସ୍ୱର୍ଗଦ୍ୱାରରେ ଜଳିବା ପରଦିନ ସ୍ୱର୍ଗଦ୍ୱାରରେ ଶବ ପୋଡା ଉପରେ ସରକାର ରୋକ୍ ଲଗାଇଲେ । ସେହି ଦିନଠାରୁ ଚକାଆଖି ପ୍ରତି ଗୋଟେ ଅଦୃଶ୍ୟ ସମ୍ପର୍କ ଯୋଡି ହୋଇଯାଇଛି । ବାପାଙ୍କ ଶେଷଇଚ୍ଛା ପୂରଣ ଲାଗି ବୋଧେ ମହାପ୍ରଭୁ ଏତେ ଦିନ ତାଙ୍କ ଶକ୍ତି ବଳରେ ସ୍ୱର୍ଗଦ୍ୱାର ଖୋଲା ରଖିଥିଲେ । ମହାପ୍ରଭୁଙ୍କୁ ମୁଁ ସେବେ ଅନୁଭବ କରିଥିଲି । ତାଙ୍କ ସହିତ ମୋର ମନ, ଶରୀର ଓ ଆତ୍ମା ସବୁ ଯୋଡି ଦେଇଛି । ଏଥର ରଥଯାତ୍ରାରେ ତାଙ୍କୁ କିଛି ଭେଟି ଦେବାକୁ ଚାହିଁଲି । ସୁନାବେଶରୁ ରଥ ଯାତ୍ରା ଭିତରେ ରଙ୍ଗ ତୂଳୀ ସହ ଭାବର ଠାକୁରଙ୍କୁ ଭାବ ଓ ପ୍ରେମରେ ୧୦୮ ଚିତ୍ର ଆଙ୍କିବାକୁ ଲକ୍ଷ୍ୟ ରଖିଛି । ମୁଁ ବେଙ୍ଗାଲୁରୁରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ୟ୍ୟ କରେ । ଦିନରେ ଅଫିସ ପରେ ରାତିରେ ସବୁ ସମୟ ମହାପ୍ରଭୁଙ୍କ ପାଇଁ ଉତ୍ସର୍ଗୀକୃତ କରିଦେଇଛି । ୩୫ଟି ଭିନ୍ନ ଭିନ୍ନ ଜିନିଷରେ ତିନିଠାକୁରଙ୍କ ଚିତ୍ର ଆଙ୍କିବାକୁ ଚେଷ୍ଟା କରିଛି ବୋଲି କହିଛନ୍ତି ପ୍ରିୟଙ୍କା । ସେ ବର୍ତ୍ତମାନ ଯାଏ ୮୪ଟି ଜିନିଷରେ ତିନିଠାକୁରଙ୍କୁ ଆଙ୍କି ସାରିଲେଣି । ଫୁଲ, ମଞ୍ଜି, ପତ୍ର, ବିସ୍କୁଟ ଓ ଚୁଇଙ୍ଗମ, ପଣସ ଓ ପଣସମଞ୍ଜି, କାନଫୁଲ, ପଙ୍ଖା ପରି ଅନେକ ଜିନିଷରେ ଜଗନ୍ନାଥ ମହାପ୍ରଭୁ ଜୀବନ୍ତ ଚିତ୍ର ଆଙ୍କବାରେ ସଫଳ ହୋଇଛନ୍ତି । ପ୍ରିୟଙ୍କାଙ୍କ ଘର କେନ୍ଦ୍ରପଡାରେ, ସେ ୭ବର୍ଷ ହେଲା ପରିବାର ସହ ଭୁବନେଶ୍ୱରରେ ରହୁଛନ୍ତି । ପ୍ରିୟଙ୍କା କୁହନ୍ତି ତିନିଠାକରଙ୍କୁ କୌଣସି ଥିରେ ଆଙ୍କିବା ପାଇଁ ଗୋଟିଏ ରାତି ସମୟ ଲାଗୁଛି । ବହୁ କଷ୍ଟ କରିବାକୁ ପଡ଼ୁଛି । ଦିନରେ ସମୟ ଦେଇ ପାରୁନଥିବାରୁ ରାତି ଅନିଦ୍ରା ହୋଇ ଚିତ୍ର ଆଙ୍କୁଛି । ତାଙ୍କ ପ୍ରେମରେ ପଡ଼ିଛି ବୋଲି ମୋତେ ବି ରାତି ଅନିଦ୍ରାର କଷ୍ଟ ଲାଗୁନି । ତାଙ୍କ ଆଶୀର୍ବାଦରେ ରଥଯାତ୍ରା ଭିତରେ ୧୦୮ ଚିତ୍ର ଆଙ୍କି ଦେଲେ ମୋ କଥା ରହିବ ।






