ଚନ୍ଦ୍ରଶେଖରପୁର, (ବାଘୁଆବାର୍ତ୍ତା): ରାଜଧାନୀରେ ପୁଣି ଅଲୋଡା ଶିଶୁପୁତ୍ର । ଗତକାଲି ରାତିରେ କେହି ଜଣେ ପଟିଆ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଥିବା ପାନ ଦୋକାନ ପାଖରେ ଏକ ଶିଶୁପୁତ୍ରକୁ ଛାଡି ଦେଇ ପଳାଇଯାଇଛି । ଇନଫୋସିଟି ଥାନା ପୁଲିସ ଶିଶୁଟିକୁ ଉଦ୍ଧାର କରି ଚାଇଲ୍ଡଲାଇନ୍କୁ ହସ୍ତାନ୍ତର କରିଛି । ଶିଶୁର ବୟସ ଦୁଇ ମାସ ହେବ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ ସୋମବାର ରାତି ପ୍ରାୟ ୧୦ଟା ସମୟରେ ଦୋକାନ ପାଖ ଦେଇ ଯାଉଥିବା ଜଣେ ବ୍ୟକ୍ତି ଏକ ଶିଶୁର କାନ୍ଦ ଶୁଣିବା ପରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଶିଶୁକୁ ଠାବ କରିଥିଲେ । ଏତିକିବେଳେ ପାଖରେ ରହୁଥିବା ଜଣେ ମହିଳା ଆସି ପିଲାଟିକୁ କୋଳାଇ ନେଇଥିଲେ । ସୂଚନା ପାଇ ପୁଲିସ ପହଞ୍ଚି ପିଲାଟିକୁ ଉଦ୍ଧାର କରିଥିଲା । ତେବେ ଶିଶୁପୁତ୍ରର କେହି ଦାବିଦାର ନଥିବାରୁ ଖଣ୍ଡଗିରିରେ ଥିବା ଚାଇଲ୍ଡ ଲାଇନକୁ ପଠାଇଥିଲା ପୁଲିସ । ଅନ୍ଧାରର ସୁଯୋଗ ନେଇ କେହି ପିଲାଟିକୁ ସେଠାରେ ଛାଡି ଦେଇ ଯାଇଛି କିମ୍ବା କିଏ ଅପହରଣ କରି ନେବା ପରେ ନେଇ ନପାରି ସେଠାରେ ଥୋଇଦେଇ ଚାଲିଯାଇଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି । ପୁଲିସ ଶିଶୁର ବାପା ମାଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଛି ।





