ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଅଗଷ୍ଟ ୩୧ ସୁଦ୍ଧା ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ସରିବ ପ୍ରଥମ ପର୍ୟ୍ୟାୟ ନାମଲେଖା । ସେହିପରି ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ପୂର୍ବରୁ ଥିବା ଛାତ୍ରଛାତ୍ରୀଙ୍କ କ୍ଲାସ୍ ସେପ୍ଟେମ୍ବର ୧ ତାରିଖ ପୂର୍ବରୁ ଆରମ୍ଭ କରିବାକୁ ପଡିବ । ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ ବା ଏଆଇସିଟିଇ ପକ୍ଷରୁ ଜାରି କରାଯାଇଥିବା ସଂଶୋଧିତ ଏକାଡେମିକ କ୍ୟାଲେଣ୍ଡରରେ ଏହି ସୂଚନା ଦିଆଯାଇଛି । ଚଳିତ ମାସ ୧୮ ତାରିଖରେ ଏଆଇସିଟିଇର ସଦସ୍ୟ ସଚିବ ପ୍ରଫେସର ରାଜୀବ କୁମାର ଏହି ସୂଚନା ଦେଇଛନ୍ତି । ତେବେ ପାଠପଢ଼ା ଅନଲାଇନ୍/ଅଫଲାଇନ୍ କିମ୍ବା ବ୍ଲେଣ୍ଡେଡ୍ ମୋଡ୍ରେ ପଢ଼ାଯିବ । କରୋନା ଗାଇଡଲାଇନ୍ ପାଳନ କରି ପାଠ ପଢ଼ାଯିବ । ଏଆଇସିଟିଇ ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ଦ୍ୱାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମ ପାଳନ କରି ପଦକ୍ଷେପ ନେବାକୁ କୁହାଯାଇଛି । ଅନୁମୋଦନ ନଥାଇ ନାମ ଲେଖୁଥିବା ଶିକ୍ଷାନୁଷ୍ଠାନଗୁଡିକ ବିରୋଧରେ କଡା ପଦକ୍ଷେପ ନିଆଯିବ ବୋଲି ପ୍ରଫେସର କୁମାର କହିଛନ୍ତି । ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକୁ ଚଳିତ ମାସ ୩୦ ତାରିଖ ସୁଦ୍ଧା ଏଆଇସିଟିଇ ଅନୁମୋଦନ ପ୍ରଦାନ କରିବ । ସେହିପରି ବିଶ୍ୱବିଦ୍ୟାଳୟ କିମ୍ବା ବୋର୍ଡଗୁଡିକ ଜୁଲାଇ ୧୫ ତାରିଖ ସୁଦ୍ଧା ସ୍ୱୀକୃତି ପ୍ରଦାନ କରିପାରିବେ । ସେପ୍ଟେମ୍ବର ୯ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ସରିବ । ୧୦ ତାରିଖ ସୁଦ୍ଧା ସମସ୍ତ ଫି’ ଫେରସ୍ତ ନେଇ ନାମଲେଖା ପ୍ରତ୍ୟାହାର କରିହେବ । ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ବଳକା ସିଟ୍ରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନାମଲେଖା ସରିବା ସହିତ କ୍ଲାସ୍ ଆରମ୍ଭ ହେବ । ୨୦ ତାରିଖ ସୁଦ୍ଧା ଲାଟେରାଲ୍ ଏଣ୍ଟ୍ରି ଛାତ୍ରଛାତ୍ରୀଙ୍କର ଦ୍ୱିତୀୟବର୍ଷରେ ନାମଲେଖା ସରିବ ବୋଲି ସଂଶୋଧିତ ଗାଇଡଲାଇନ୍ରେ ଉଲ୍ଲେଖ କରାଯାଇଛି ।






