କୋରାପୁଟ, (ବାଘୁଆବାର୍ତ୍ତା): କୋରାପୁଟ ପୁଲିସକୁ ମିଳିଥିବା ସଫଳତା । ଏକ ଗାଡି ଚୋର ରାକେଟକୁ ଧରିବାରେ ସଫଳ ହୋଇଛି । ଚୋରଦଳଙ୍କ ଠାରୁ ୧୫ଟି ବାଇକ୍ ଉଦ୍ଧାର କରି କୋରାପୁଟ ଟାଉନ ଥାନା ପୁଲିସ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଗିରଫମାନେ ହେଲେ କୋରାପୁଟ ଟାଉନ ଥାନା ପୁଜାରିପୁଟର ଚନ୍ଦନ ବଢ଼େଇ,ଜୟପୁର ସଦର ଥାନା ସଉରାଗୁଡ଼ା ଗ୍ରାମର ରିଙ୍କୁ ପଟ୍ଟନାୟକ ଓ ସଳପା ଗ୍ରାମର ସନ୍ତୋଷ କୁମାର ସିଂ ବୋଲି କୋରାପୁଟ ଏସଡ଼ିପିଓ ଗୁଣନିଧି ମଲିକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସୂଚନାମୁତାବକ, କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପରିସରରୁ ଗତ ମେ ମାସ ୨୭ ତାରିଖରେ ଏକ ବାଇକି ଚୋରି ନେଇ କୋରାପୁଟ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତିକରି ପୁଳିସ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ସହରରେ ଗାଡ଼ିଚୋରି ଘଟଣାକୁ ନେଇ ଆଉ ୩ଟି ମାମଲା ଥାନାରେ ରୂଜୁ ହୋଇଥିଲା । ଗାଡ଼ି ଚୋରି ଘଟଣାକୁ ପୁଲିସ ଗୁରୁତରଭାବେ ନେଇ ଚୋର ମାନଙ୍କୁ ଧରିବା ପାଇଁ କୋରାପୁଟ ଟାଉନ ଥାନା ଆଇଆଇସି ଧିରେନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା । ଏହି ଗାଡ଼ି ଚୋରୀ ଘଟଣାର ମୁଖ୍ୟ ଅଭିଯୁକ୍ତ କୋରାପୁଟ ସହର ପୁଜାରୀପୁଟ ସାହିର ଅଜିତ କୁମାର ପାଣିଗ୍ରାହୀକୁ ପୁଲିସ ପ୍ରଥମରେ ଗତ ୧୬ ତାରିଖରେ ଗିରଫ କରି କୋର୍ଟ ଚାଲଣ କରିଥିଲା । ଅଜିତ ଠାରୁ ଗାଡ଼ି ଚୋରି ସମ୍ପର୍କରେ ପୁଲିସ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲା । ଅଜିତର ସୂଚନାକୁ ଆଧାର କରି ପୁଲିସ ତଦନ୍ତ ପକ୍ରିଆକୁ ଅଧିକ ତ୍ୱରାନ୍ୱିତ କରି ଆଜି ଅନ୍ୟ ୩ଜଣଙ୍କୁ ଗିରଫ କରିଛି । ଏନେଇ ଟାଉନ ଥାନାରେ ୧୩୩/୨.୧୩୭/୨୧,୧୪୩/୨୧ ଓ ୧୪୪/୨୧ ଏହିପରି ୪ଟି ମାମଲା ରୁଜୁକରି ଅଭିଯୁକ୍ତ ମାନଙ୍କୁ ଆଜି ଗିରଫ କରି କୋର୍ଟ ଚାଲଣ କରିଥିବା ଏସଡ଼ିପିଓ କହିଛନ୍ତି । ସାମ୍ବାଦିକ ସମ୍ମିଳନୀ ଅବସରରେ କୋରାପୁଟ ଟାଉନ ଥାନା ଆଇଆଇସି ଧିରେନ ପଟ୍ଟନାୟକ,ସବଇନ୍ସପେକ୍ଟର ଚିତରଞ୍ଜନ ପ୍ରଧାନୀ,ସୁଦର୍ଶନ ଅଧିକାରୀ,ଜେ.ସେଲମା ପ୍ରମୁଖ ଉପସ୍ଥିତ ଥିଲେ ।






