ନବରଙ୍ଗପୁର, (ବାଘୁଆବାର୍ତ୍ତା): ଲିଫ୍ଟ ଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ । ଏହାସହ ମହିଳାଙ୍କ ବ୍ୟାଗ୍ରୁ ଏଟିଏମ୍, ମୋବାଇଲ୍ ଓ ୫ ହଜାର ଟଙ୍କା ଝାମ୍ପି ନେଇଛି ଅଜଣା ଯୁବକ । କୌଶଳକ୍ରମେ ଯୁବକଙ୍କ କବଳରୁ ଖସି ଆସି ୭ କିମି ଦୂର ଚାଲି ଚାଲି ନବରଙ୍ଗପୁର ଫେରିଥିଲେ ମହିଳା । ଘଟଣା ସମ୍ପର୍କରେ ନବରଙ୍ଗପୁର ଥାନାରେ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଏହି ମହିଳାଙ୍କ ରାଇଘର ବ୍ଲକ୍ ସୋନ୍ପୁରରେ । ସ୍ୱାମୀଙ୍କ ୪ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଛି । ଗୋଟିଏ ପୁଅ ଓ ଗୋଟିଏ ଝିଅ । ମୂଲ ଲାଗି ପରିବାର ଚଳାଉଥିଲେ । କୌଣସି କାମରେ ଅଞ୍ଚଳଗୁମା ଯାଇ ଫେରିବା ବେଳେ ଯାନବାହନ ନ ଥିବାରୁ ଅଞ୍ଚଳଗୁମାର ଜଣେ ବୃଦ୍ଧ ଲୋକ ସେହି ଗାଁର ଜଣେ ଯୁବକଙ୍କୁ ବାଇକ୍ରେ ନବରଙ୍ଗପୁର ପର୍ୟ୍ୟନ୍ତ ଲିଫ୍ଟ ଦେବାକୁ କହିଥିଲେ । ଯୁବକ ଜଣକ ମହିଳାଙ୍କୁ ଲିଫ୍ଟ ଦେବାକୁ କହି ନବରଙ୍ଗପୁରଠାରୁ ପ୍ରାୟ ୭ କିମି ଦୂର ଏକ ଜଙ୍ଗଲକୁ ନେଇ ଯାଇଥିଲା । ସେଠାରେ ମହିଳାଙ୍କୁ ଅସଦାଚରଣ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା । ମହିଳା ଜଣଙ୍କ ସେଠାରୁ ଖସି ଆସି ନବରଙ୍ଗପୁର ଥାନା ଅଧିକାରୀ ତାରେକ୍ ଅହମ୍ମଦ ଏବଂ ଏସ୍ଆଇ କ୍ଷୀରସିନ୍ଧୁ ସାହୁଙ୍କୁ ଅଭିଯୋଗ କରିଛନ୍ତି । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।






