ନୟାଗଡ଼ (ବାଘୁଆବାର୍ତ୍ତା ବ୍ୟୁରୋ) ଏ ଦୁନିଆରେ ପ୍ରତ୍ୟେକ ଜୀବ ପରସ୍ପର ନିର୍ଭରଶୀଳ, ପ୍ରାକୃତିକ ପରିବେଶରେ ପ୍ରତ୍ୟେକ ଜୀବ ବଞ୍ଚିବାର ଓ ବଢ଼ିବାର ଅଧିକାର ପାଇଛନ୍ତି । ବର୍ତ୍ତମାନ ଆମ ଚାରିପାଖରେ ଦୃଶ୍ୟ, ଅଦୃଶ୍ୟ ପ୍ରତ୍ୟେକ ଜୀବର ଅବକ୍ଷୟ ଦେଖାଦେଇଛି । ବିଶେଷକରି ଗଛଲତା ଓ ଜୀବଜନ୍ତୁମାନଙ୍କର ଦୃଢ଼ ଅବକ୍ଷୟ ବଢିଚାଲିଛି, ମାତ୍ର ପୃଥିବୀରେ ଜନସଂଖ୍ୟା ଦୃତ ବଢିଚାଲିଛି । ପରିବେଶର ସନ୍ତୁଳନ ରକ୍ଷା ହିଁ ବାସ୍ତବ ପରିବେଶ ସୁରକ୍ଷା, ପୃଥିବୀରେ ପିମ୍ପୁଡିଠାରୁ ଆରମ୍ଭ କରି ହାତୀ ପର୍ଯ୍ୟନ୍ତ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ଏହି ପରିପ୍ରେକ୍ଷୀରେ ମହୁମାଛିର ଆବଶ୍ୟକତାକୁ ଉପଲବ୍ଧି କରି ୨୦୦୯ ମସିହାରୁ ମେ ୨୦ ତାରିଖକୁ “ବିଶ୍ୱ ମହୁମାଛି ଦିବସ’ ରୂପେ ପାଳନ କରାଯାଉଛି । “ଗ୍ରୀନ୍ ଆର୍ଥ’ ଏହି ମହୁମାଛି ଦିବସକୁ ଏକ ନିଆରା ଢଙ୍ଗରେ ନୟାଗଡ଼ର ନାରାୟଣ ପାର୍କ ଠାରେ ପାଳନ କରିଛି । ଏହି କାର୍ଯ୍ୟକ୍ରମରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ସହରର ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ । ମହୁମାଛିଙ୍କ ପ୍ରତି ସୁରକ୍ଷା ଦେବାକୁ ସବୁଜିମା ସୃଷ୍ଟି କରିବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ମହୁମାଛି ପରିବେଶ ସୁରକ୍ଷା, ଜୈବ ବିବିଧତା, କୃଷି, ଖାଦ୍ୟ ସୁରକ୍ଷା ଇତ୍ୟାଦି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ବୋଲି ମତ ରଖିଥିଲେ । ଏହି ସହିତ ଗ୍ରୀନ୍ ଆର୍ଥ ତରଫରୁ କିଛି ଫଳଗଛ ରୋପଣ କରାଯାଇଥିଲା ।





