ବେଗୁନିଆ, (ବାଘୁଆବାର୍ତ୍ତା): ବେଗୁନିଆ ବ୍ଳକ ଦୁର୍ଗାପୁର ପଞ୍ଚାୟତ ଗୁଡ଼ୁମ୍ ଗ୍ରାମ ଗୋପାଳପୁର ସାହିର ୪ ବର୍ଷର ବିସ୍ମୟ ବାଳକ ସାଇସାଗର ବରାଳ । ବୟସ ଛୋଟ ମାତ୍ର ବଡ଼ ସାହସ । ଯେଉଁ ଗଭୀର ଜଳକୁ ଦେଖିଲେ ବଡ଼ଲୋକ ଭୟ କରନ୍ତି ସେହି ପାଣିରେ ଘଣ୍ଟା ଘଣ୍ଟା ସନ୍ତରଣ କରୁଛନ୍ତି ସାଇ । ଏହାକୁ ଦେଖି ସମସ୍ତେ ଚକିତ ହେଉଛନ୍ତି । ସାଇସାଗର ହେଉଛନ୍ତି କୃପାସିନ୍ଧୁ ବରାଳଙ୍କର ଏକମାତ୍ର ପୁଅ । ଏ ପର୍ୟ୍ୟନ୍ତ ଭଲରେ କଥା କହିପାରୁନାହାନ୍ତି । ସେ ବିନା ସହାୟତାରେ ଗଭୀର ଜଳରେ ଘଣ୍ଟା ଘଣ୍ଟା ସନ୍ତରଣ କରନ୍ତି । ଖାଲି ସନ୍ତରଣ କରନ୍ତି ତାହା ନୁହେଁ ଉଚ୍ଚ ସ୍ଥାନରୁ ପୋଖରୀର ଗଭୀର ଜଳକୁ ଲମ୍ପ ମାରିଥାନ୍ତି । ତାଙ୍କ ସହ ସନ୍ତରଣ ପ୍ରତିଯୋଗିତାରେ ଯୁବକମାନେ ହାର ମାନୁଥିବା ଜଣାପଡ଼ିଛି । ସାଇସାଗରଙ୍କ ଏଭଳି ପ୍ରତିଭା ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଡ଼ନ ସୃଷ୍ଟି କରିଛି । ବାପା କୃପାସିନ୍ଧୁଙ୍କ କହିବା କଥା ସାଇସାଗର ଅନେକ ସମୟ ତାଙ୍କ ସହିତ ଏବଂ ପରିବାର ଲୋକଙ୍କ ସାଙ୍ଗରେ ପୋଖରୀକୁ ଗାଧୋଇବା ପାଇଁ ଆସନ୍ତି । ଉକ୍ତ ସମୟରେ ପାଣିକୁ ଦେଖିବା ପରେ ତାଙ୍କ ମନରେ ସନ୍ତରଣ ନେଇ ବେଶ୍ ଆଗ୍ରହ ହୋଇଥିଲା । ଅନ୍ୟ ପିଲାମାନଙ୍କ ସନ୍ତରଣ ଦେଖିବା ପରେ ସେ ବିନା ତାଲିମ୍ରେ ଗଭୀର ଜଳରେ ସନ୍ତରଣ ଆରମ୍ଭ କରିଥିଲେ । ବର୍ତ୍ତମାନ ପାଣି ଦେଖିବା ମାତ୍ରେ ସେଥିରେ ସନ୍ତରଣ କରିବାକୁ ଆଗ୍ରହୀ ହେଉଛନ୍ତି । ସନ୍ତରଣ ସହ ସାଇକେଲ ଚଳାଇବା ଓ ପାଠ ପଢିବା କ୍ଷେତ୍ରରେ ମଧ୍ୟ ତାଙ୍କ ମନରେ ଆଗ୍ରହ ରହିଛି । ଏତେ କମ୍ ବୟସରେ ସାଇସାଗର ପୁଲିସ ହେବାକୁ ସ୍ୱପ୍ନ ଦେଖୁଛନ୍ତି । ଗ୍ରାମବାସୀ ଓ ପରିବାର ଲୋକ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ସାଇସାଗରକୁ ଆବଶ୍ୟକ ତାଲିମ ଓ ପ୍ରୋତ୍ସାହନ ଆବଶ୍ୟକ । ଯଦି ରାଜ୍ୟ ସରକାର ଏହା ଯୋଗାଇବାରେ ଆନ୍ତରିକତା ପ୍ରକାଶ କରିବେ ତାହା ହେଲେ ବିସ୍ମୟ ବାଳକ ସାଇ ଦିନେ ଓଡ଼ିଶା ପାଇଁ ଗୌରବ ଆଣିବ ।





