ଜଳେଶ୍ୱର, (ବାଘୁଆବାର୍ତ୍ତା): କଟକ ଓ ବାଲେଶ୍ୱର ଜିଲ୍ଲାରୁ ୨ କେଜିରୁ ଅଧିକ ବ୍ରାଉନ୍ସୁଗର୍ ଜବତ ହୋଇଛି । ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । କଟକ ମଧୁପାଟଣା ଥାନା ଅଞ୍ଚଳରୁ ପ୍ରାୟ ଏକ କେଜି ୧୨୦ ଗ୍ରାମ୍ ଓଜନର ବ୍ରାଉନସୁଗରକୁ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ । ପୁଲିସ ୩ କୁଖ୍ୟାତ ନିଶା ବେପାରୀଙ୍କୁ ଗିରଫ କରିଛି । ସେହିପରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଚଢ଼ଉ କରି ଏସ୍ଟିଏଫ୍ ଟିମ୍ ଏକ କେଜିରୁ ଅଧିକ ବ୍ରାଉନ୍ସୁଗର୍ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । କଟକ ମଧୁପାଟଣା ଥାନା ତିନିଘରିଆ ନିକଟ ଆମ୍ବବଗିଚା ପାଖରେ ବ୍ରାଉନ୍ସୁଗର ବେପାର କଲା ବେଳେ ତିନି ନିଶା ବେପାରୀଙ୍କୁ କାବୁ କରିଛି ପୁଲିସ୍ । ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ଓହଳ ଗାଁର ଗୁଲ୍ସର ଓରଫ ସେକ୍ ଗୁଲସର୍ଉଦ୍ଦିନ, ଲାଲାସାହିର ପପୁ ଓରଫ ସୌଭାଗ୍ୟ ରଂଜନ ସିଂହ ଓ ମର୍କଣ୍ଡପୁରର ଲିପୁ ବେହେରା । ଅଭିଯୁକ୍ତମାନଙ୍କଠାରୁ ଏକ ପ୍ଲାଟିନା ବାଇକ୍, ୧୭ହଜାର ୩୦୦ ଟଙ୍କା ଓ ୪ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ ହୋଇଛି । ଏହି ନିଶା ବେପାର ରାକେଟ୍ ଓ ଏହାର ମାଷ୍ଟରମାଇଣ୍ଡ୍କୁ ଧରିବା ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ବୁଧବାର ଅର୍ଥାତ୍ ଜୁନ୍ ୨ ତାରିଖ ଅପରାହ୍ନ ୨ଟା ହେବ । ମଧୁପାଟଣା ଥାନା ପୁଲିସକୁ ସୂଚନା ମିଳିଲା କି ତିନି ଜଣ ନିଶା ବେପାରୀ ତିନିଘରିଆ ଆମ୍ବବଗିଚା ପାଖରେ ବେପାର ପାଇଁ ଏକାଠି ହୋଇଛନ୍ତି । କଟକର କିଛି ନିଶା ବେପାରୀଙ୍କୁ ଧଳାଜହର ବା ବ୍ରାଉନସୁଗର ବିକିବା ପାଇଁ ସେମାନେ ସେଠାରେ ଅପେକ୍ଷା କରିଛନ୍ତି । ଏହି ସୂଚନା ଆଧାରରେ ପୁଲିସ ଟିମ୍ ସେଠାରେ ଚଢ଼ଉ କଲା । ଚଢଉରେ ତିନି ଅଭିଯୁକ୍ତ ଧରାପଡ଼ିବା ସହିତ ସେମାନଙ୍କଠାରୁ ୧୧ଟି ପଲିଥିନ୍ ପ୍ୟାକେଟ୍ ଜବତ ହେଲା । ପରେ ସେଗୁଡ଼ିକ ଯାଞ୍ଚ୍ କରିବାରୁ ସେଥିରୁ ମୋଟ୍ ୧ କେଜି ୧୨୦ ଗ୍ରାମ୍ ବ୍ରାଉନ୍ସୁଗର୍ ମିଳିଲା । ଯାହାର ବଜାର ମୂଲ୍ୟ ପ୍ରାୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ । ଏଥି ସହିତ ଅଭିଯୁକ୍ତ ଠାରୁ ବାଇକ୍, ଟଙ୍କା ଓ ଫୋନ୍ ବି ଜବତ ହୋଇଛି । ଗିରଫ ପରେ ଅଧିକ ଜେରା କରିବାରୁ ପୁଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଅଭିଯୁକ୍ତମାନେ ବାଲେଶ୍ୱରର ଜଳେଶ୍ୱରରୁ ବହୁ ପରିମାଣର ବ୍ରାଉନସୁଗର କିଣି ଆଣନ୍ତି । ସେମାନେ କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଭଳି ଜିଲ୍ଲାରେ ତାହାକୁ ବିକ୍ରି କରନ୍ତି । ଏକ ବଡ଼ ନିଶା କାରବାର ର୍ୟା କେଟ୍ ଜରିଆରେ ଏହି ବେପାର ଚାଲିଥାଏ । ଏଥିରେ ବହୁ ଯୁବକ ଜଡ଼ିତ ଅଛନ୍ତି । ଏହାର ଜଣେ ମାଷ୍ଟରମାଇଣ୍ଡ ମଧ୍ୟ ଅଛି । ତେଣୁ ର୍ୟାିକେଟ୍ର ଅଧିକ ସଦସ୍ୟ ଓ ମାଷ୍ଟରମାଇଣ୍ଡ୍କୁ ଧରିବା ପାଇଁ ଏସିପି ସ୍ପେସାଲ୍ ସ୍କ୍ୱାଡ୍ଙ୍କ ଅଧିନରେ ଏକ ଟିମ୍ ଗଠନ କରାଯାଇଛି । ସେହି ଟିମ୍ ଏବେ ଘଟଣା ନେଇ ତନାଘନା ଜାରି ରଖିଛି । ଅନ୍ୟପଟେ ନିଶା ବେପାର ବିରୋଧରେ କଟକ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଅଭିଯାନରେ ଦିନକୁ ଦିନ ଭଲ ସଫଳତା ମିଳୁଛି । ଚଳିତ ବର୍ଷ ଜାନୁଆରୀରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏଯାବତ ୩ କେଜିରୁ ଅଧିକ ଓଜନର ବ୍ରାଉନସୁଗର ଧରାପଡ଼ିଲାଣି । ସେହିପରି ପ୍ରାୟ ୨୪ ଜଣ ନିଶା ବେପାରୀ ମଧ୍ୟ ଧରାପଡ଼ିଲେଣି । ସାଧାରଣ ଲୋକଙ୍କ ସହଯୋଗ ରହିଲେ ସହରରୁ ଏହି ବେପାରକୁ ସମୂଳେ ନିପାତ କରିହେବ ବୋଲି ଡିସିପି ଶ୍ରୀ ସିଂହ କହିଛନ୍ତି । ଏପରିକି ସହରବାସୀ ଏହି ନିଶା ବେପାର ବିଷୟରେ କିଛି ସୂଚନା ପାଇଲେ ତୁରନ୍ତ ପୁଲିସକୁ ଜଣାଇବା ପାଇଁ ସେ ଅନୁରୋଧ କରିଛନ୍ତି । ସେହିପରି ଗୁରୁବାର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ନିକଟରୁ ଏକ କେଜିରୁ ଅଧିକ ବ୍ରାଉନସୁଗର ଏସ୍ଟିଏଫ ଟିମ୍ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟିରୁ ଅଧିକ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଥାନା ସେଠାରୁ ମାତ୍ର ୧ ଶହ ମିଟର ଏବଂ ଅବକାରୀ କାର୍ୟ୍ୟାଳୟ ମାତ୍ର ୫୦ ମିଟର ଦୂରରେ ରହିଛି । ପୂର୍ବରୁ ନିର୍ଦ୍ଦିଷ୍ଟ ଗୋଷ୍ଠୀର ମାଫିଆମାନେ ଏହି କାରବାର କରୁଥିବା ବେଳେ ଏବେ ଛୋଟ ପିଲା ଓ ମହିଳାମାନଙ୍କ ଦ୍ୱାରା ଏହି ବ୍ୟବସାୟ ଚାଲିଛି । ଗୁରୁବାର ମଧ୍ୟାହ୍ନ ୧ଟା ୩୦ରେ ଜଳେଶ୍ୱର ଥାନାଠାରୁ ଅଳ୍ପ ଦୂର ଚୈତନ୍ୟ ସାହୁ ଛକ ନିକଟସ୍ଥ ଶ୍ରୀଦୁର୍ଗା ଇଲେକ୍ଟ୍ରିକାଲ ଦୋକାନ ଗୃହ ମଧ୍ୟରେ ବେପାରୀଙ୍କୁ ବ୍ରାଉନସୁଗର ଦେବା ବେଳେ ଭୁବନେଶ୍ୱରରୁ ଆସିଥିବା ଏସଟିଏଫ ଟିମ୍ ୧ ଜେଜିରୁ ଅଧିକ ବ୍ରାଉନସୁଗର ଜବତ କରିଛି । ବିକ୍ରି କରୁଥିବା ଯୁବକ ଓ ବେପାରୀକୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଜଳେଶ୍ୱର ବ୍ଲକ ଝାଡ଼େଶ୍ୱରପୁର ଗ୍ରାମର ଶେଖ୍ ସାହବଜାନ, ପଥରପୁରା ଗ୍ରାମର ପିଣ୍ଟୁ ସାହୁ ଓ କୁନା ଦାସ । ଗିରଫ ବ୍ୟକ୍ତିମାନଙ୍କୁ ଏସଟିଏଫ୍ ଟିମ୍ ଭୁବନେଶ୍ୱର ନେଇଯାଇଥିବା ଜଣାଯାଇଛି । ଏସଟିଏଫ୍ ଟିମ୍ ଚଢ଼ଉରେ ଜଳେଶ୍ୱର ପୁଲିସ ସମେତ ଅତିରିକ୍ତ ତହସିଲଦାର ଶାନ୍ତିରାମ ହେମ୍ବ୍ରମ, ସଦର ଆରଆଇ ମାନସ ବେହେରା ପ୍ରମୁଖ ସହଯୋଗ କରିଥିଲେ । ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ରାଉନସୁଗର କାରବାରର ହଟସ୍ପଟ୍ ପାଲଟିଛି । ଏଠାକୁ ଏହି ମାଦକ ଦ୍ରବ୍ୟ ବାଂଲାଦେଶ ତଥା କୋଲକାତାରୁ ଆସୁଛି । ଜଳେଶ୍ୱରରେ ବ୍ରାଉନସୁଗର ଗଚ୍ଛିତ ରହିବା ପରେ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଛି । ତେବେ ବିଭିନ୍ନ ସୂତ୍ରରୁ ଖବର ପାଇ ଏସ୍ଟିଏଫ ଟିମ୍ ଜଳେଶ୍ୱରରେ ଚଢ଼ଉ କରି ସଫଳତା ପାଉଥିବା ବେଳେ ସ୍ଥାନୀୟ ଅବକାରୀ ବିଭାଗ କିମ୍ବା ପୁଲିସ ଟେର ପାଉନି କାହିଁକି ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।






