ମୁମ୍ବାଇ (ବାଘୁଆବାର୍ତ୍ତା): ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଜୁନ ୧୪ ତାରିଖରେ ହେବ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଏହା ପୂର୍ବରୁ ତାଙ୍କ ତଥା କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ତାଙ୍କ ଇନ୍ଷ୍ଟାଗ୍ରାମରେ ପୋଷ୍ଟ ସେଆର କରିଛନ୍ତି, ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଗତ କିଛି ଦିନ ହେବ ସେ ନିଜ ପ୍ରଶଂସକ ଏବଂ ଶୁଭଚିନ୍ତକଙ୍କ ସହ ପୁଣି ଥରେ ଯୋଡି ହେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏହା ଭିତରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ନୋଟ୍ ଲେଖିଛନ୍ତି। ସେ କହିଛନ୍ତି, ‘ବଡ ଯନ୍ତ୍ରଣାରୁ ବଡ ଶକ୍ତି ମିଳିଥାଏ। ଆପଣଙ୍କୁ କେବଳ ବିଶ୍ୱାସ ରଖିବାକୁ ପଡିବ। ସେଠାରେ ଅଟକିବାକୁ ପଡିବ । ରିଆଙ୍କ ଏହି ପୋଷ୍ଟରେ ଏବେ ତାଙ୍କ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲେବ୍ରିଟିମାନେ ମଧ୍ୟ କମେଣ୍ଟ କରିବାରେ ଲାଗିଛନ୍ତି । ଆସନ୍ତା ଜୁନ୍ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହେବ। ଗତବର୍ଷ ଜୁନ୍ ୧୪ ତାରିଖରେ ସୁଶାନ୍ତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁକୁ ନେଇ ପରେ ବିବାଦ ଘନେଇଥିଲା। ତାଙ୍କ ମୃତ୍ୟୁକୁ ନେଇ ଡ୍ରଗ୍ସ କାରବାର କଥା ମଧ୍ୟ ଉଠିଥିଲା। ଏହି ମାମଲାରେ ପୁଲିସ ଅଭିନେତ୍ରୀ ରିଆ ଏବଂ ତାଙ୍କ ଭାଇ ସୌଭିକଙ୍କୁ ଗିରଫ କରିଥିଲା। କିଛି ଦିନ ଜେଲ୍ ଭିତରେ ରହିବା ପରେ ଏବେ ରିଆ ଜାମିନରେ ଘରକୁ ଫେରି ସାଧାରଣ ଜୀବନ ବିତାଉଛନ୍ତି।






