ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଫେସବୁକରେ ଆରମ୍ଭ ହୋଇଥିଲା ଦୋସ୍ତି । ଧୀରେ ଧୀରେ ନିବିଡ ହେଲା ସମ୍ପର୍କ ଆଉ ଗଢ଼ି ଉଠିଥିଲା ପ୍ରେମ । ହେଲେ କିଏ ଜାଣିଥିଲା ଦିନେ ସଂସାର କରିବାକୁ କଥା ଦେଇଥିବା ପ୍ରେମିକ ପାଲଟିବ ପିଶାଚ । ବିବାହ ପ୍ରଲୋଭନ ଦେଖାଇ ନିଜ ଗାଁକୁ ଡାକି ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ ୨୮ ଜଣ ଅଭିଯୁକ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀର ଜଣେ ଯୁବତୀଙ୍କ ସହ । ଦିଲ୍ଲୀର ଜଣେ ଯୁବତୀଙ୍କ ସହ ଫେସବୁକରେ ହସନପୁର ଥାନା ଅଞ୍ଚଳର ରାମଗଢ଼ ନିବାସୀ ସାଗରଙ୍କ ଦୋସ୍ତି ହୋଇଥିଲା । ଏହାପରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସାଗର ଯୁବତୀଙ୍କୁ ତାଙ୍କ ପରିବାର ସହ ଦେଖା କରାଇବାକୁ ନିଜ ଗାଁକୁ ଡାକିଥିଲେ । ହେଲେ ପ୍ରେମିକାକୁ ଗାଁକୁ ଡାକି ଷଡଯନ୍ତ୍ର ରଚିଥିଲା ପିଶାଚ ପ୍ରେମିକ । ଯୁବତୀ ଜଣଙ୍କ ହୋଡଲ ଗ୍ରାମରେ ପହଞ୍ଚିଥିଲେ । ହେଲେ ଘର ଲୋକଙ୍କୁ ଦେଖା କରାଇବା ବଦଳରେ ଗାଁ ନିକଟରେ ଥିବା ଜଙ୍ଗଲ ଭିତରକୁ ଡାକି ନେଇଥିଲା । ସେଠାରେ ସାଗର ଭାଇ ସମେତ ୨୨ ଜଣ ଲୋକ ଯୁବତୀଙ୍କ ସହ ସାମୂହିକ ଗଣଦୁଷ୍କର୍ମ କରିଛନ୍ତି । ଏହା ପର ଦିନ ପୁଣି ଥରେ ଯୁବତୀଙ୍କୁ ସାଗରର ଆଉ ୬ ଜଣ ବନ୍ଧୁ ଦୁଷ୍କର୍ମ କରିଥିଲେ । ଏହାପରେ ଯୁବତୀଙ୍କୁ ସାଗର ତାର ତିନି ଜଣ ବନ୍ଧୁଙ୍କ ସହ ମିଶି ଏକ ଗାଡିରେ ବଦରପୁର ସୀମା ନିକଟରେ ଫିଙ୍ଗି ଚାଲିଯାଇଥିଲା । ପୀଡିତା ଯବୁତୀ କୌଣସି ପ୍ରକାରେ ନିଜ ଘରେ ପହଞ୍ଚିଥିଲେ । ଏହାପର ଦିନ ପୀଡିତା ପରିବାର ଲୋକଙ୍କ ସହ ମିଶି ହସନପୁର ଥାନାରେ ଅଭିଯୋଗ କରିଛନ୍ତି । ପୀଡିତା ୨୮ ଜଣଙ୍କ ନାମରେ ସାମୂହିକ ଗଣଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ତେବେ ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଥାନା ଅଧିକାରୀ କହିଛନ୍ତି ।






