ରଣପୁର,(ବାଘୁଆବାର୍ତ୍ତା) : କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଆଜି ଠାରୁ ଲାଗୁ ହୋଇଛି ‘ଲକଡାଉନ୍’ ଅସ୍ତ୍ର । ୧୪ ଦିନିଆ ଲକଡାଉନ ବଳବତ୍ତର ରହିବ ଆସନ୍ତା ୧୯ ତାରିଖ ପର୍ୟ୍ୟନ୍ତ । ଏହି ସମୟରେ ଜରୁରୀ ସେବା, ଜରୁରୀ କାମ, ଅତ୍ୟାବଶ୍ୟକ ସାମଗ୍ରୀ ଓ ମାଲ୍ ପରିବହନକୁ ଛାଡ଼ି ଦେଲେ ବାକି ସବୁ ବନ୍ଦ ରହିବ । ଆଜିଠୁ ରାଜ୍ୟବ୍ୟାପୀ ଲକ୍ଡାଉନ୍ ଆରମ୍ଭ ହେଉଛି । ଏହି ଲକ୍ ଡାଉନରେ ସାମିଲ ହୋଇଛି ରଣପୁର । ଲକଡାଉନୁ କୁ ସଫଳ କରିବା ପାଇଁ ରଣପୁର ଓ ଚାନ୍ଦପୁର ପୁଲିସ ଦେଖାଇଛି ତତ୍ପରତା । ଏହି ସମୟରେ ସକାଳ ୬ଟାରୁ ଦିନ ୧୨ଟା ପର୍ୟ୍ୟନ୍ତ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ଦୋକାନରେ । ଏହି ୬ ଘଣ୍ଟା ଖୋଲା ରହିବ ପନିପରିବା, ଗ୍ରୋସରୀ, କ୍ଷୀର, ମାଛ, ମାଂସ, ଅଣ୍ଡା ଦୋକାନ । ଗୋ ଖାଦ୍ୟ ବି ମିଳିବ । ମେଡିସିନ୍ ଦୋକାନ ଖୋଲା ରହିବ । କୌଣସି ଜାଗାରେ ଭିଡ଼ କରିବା ମନା । ଭିଡ଼ ହେଲେ ଦୋକାନ ସିଲ୍ ହେବ । ଅସ୍ଥାୟୀ ଦୋକାନଗୁଡ଼ିକ ମଧ୍ୟରେ ୩୦ ଫୁଟ ଦୂରତା ରହିବ । ଦୋକାନୀ ଓ ଗ୍ରାହକ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବେ । ପ୍ରତ୍ୟେକ ଲୋକ ନିଜ ଘରଠାରୁ ୫୦୦ ମିଟର ଦୂରତା ଭିତରେ ଚାଲି ଚାଲି ଯାଇ ସଉଦା ଓ ପନିପରିବା ଆଣିବେ । ଲକଡାଉନରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିବ । ପୁଲିସ, ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ, ଗଣମାଧ୍ୟମ ସମେତ ଜରୁରୀ ସେବା ଯୋଗାଉଥିବା ସମସ୍ତ ବିଭାଗ ଓ ସଂସ୍ଥାର ଲୋକେ ପରିଚୟପତ୍ର ଦେଖାଇ ଯା’ ଆସ କରିପାରିବେ । ଖବରକାଗଜ ବିତରକମାନେ ସକାଳ ୫ଟାରୁ ୮ଟା ଭିତରେ ଖବରକାଗଜ ବିତରଣ କରିପାରିବେ । ଲକଡାଉନ୍କୁ ସଫଳ କରିବା ପାଇଁ ରଣପୁର ପୁଲିସ ଆଜି ସକାଳୁ ସକାଳୁ ତତ୍ପରତା ଦେଖାଇଥିଲା । ଏ ନେଇ ରଣପୁର ପୁଲିସ ରଣପୁର ଡାକ୍ତରଖାନା ଠାରୁ ଜଗନ୍ନାଥ ମନ୍ଦିର ପର୍ୟ୍ୟନ୍ତ ଏବଂ ବିଭିନ୍ନ ଛକ, ଜନ ଗହଳି ରାସ୍ତା ଆଦି ଜାଗାରେ ପୁଲିସ କଡା ପ୍ରହରା ଦେଇଥିଲା । ଲକ୍ ଡାଉନ ନିୟମ ଭାଙ୍ଗୁ ଥିବା ଅମାନିଆଙ୍କୁ ଧରି ତାଗିଦ କରିବା ସହ ଫାଇନ ମଧ୍ୟ ଆଦାଇ କରାଯାଇଛି । ଲକ୍ ଡାଉନର ପ୍ରଥମ ଦିନରେ ରଣପୁର ପୋଲିସ ୧୨ ଜଣ ଅମାନିଆ ଙ୍କ ଠାରୁ ୬୦୦୦ ଟଙ୍କା ଫାଇନ ଆଦାଇ କରାଯାଇଥିବା ରଣପୁର ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ଓ ସବ୍-ଇନ୍ସପେକ୍ଟର ପ୍ରୀତି ପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି । ସେହିପରି ଚାନ୍ଦପୁର ପୁଲିସ ମଧ୍ୟ ଏହି ଲକଡାଉନକୁ ସଫଳ କରିବା ପାଇଁ ଦିନ ତମାମ ଚାନ୍ଦପୁର ଥାନା ଅଂଚଳରେ ଚେକିଂ ଜାରି ରଖିଥିବା ଜଣା ପଡିଛି ।





