ମାଲକାନଗିରି, (ବାଘୁଆବାର୍ତ୍ତା) : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଗତ ଶନିବାର ଦିନ ନକ୍ସଲମାନଙ୍କ ଦ୍ବାରା ଅପହୃତ ହୋଇଥିବା ସିଆରପିଏଫ୍ର ଯବାନ ରାକେଶ୍ବର ସିଂ ମାନହାସ ଆଜି ମୁକୁଳିଛନ୍ତି। ମାଓବାଦୀମାନେ ଦୀର୍ଘ ୫ ଦିନ ଯାଏଁ ତାଙ୍କୁ ବନ୍ଦୀକରି ରଖିବା ପରେ ଯବାନ ରାକେଶ୍ବରଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି। ସେ ଏକ ଆମ୍ବୁଲାନ୍ସରେ ଆସି ଛତିଶଗଡ଼ର ବାସାଗୁଡ଼ାସ୍ଥିତ ସିଆପିଏଫ୍ କ୍ୟାମ୍ପରେ ପହଞ୍ଚିଛନ୍ତି। ରାକେଶ୍ବରଙ୍କୁ ଜଙ୍ଗଲ ନିକଟସ୍ଥ ଗ୍ରାମବାସୀଙ୍କ ନିକଟରେ ଛଡ଼ାଯାଇଥିବା ସୂଚନା ରହିଛି । ରାକେଶ୍ବର ଗ୍ରାମାବାସୀଙ୍କଠାରୁ ବସାଗୁଡ଼ା ଥାନାକୁ ଯିବାପରେ କ୍ୟାମ୍ପକୁ ଯାଇଥିବା ସୂତ୍ରରୁୁ ଜଣାପଡ଼ିଛି। ବିଜାପୁର-ସୁକମା ଜିଲ୍ଲା ସୀମାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଘମାଘୋଟ ଲଢେଇରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ବହୁ ନକ୍ସଲ ମଧ୍ୟ ମୃତ୍ୟୁବରଣ କରିଥିଲେ। ଏହି ଘଟଣା ପରେ ନକ୍ସଲମାନେ ରାକେଶ୍ବରଙ୍କୁ ଅପହରଣ କରି ନେଇଥିଲେ। ନକ୍ସଲମାନେ ଚଳିତ ମାସ ୩ ତାରିଖ ଠାରୁୁ ରାକେଶ୍ବରଙ୍କୁ ନିଜ କବ୍ଜାରେ ରଖିଥିଲେ। ମାଓବାଦୀଙ୍କ ଗୁଳିବିନିମୟ ବେଳେ ରାକେଶ୍ବର ଅସୁସ୍ଥ ଥିଲେ। ମାଓବାଦୀଙ୍କ କବଳରୁ ମୁକୁଳିବା ପରେ ରାକେଶ୍ବର ସିଂଙ୍କ ପତ୍ନୀ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଆମ ପାଇଁ ଏହା କଠିନ ସମୟ ଥିଲା। ଆମେ ଏବେ ଖୁସି ଅନୁଭବ କରୁଛୁ। ରାକେଶ୍ବରଙ୍କ ମା’କହିଛନ୍ତି ଆମେ ଭଗବାନଙ୍କ ନିକଟରେ କୃତଜ୍ଞ। ମାଓବାଦୀଙ୍କ କବଳରୁ ପୁଅ ମୁକୁଳିଛି, ଏହା ଆମ ପାଇଁ ବଡ଼ ଖୁସୀର କଥା।






