କଟକ,(ବାଘୁଆବାର୍ତ୍ତା): କାଠଯୋଡ଼ି ଓ କୁଆଖାଇ ନଦୀରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଜଳ ସଂରକ୍ଷଣ ବ୍ୟବସ୍ଥା। ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଥିବା ବେଳେ ଏ ଦିଗରେ ଏବେ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। କାଠଯୋଡ଼ିରେ ପୁରୀଘାଟରୁ ରେଳ ପୋଲ୍ ମଧ୍ୟରେ ଏକ ସ୍ଥାନରେ ଏବଂ କୁଆଖାଇରେ ତ୍ରିଶୂଳିଆ ପୋଲରୁ ନଈ ଭିତର ଏକ ସ୍ଥାନରେ ଏଥିପାଇଁ ଅଳ୍ପ ଉଚ୍ଚ ଜଳ ସଂରକ୍ଷଣ ବ୍ୟବସ୍ଥା (ଲୋ ହାଇଟ୍ ଷ୍ଟୋରେଜ୍ ଷ୍ଟ୍ରକଚର୍) ନିର୍ମାଣ ହେବ। ଜଳ ସଂପଦ ବିଭାଗ ଏହାର ସର୍ଭେ କରି ଦୁଇଟି ନଈରେ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରି କାର୍ଯ୍ୟ ଆରମ୍ଭ କରିବ। ପ୍ରକଳ୍ପର ରୂପରେଖକୁ ନେଇ ଶ୍ରୀ ସାମନ୍ତରାୟ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି ସମୟରେ ରଂଜନ ବିଶ୍ବାଳ ଓ ପ୍ରଶାସନର ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ନରାଜ ବ୍ୟାରେଜ୍ ନିର୍ମାଣ ପରେ କୁଆଖାଇ ଓ କାଠଯୋଡି ଅଧିକାଂଶ ସମୟ ଶୁଷ୍କ ରହୁଛି। ଏହାଦ୍ବାରା କଟକର ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଉଛି। ହଜାର ବର୍ଷର ପୁରୁଣା ଐତିହାସିକ କଟକ ସହରର ବିଭିନ୍ନ ଧାର୍ମିକ ପରଂପରା କାର୍ଯ୍ୟ ମଧ୍ୟ ଏହାଦ୍ବାରା ବାଧାପ୍ରାପ୍ତ ହେଉଛି। ଏସବୁ ସମସ୍ୟା ସମାଧାନ ପାଇଁ ଦୁଇଟି ନଈରେ ଲୋ ହାଇଟ୍ ଷ୍ଟୋରେଜ୍ ଷ୍ଟ୍ରକଚର ନିର୍ମାଣ କରିବାକୁ ପୂର୍ବତନ ବିଧାୟକ ଶ୍ରୀ ସାମନ୍ତରାୟ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ କାଠଯୋଡି ଓ କୁଆଖାଇରେ ଜଳ ଧାରଣ କ୍ଷମତା ବୃଦ୍ଧି ପାଇବାର ଆଶା କରାଯାଉଛି।






