ନୟାଗଡ଼, (ବାଘୁଆବାର୍ତ୍ତା): ଆସନ୍ତାକାଲି ଏପ୍ରିଲ୍ ୧୧ତାରିଖ। ବିଶ୍ବ ପାଳିବ ବିଶ୍ବ ଛେନାପୋଡ଼ ଦିବସ। ପଲ୍ଲୀରୁ ଦିଲ୍ଲୀ ଓ ଦିଲ୍ଲୀରୁ ବିଭିନ୍ନ ଦେଶରେ ବିଶ୍ବ ଛେନାପୋଡ଼ ଦିବସ କୁଯାକ ଜମକରେ ପାଳନ କରିବାକୁ ଚାଲିଛି ପ୍ରସ୍ତୁତି। ସୁସ୍ଵାଦ ମିଷ୍ଠାନ ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିନ ଏପ୍ରିଲ୍ ୧୧ତାରିଖକୁ ବିଶ୍ବ ଛେନାପୋଡ଼ ଦିବସ ଦୀର୍ଘ ୪ବର୍ଷ ଧରି ପାଳନ କରାଯାଉଛି। ଏବଂ ନୟାଗଡ଼ ଜିଲ୍ଲାରେ ଏପ୍ରିଲ୍ ୧୧ ତାରିଖକୁ ସରକାରୀ ସ୍ତରରେ ମଧ୍ୟ ଖୁବ୍ ଧୁମ୍ ଧାମରେ ପାଳନ କରାଯାଉଛି। ତେବେ ନୟାଗଡ଼ର ଏହି ସୁସ୍ଵାଦ ମିଷ୍ଠାନ ଛେନାପୋଡ଼ କୁ ଭୌଗଳିକ ମାନ୍ୟତା ତଥା ଜିଆଇ ଟ୍ୟାଗ ମାନ୍ୟତା ଦୀର୍ଘ ଦିନ ଧରି ଦାବି ହେଇ ଆସୁଛି। ଏନେଇ କଚେରୀ ବଜାର ବ୍ୟବସାୟୀ ସଂଘର ସଭାପତି ପ୍ରଭାତ କୁମାର ଷଡ଼ଙ୍ଗୀ, ଉପ ସଭାପତି ସୁନୀଲ କୁମାର ଶତପଥୀ, ସଂପାଦକ ରଘୁନାଥ ସାହୁ, କୋଷାଧ୍ୟକ୍ଷ ପ୍ରକାଶ କୁମାର ଡୋରାଙ୍କ ସହ ସଂଘର ବହୁ ସଦସ୍ୟ ଏକାଠି ହୋଇ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କୁ ସାକ୍ଷାତ କରି ନୟାଗଡ଼ର ଗର୍ବ, ଗୌରବ ମିଷ୍ଠାନ ଦରବ ଛେନାପୋଡ଼ ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁ ଜନ୍ମ ଦିବସକୁ ବିଶ୍ବ ଛେନାପୋଡ଼ ଦିବସ ପାଳନ କରିବା ସହ ଜିଆଇ ଟ୍ୟାଗ କିପରି ଶୀଘ୍ର ମିଳିବ ସେ ନେଇ ଆଲୋଚନା କରିଥିଲେ। ଏନେଇ ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ରଥଙ୍କ ଜରିଆରେ ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ତେବେ ଏପ୍ରିଲ ୧୧ତାରିଖକୁ ବିଶ୍ୱବାସୀ ବିଶ୍ବ ଛେନାପୋଡ଼ ଦିବସ ପାଳନ କରିଆସୁଥିବା ବେଳେ କିଛି ବିଶ୍ୱାସଘାତକ, ଖଳ ପ୍ରକୃତିର ଲୋକ ଏହି ଦିବସକୁ ଭଣ୍ଡୁର କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ତେଣୁ ସେମାନଙ୍କ ଠାରୁ ନିବୃତ୍ତ ରହି ଏପ୍ରିଲ୍ ୧୧ତାରିଖକୁ ବିଶ୍ଵ ଛେନାପୋଡ଼ ଦିବସ ପାଳନ କରିବାକୁ ଦେଶବାସୀଙ୍କୁ ନୟାଗଡ଼ ଜିଲ୍ଲାର ଜନସାଧାରଣ ଅନୁରୋଧ କରିଛନ୍ତି। ଆସନ୍ତୁ ସମସ୍ତେ ଏକାଠି ହେବା ଏବଂ ଆମ ନୟାଗଡ଼ର ଦରବ ଛେନାପୋଡ଼ ର ସ୍ରଷ୍ଟାଙ୍କ ଜନ୍ମଦିବସ ଏପ୍ରିଲ୍ ୧୧କୁ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରିବା।






