ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳ ଜଙ୍ଗଲ ମଧ୍ୟରେ ରହିଥିବା ଉକୁଟିକୁମ୍ଭୀ ଗାଁରେ ଚାଲିଥିଲା ନକଲି ମଦ କାରାଖାନା । ଏହି ମଦ କାରଖାନା ଉପରେ ଆଜି କେନ୍ଦ୍ରୀୟ ଗୁଇନ୍ଦା ଅବକାରୀ ବିଭାଗ ଚଢ଼ାଉ କରି ବ୍ୟାପକ ପରିମାଣର ନକଲି ମଦ ଏବଂ ନିର୍ମାଣ ସାମଗ୍ରୀ ଜବତ କରିଛି । ଅବକାରୀ ବିଭାଗ ସୂଚନାନୁସାରେ ଡେପୁଟି କମିଶନର ଡମ୍ବୁରଧର ନାୟକଙ୍କ ନିର୍ଦ୍ଦେଶରେ ଡିଏସପି ବିକାଶ କୁମାର ନାୟକ, ଆଇଆଇସି ଧିରେନ କୁମାର ବେହେରା, ତଦନ୍ତକାରୀ ଅଧିକାରୀ ଅବନୀ କୁମାର ମହାପାତ୍ର ସଦଳବଳେ ଚଢ଼ାଉ କରିଥିଲେ । ଜଙ୍ଗଲ ମଧ୍ୟରେ ଏହି ବେଆଇନ ମଦ କାରଖାନା ଚାଲିଥିଲା । ସେଠାରୁ ୧୯.୮ ଲିଟର ନକଲି ବିଦେଶୀ ମଦ ଜବତ କରାଯାଇଛି । ଏହା ସହିତ ୨୯୦ ଲିଟର ସ୍ପିରିଟ, ୩୮୮୮ ନକଲି ଲେବୁଲ, ୭୬୮୦ ମ୍ୟାଡଲ ନମ୍ବର ୧ ନକଲି ଲେବୁଲ, ୧୦ ହଜାର ୫ ଶହ ଠିପି, ୨ ଶହ ଏମଏଲ୍ ମଦ ପ୍ରସ୍ତୁତକାରୀ ରଙ୍ଗ । ୫ ଏମ୍ଏଲ୍ ପରମ୍ଫ୍ୟୁମ୍, ୫ ହଜାର ଖାଲି ବୋଟଲ ଜବତ କରାଯାଇଛି । ରଣପୁର ଥାନା ଅନ୍ତର୍ଗତ ଲତାର ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାୟ ଏହି ବେଆଇନ ମଦ କାରଖାନା ଚଲାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି ।

ଏହାକୁ ନେଇ ଏକ ମାମଲା ରୁଜୁ କରାଯିବା ସହ ପୂର୍ଣ୍ଣଚନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହା ପଛରେ ଜଣେ ବଡ଼ ମଦ ମାଫିଆଙ୍କ ହାତ ରହିଥିବା ଆଲୋଚନା ହେଉଛି । ଦୀର୍ଘଦିନ ଧରି ଏହି ଜଙ୍ଗଲ ମଧ୍ୟରେ ନକଲି ମଦ ପ୍ରସ୍ତୁତ କରାଯାଇ ନୟାଗଡ଼, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାକୁ ପଠା ଯାଇଥାଏ । ରଣପୁର ଅବକାରୀ ବିଭାଗ ସବୁଜାଣି ନୀରବ ଦ୍ରଷ୍ଟା ସାଜିଥିଲା । ମଦ ମାଫିଆଙ୍କଠାରୁ ଅବକାରୀ କର୍ମଚାରୀମାନେ ଚାନ୍ଦା ନେଇ ଚୁପ ରହିଥିବା ଅଭିଯୋଗ ହୋଇଛି । ଆଜି ଅବକାରୀ ଗୁଇନ୍ଦା ବିଭାଗ ଚଢ଼ାଉ ପରେ ନକଲି ମଦ କାରାଖାନା ଠାବ ହୋଇପାରିଛି ।






