ନୟାଗଡ଼, (ବାଘୁଆବାର୍ତ୍ତା): ଶରଣକୁଳ ନିକଟସ୍ଥ ବାଉଁଶିଆଠାରେ ଗଢ଼ି ଉଠିଥିବା ଭିନ୍ନକ୍ଷମ, ଅସହାୟ, ଦୁସ୍ଥ, ନିଃସହାୟ, ବୃଦ୍ଧ, ବୃଦ୍ଧା ମାନଙ୍କ ସ୍ୱାସ୍ଥ୍ୟ ଥଇଥାନ ଓ କଲ୍ୟାଣ ନିମନ୍ତେ କାର୍ଯ୍ୟ କରୁଥିବା ରାଜ୍ୟର ଅଗ୍ରଣୀ ସଂସ୍ଥାନ ‘ଆଶ୍ରୟ’ ଦିବ୍ୟାଙ୍ଗ ସେବାଗ୍ରାମ ପରିସର ମଧ୍ୟରେ ଓଡିଆ ନବ ବର୍ଷକୁ ସ୍ୱାଗତ ଜଣାଇ ବିଷୁବ ମିଳନ ହୋଇଯାଇଅଛି । ‘ଆଶ୍ରୟ’ ଆନୁକୁଲ୍ୟରେ ଓ ଶରଣକୁଳ ସାହିତ୍ୟ ସଂସଦ ମିଳିତ ସହଯୋଗରେ ‘ଆଶ୍ରୟ’ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଲୋକନାଥ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳନ ହୋଇ ଯାଇଅଛି । ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚିରାଚରିତ ପଦ୍ଧତିର ପୁନରାବୃତ୍ତି କରି ସ୍ୱେଚ୍ଛାସେବୀ ସଙ୍ଗଠନର ବନ୍ଧୁ ମାନେ ଓ ସାଧାରଣ ବର୍ଗର ବ୍ୟକ୍ତି ବିଶେଷଙ୍କ ସହିତ ପ୍ରାୟ ଷାଠିଏରୁ ଉର୍ଦ୍ଧ୍ୱ କବି ଓ କବୟତ୍ରୀ ଯୋଗଦାନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ କବିତା ଆସର ବେଶ ଆମୋଦ ପ୍ରଦାନ କରିଥିବାବେଳେ ଭିନ୍ନକ୍ଷମ, ବୃଦ୍ଧ,ବୃଦ୍ଧା ଓ ‘ଆଶ୍ରୟ’ର ଅନ୍ତେବାସୀମାନେ ଓଡିଆ ନବ ବର୍ଷକୁ ସ୍ୱାଗତ ଜଣାଇ ପରସ୍ପର ସହିତ ହାତ ମିଳାଇ ଖୁସି ମନାଉଥିବା ପରିଲିକ୍ଷିତ ହେଉଥିଲା । ଏହି ଅବସରରେ ଆଶ୍ରୟର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ହେବା ସହ ଜଣାଶୁଣା ସଂକୀର୍ତ୍ତନ ବାୟକ ଶ୍ରୀଧର ପାତ୍ରଙ୍କୁ ‘ଆଶ୍ରୟ’ର ବିଷୁବ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ଭାବେ ଅଧ୍ୟାପିକା ପ୍ରିୟମ୍ବଦା ଦାଶ, କବି ପାଣ୍ଡବ ନାୟକ, ଆଡଭୋକେଟ ଚିତ୍ତରଞ୍ଜନ ପ୍ରଧାନ, କୈଳାଶ ଚନ୍ଦ୍ର ଖଟେଇ, ରାମକୃଷ୍ଣ ପରିଡା ଓ ଅଚ୍ୟୁତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ମହା ବିଷୁବ ସଂକ୍ରାନ୍ତି ବା ଓଡିଆ ନବ ବର୍ଷର ପ୍ରଚଳିତ ପ୍ରଥା ଓ ପଦ୍ଧତି ଉପରେ ଅତିଥି ମାନେ ବିଷଦ ଭାବରେ ଆଲୋଚନା କରିବା ସହ ପାରମ୍ପରିକ ସାମାଜିକ ଚଳଣୀର ଅବଗଣନା କାର୍ଯ୍ୟ ସୂଚୀ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ପର୍ଯ୍ୟାଲୋଚନାକୁ ଉପସ୍ଥିତ ଏକ ଶହରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିଶେଷ ମନ୍ତ୍ରମୁଗ୍ଧ ହୋଇ ଶୁଣିବା ସହ ‘ଆଶ୍ରୟ’ର ଏହି ଲୋକାଭିମୁଖି ଯୁଗ ଧର୍ମୀ ପରମ୍ପରା କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ । ‘ଆଶ୍ରୟ’ର ଏହି ମହତ କାର୍ଯ୍ୟରେ ଯୋଗ ଦେଇଥିବା ବନ୍ଧୁ ମାନେ ବିଷୁବ ସଂକ୍ରାନ୍ତିର ପଣା ଓ ପ୍ରସାଦ ସେବନରେ ନିଜକୁ ସାମିଲ କରିବା ସହ ସହଯୋଗ କରି ଆନନ୍ଦ ଲାଭ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରଫୁଲ୍ଲ ନାହାକ ଓ ରାମକୃଷ୍ଣ ମହାରଣା ସଂଯୋଜନା କରିଥିବା ବେଳେ ଭିକାରୀ ଚରଣ ସ୍ୱାଇଁ, ଅନୀଲ କୁମାର ପ୍ରଧାନ, ଦିଲ୍ଲୀପ କୁମାର ସାହୁ ଓ ‘ଆଶ୍ରୟ’ ପରିବାରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।





