ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟର ସର୍ବ ବୃହତ ସାମ୍ବାଦିକ ସଙ୍ଗଠନ ଓଡିଶା ୟୁନିଅନ ଅଫ ଜର୍ନାଲିଷ୍ଟ ସଦସର୍ବଦା ସାମ୍ବାଦିକ ମାନଙ୍କର ମୁଖ୍ୟ ଦାବି ସମ୍ପର୍କରେ ସରକାରଙ୍କୁ ଅବଗତ କରାଉଛି । ଓୟୁଜେର ରାଜ୍ୟ ସଭାପତି ପ୍ରଶନ୍ନ ମହାନ୍ତିଙ୍କ ନିର୍ଦ୍ଦେଶରେ ସାମ୍ବାଦିକ ମାନଙ୍କର ମୁଖ୍ୟ ସମସ୍ୟା ସମାଧାନ ନିମନ୍ତେ ତିନି ଦଫା ସମ୍ବଳିତ ଦାବି ପ୍ରତ୍ୟେକ ଜିଲ୍ଲାରୁ ପ୍ରଦାନ କରାଯାଉଛି । ଆଜି ନୟାଗଡ଼ ୟୁନିଅନ ଅଫ ଜର୍ନାଲିଷ୍ଟ ପକ୍ଷରୁ ନୟାଗଡ଼ ଜିଲ୍ଲା ସଭାପତି ଆଚାର୍ଯ୍ୟ ବିଶ୍ୱରଞ୍ଜନ, ଉପଦେଷ୍ଟା ସଞ୍ଜୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ପ୍ରଦାନ କରାଯାଇଛି । ସୁଚନାନୁସାରେ ନୂତନ ସରକାରଙ୍କୁ ଆଠ ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସାମ୍ବାଦିକ ମାନଙ୍କର କୌଣସି ମୁଳ ସମସ୍ୟାର ସମାଧାନ ହୋଇପାରି ନାହିଁ । ଓଡିଶା ସାମ୍ବାଦିକ ୟୁନିଅନ ପକ୍ଷରୁ ଏ ସମ୍ବନ୍ଧରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ ଦାବି କରାଯାଇଛି । ଓୟୁଜେ ପକ୍ଷରୁ ମୌଳିକ ଦାବି, “ପେନ୍ସନ୍, ପ୍ରୋଟେକ୍ସନ୍ ଓ ଆକ୍ରିଡେସନ” ପ୍ରତି ରାଜ୍ୟ ସରକାର ସମ୍ପୁର୍ଣ୍ଣ ଉଦାସୀନ ରହିଛି । ରାଜ୍ୟର ସର୍ବ ବୃହତ ଓ ସର୍ବ ପୁରାତନ ସାମ୍ବାଦିକ ସଂଘ “ଓଡିଶା ସାମ୍ବାଦିକ ୟୁନିଅନ” (ଓୟୁଜେ) ଏସବୁ ବାବଦରେ ଏକାଧିକବାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ମାତ୍ର ଏଯାବତ୍ କୌଣସି ଅନୁକୁଳ ପ୍ରତିକ୍ରିୟା ମିଳିନାହିଁ ।

ବଜେଟ୍ ଅଧିବେଶନ ସମୟରେ ସାମ୍ବାଦିକଙ୍କ ଦାବିକୁ ବିଚାରକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ଏହି ବଜେଟ ଅଧିବେଶନରେ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କର ସମସ୍ତ ସମସ୍ୟା ସମାଧାନ କରାଯିବ ବୋଲି ଦାବି କରାଯାଇଛି । ଯଦି ସରକାର ସମସ୍ତ ପ୍ରତିଶୃତି ପୁରଣ ନକରନ୍ତି ତେବେ ଆଗାମୀ ଦିନରେ ପୁଣି ଥରେ ଓୟୁଜେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଦାବି କରାଯାଇଛି । ମୁଖ୍ୟତଃ ଯେଉଁ ତିନି ଗୋଟି ଦାବି ରହିଛି ରାଜ୍ୟରେ ଅବସରପ୍ରାପ୍ତ ସାମ୍ବାଦିକ ମାନଙ୍କୁ ମାସିକ ଅନ୍ୟୁନ ୨୫ ହଜାର ଟଙ୍କାର ପେନ୍ସନ ପ୍ରଦାନ କରାଯାଉ । “ଦେଶର ୧୮ଟି ରାଜ୍ୟରେ ଏବେ ସାମ୍ବାଦିକ ମାନେ ପେନ୍ସନ୍ ସୁବିଧା ପାଉଛନ୍ତି ।” ସାମ୍ବାଦିକ ମାନଙ୍କ ନିରାପତ୍ତା ପାଇଁ ବିଧାନ ସଭାର ଚଳିତ ଅଧିବେଶନରେ ସାମ୍ବାଦିକ ସୁରକ୍ଷା ଆଇନ (Journalists Protection Act.) ପ୍ରଣୟନ କରାଯାଉ । ମହାରାଷ୍ଟ୍ର ଓ ଛତିଶଗଡ଼ ସରକାର ଏଭଳି ଆଇନ ପ୍ରଣୟନ କରିସାରିଛନ୍ତି । ରାଜ୍ୟରେ ଦୀର୍ଘ ୧୬ ବର୍ଷ ହେଲା ସାମ୍ବାଦିକ ଅଧିସ୍ୱୀକୃତି କମିଟି ନାହିଁ । ପ୍ରଚଳିତ ଅଧିସ୍ୱୀକୃତି ନିୟମ ଢେର୍ ପୁରୁଣା । ଏ ବାବଦରେ ପ୍ରେସ୍ କାଉନ୍ସିଲ ପକ୍ଷରୁ ପୂର୍ବସରକାରଙ୍କ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା ହୋଇନାହିଁ । ଓୟୁଜେର ଦାବି ହେଲା ତୁରନ୍ତ ରାଜ୍ୟରେ ସାମ୍ବାଦିକ ଅଧିସ୍ୱୀକୃତି କମିଟି (Journalists Accreditation Committee) ଗଠନ କରାଯାଉ ଓ ପି.ଆଇ.ବି. ଢାଞ୍ଚାରେ ରାଜ୍ୟ ଅଧିସ୍ୱୀକୃତି ନିୟମରେ ଆବଶ୍ୟକୀୟ ସଂଶୋଧନ କରାଯାଉ । ବରିଷ୍ଠ ସାମ୍ବାଦିକଙ୍କୁ Veteran Journalist କିମ୍ବା Distinguished Journalist ଭାବେ ଅଧିସ୍ୱୀକୃତି ପ୍ରଦାନ କରାଯାଉ । ଆଜିର ଏହି କାର୍ଯ୍ୟକ୍ରମରେ ଓୟୁଜେର ସଦସ୍ୟ ମାନେ ଯୋଗ ଦେଇଥିଲେ ।





