ଆସିକା, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ଆସିକା ଥାନା ଗୁଣ୍ଠପଡ଼ା ପଞ୍ଚାୟତ ରାଇପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ନିଜ ମାଆ ପେଟର ଭଉଣୀକୁ ଶିଳରେ ଛେଚିବା ସହ ଛୁରୀରେ ଗଳା କାଟି ନିର୍ମମ ଭାବେ ହତ୍ୟା କରିଛି ଭାଇ । ମୃତକ ଭଉଣୀ ଜଣଙ୍କ ହେଲେ ୩୫ ବର୍ଷୀୟ ଲକ୍ଷ୍ମୀ ମହାନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ମୃତକ ଲକ୍ଷ୍ମୀ ମହାନ୍ତି ଦୀର୍ଘଦିନ ହେଲା ନିଜ ମାଆ ତନୁ ପାତ୍ରଙ୍କ ଘରେ ରହୁଥିଲେ । ଗୁରୁବାର ସକାଳେ ମଝିଆ ଭାଇ ବାବାଜୀ ପାତ୍ର ଘରକୁ ଆସିବା ସହ ଭଉଣୀକୁ ମୋବାଇଲ୍ ମାଗିଥିଲେ । ପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ପରେ ଘରର କବାଟ ଦେଇ ଘର ଭିତରକୁ ପଶିଥିଲେ ।ପ୍ରଥମେ ଶିଳରେ ଭଉଣୀର ମୁଣ୍ଡକୁ ଛେଚି ଥିଲେ । ଯେଉଁଥିରେ ସେ ଗୁରୁତର ଭାବେ ପଡିରହିଥିଲେ । ଏହାପରେ ଏକ ଧାରୁଆ ଛୁରୀରେ ଲକ୍ଷ୍ମୀଙ୍କ ବେକ କାଟି ହତ୍ୟା କରିଥିଲେ । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ଆସିକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପାରିବାରିକ କଳହରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସର ତଦନ୍ତ ପରେ ହିଁ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।





