ପୁରୀ, (ବାଘୁଆବାର୍ତ୍ତା): ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ କାଣିଚାଏ ପାଳନ କରୁନି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପରିସରରେ ଯିଏ ଯେଉଁଠି ପାରୁଛି ଥାଳି ଥୋଇ ଟଙ୍କା ଆଦାୟ କରୁଛି । ଶ୍ରୀମନ୍ଦିର ପରିସରରେ ମନଇଛା ଥାଳି ଥୋଇ ଟଙ୍କା ଆଦାୟ କରିବାକୁ ବନ୍ଦ କରିବା ପାଇଁ ସୁପ୍ରିମ୍କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ୨୦୧୯ ନଭେମ୍ବର ୪ରେ ଶ୍ରୀମନ୍ଦିରରେ ବିଭିନ୍ନ ଶୃଙ୍ଖଳା ଓ ସଂସ୍କାର ଆଣିବା ନିମନ୍ତେ ପ୍ରାୟ ୨୨ଟି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଥିଲା । ହେଲେ ଏହାକୁ ପାଳନ କରିବାକୁ ନା ସରକାର ଦୃଷ୍ଟି ଦେଉଛନ୍ତି ନା ଶ୍ରୀମନ୍ଦିର ପ୍ରଶାସନ । ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପାଳନ ଏବଂ ଥାଳି ଥୋଇ ଟଙ୍କା ଆଦାୟ ବନ୍ଦ କରିବା ନେଇ ମଙ୍ଗଳବାର ଜଣେ ଆଇନଜୀବୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିରରେ ଥାଳି ଥୋଇ ଟଙ୍କାର ଆଦାୟ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଅତୀତରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଥିଲା । ଥାଳି ରହୁଥିବା ସ୍ଥାନରେ ମହାପ୍ରଭୁଙ୍କ ଦାନ ହୁଣ୍ଡି ସ୍ଥାପନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଭିତିରି ମଧୁଚନ୍ଦ୍ରିକା ଯୋଗୁ ନିଷ୍ପତ୍ତି ଏପର୍ଯ୍ୟନ୍ତ ପାଳନ ହେଲାନାହିଁ । ଅଭିଯୋଗରେ ଉଲ୍ଲେଖ କରାଯାଇଛି ଯେ, ଶ୍ରୀଜଗନ୍ନାଥ ମନ୍ଦିର ଗରୁଡ଼ ସ୍ତମ୍ଭ ସମ୍ମୁଖରେ ନିୟମିତ ବିରାଟ ଥାଳି ଥୋଇ ନାଟମଣ୍ଡପ ଜାଗା ମାଡ଼ି ବସିଛନ୍ତି କିଛି ସେବାୟତ । ଥାଳି ଥୋଇ ଭକ୍ତଙ୍କଠାରୁ ଟଙ୍କା ଆଦାୟ କରାଯାଉଛି । ମହାପ୍ରଭୁଙ୍କ ନିକଟକୁ ଦାନ ଅର୍ଥ ଯାଉଥିବା ଭାବି ଏହି ଥାଳିରେ ଭକ୍ତମାନେ ଟଙ୍କା ପକାଉଛନ୍ତି । ମାତ୍ର ଅସଲରେ ଏହି ସମସ୍ତ ଟଙ୍କାକୁ କିଛି ସେବାୟତ ନେଉଛନ୍ତି । ଗହଳି ଦିନମାନଙ୍କରେ ଏହି ଥାଳିରେ ଟଙ୍କା ପକାଇବାକୁ କିଛି ସେବାୟତ ଭକ୍ତଙ୍କୁ ବାଧ୍ୟ କରୁଛନ୍ତି । ସକାଳ ମଙ୍ଗଳଆଳତି ପରଠାରୁ ରାତ୍ର ପହୁଡ଼ ପର୍ଯ୍ୟନ୍ତ ଏହି ଥାଳିରେ ଭକ୍ତମାନେ ହଜାର ହଜାର ଟଙ୍କା ପକାଉଛନ୍ତି । ଫଳରେ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଶାସନ ସ୍ଥାପନ କରିଥିବା ହୁଣ୍ଡିରେ ଦାନ ଅର୍ଥ ପରିମାଣ କମୁଛି । ଏହି ଥାଳି ଗରୁଡ଼ ସ୍ତମ୍ଭ ନିକଟରେ ଥୁଆଯିବା ଦ୍ୱାରା ଶ୍ରଦ୍ଧାଳୁଙ୍କ ଯାତାୟାତରେ ସମସ୍ୟା ମଧ୍ୟ ହେଉଛି । ଶ୍ରଦ୍ଧାଳୁଙ୍କ ଦର୍ଶନ ଶୃଙ୍ଖଳା ନିମନ୍ତେ ଏହି ଥାଳି ଥୋଇ ଟଙ୍କା ଆଦାୟ ବନ୍ଦ କରାଯାଉ । କିଛି ଅଧିକାରୀ ଓ ସେବାୟତଙ୍କ ଭିତରେ ମଧୁଚନ୍ଦ୍ରିକାରୁ ଥାଳି ହଟାଯିବାକୁ ପଦକ୍ଷେପ ନିଆଯାଉନାହିଁ ।ଥାଳି ରଖାଯିବା ଦ୍ୱାରା ଗହଳି ଦିନମାନଙ୍କରେ ଗରୁଡ଼ସ୍ତମ୍ଭଠାରୁ ଭକ୍ତମାନେ ଜଗା ଦର୍ଶନରେ ସବୁଠାରୁ ବେଶି ଆସୁବିଧା ଭୋଗୁଛନ୍ତି । ଏହି ଅଭିଯୋଗର ତଦନ୍ତ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି । ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅରୁଣସ୍ତମ୍ଭ ଠାରୁ ଆରମ୍ଭ କରି ଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର, ଭୁବନେଶ୍ୱରୀ ମନ୍ଦିର, କାନପତା ହନୁମାନ ମନ୍ଦିର ପ୍ରଭୃତି ପ୍ରମୁଖ ପାଶ୍ୱର୍ ଦେବଦେବୀ ମନ୍ଦିରରେ ମଧ୍ୟ ଥାଳି ଥୋଇ ଟଙ୍କା ଆଦାୟ ହେଉଛି । ଏହାକୁ ହଟାଇବା ଓ ଜଗନ୍ନାଥ ମହାପ୍ରଭୁଙ୍କ ହୁଣ୍ଡି ସ୍ଥାପନ ନିମନ୍ତେ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ।






