ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବଡ଼ଶିଲିଙ୍ଗା ପଞ୍ଚାୟତର ଅନେକ ଗ୍ରାମ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଡମାଘାଟି ଗାଁ । ଡମାଘାଟି ଓ ଆଖପାଖ ମୈାଜାର ୫୦ ପରିବାର ଗାଁ ବାହାରେ ରହୁଥିବା ବେଳେ ଅଭୟାରଣ୍ୟ ଭିତରେ ପୁରୁଣା ଘର ଦ୍ୱାର, ଭିଟାମାଟି ଓ ଚାଷ ଜମି ପଡ଼ି ରହିଛି । ଯାହାକୁ ନେଇ ଆଜି ୧୦ରୁ ଉର୍ଦ୍ଧ୍ୱ ପରିବାର ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥି ମଲ୍ଲିକଙ୍କୁ ଭେଟିଛନ୍ତି । ଅଭୟାରଣ୍ୟ ଛାଡ଼ି ବାହାରେ ଜୀବନ ଜିଉଁଥିବା ଲୋକେ ଭିଟାମାଟି ଛାଡ଼ିବା ପାଇଁ ପ୍ରସ୍ତୁତ ବୋଲି ଦାବି ଜଣାଇଛନ୍ତି । ସରକାରଙ୍କ ନିୟମ ମୁତାବକ କ୍ଷତିପୂରଣ ପ୍ରଦାନ କରାଗଲେ, ଆମେ ଭିଟାମାଟି ଛାଡ଼ି ଅନ୍ୟତ୍ର ସ୍ଥାୟୀ ଭାବେ ବାସ କରିବୁ ବୋଲି ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି । ସ୍ୱାଧିନତାର ବହୁ ବର୍ଷ ପରେ ବି ଗାଁକୁ ରାସ୍ତା, ଶିକ୍ଷା, ବିଦ୍ୟୁତ୍ ଆଲୋକ ଅପହଞ୍ଚ ହୋଇଛି । ଅଭୟାରଣ୍ୟ ହେବା ପରଠାରୁ ଗାଁରେ ବସବାସ କରିବା ମଧ୍ୟ ସମ୍ଭବ ହେଉନାହିଁ ବୋଲି ଜଣାଇଛନ୍ତି । ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସେମାନଙ୍କ ଅଭିଯୋଗ ଶୁଣିବା ସହ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି । ଅଭୟାରଣ୍ୟ ଛାଡ଼ିଲେ ସରକାରଙ୍କ ନିୟମ ଅନୁସାରେ ସର୍ଭେ କରାଯାଇ ସମସ୍ତ ପ୍ରକାର କ୍ଷତିପୂରଣ ଯୋଗାଇ ଦେବା ସହ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଆଜି ଡମାଘାଟି ଗାଁର ଭ୍ରମର ମଲ୍ଲିକ, ସଙ୍କୀର୍ତ୍ତନ ଜାନୀ, ସିଦ୍ଧାନ୍ତ ଜାନୀ, ହରିହର ପ୍ରଧାନ, ସୁକାନ୍ତ ଜାନୀ, ରଞ୍ଜନ ମଳିକ, ଦୁଷ୍ମନ୍ତ ପ୍ରଧାନଙ୍କ ସମେତ ଅନେକ ଡିଏଫ୍ଓଙ୍କୁ ଭେଟିଥିଲେ । ଆଲୋଚନା ପରେ ଡିଏଫ୍ଓ ରବିବାର ଡମାଘାଟି ଯାଇ ସମସ୍ତଙ୍କ ସହ ବିସ୍ତୁତ ଆଲୋଚନା କରିବେ ବୋଲି କହିଛନ୍ତି । ଯେଉଁମାନେ ଆଗ୍ରହୀ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି ।






