ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ବିରୁଡ଼ା ପଞ୍ଚାୟତରେ ଅନେକ ମହିଳାଙ୍କୁ ଠକେଇ କରିଥିବା ଇଣ୍ଡିଆନ ବ୍ୟାଙ୍କ ସହାୟିକା ସୈାଦାମିନୀ ଜେନାଙ୍କୁ ଇଟାମାଟି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୈାଦାମିନୀ ବିରୁଡ଼ା ଗ୍ରାମର ଫକିର ଜେନାଙ୍କ ଝିଅ । ସେ ଇଟାମାଟି ଥାନା ଶରଧାପୁର ଗ୍ରାମରେ ବିବାହ କରିଛନ୍ତି । ତାଙ୍କ ସ୍ୱାମୀ ସୁଜିତ କୁମାର ପ୍ରଧାନ ଶରଧାପୁର ଗ୍ରାମ ପଞ୍ଚାୟତ ସମିତିସଭ୍ୟ । ବାପ ଘର ବିରୁଡ଼ା ହୋଇଥିବାରୁ ଉକ୍ତ ପଞ୍ଚାୟତ ପାଇଁ ନୟାଗଡ଼ ସହର ଖଣ୍ଡପଡ଼ା ରାସ୍ତାରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ସହାୟିକା ଭାବେ କାର୍ୟ୍ୟ କରୁଥିଲେ । ବ୍ୟାଙ୍କ ପ୍ରତିନିଧି ସୈାଦାମିନୀ ଲୋକଙ୍କ ବିଶ୍ୱାଷରେ ବିଷ ଦେଇ ଠକେଇ କରି ଆସୁଥିଲେ । କିଛିଦିନ ତଳେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ । ଇଟାମାଟି ଥାନାରେ ବିରୁଡ଼ା ପଞ୍ଚାୟତ ବିଶ୍ୱନାଥ ସାହୁଙ୍କ ଅଭିଯୋଗ ଆଧାରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ପରେ ରହସ୍ୟ ସାମ୍ନାକୁ ଆସିଛି । ୨୮ଟି ସ୍ୱୟଂ ସହାୟକ ଗୋଷ୍ଠୀ ଠକେଇର ଶୀକାର ହୋଇଛନ୍ତି । ଠକେଇ ପରିମାଣ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି । ଇଟାମାଟି ଥାନା ଅଧିକାରୀ ଜଗଦିଶ କର ଘଟଣାର ଛାନଭିନ କରିବା ପରେ ସୈାଦାମିନୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ସୁଚନାନୁସାରେ ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବା ଯୋଗାଇ ଦେବା ପାଇଁ ସରକାର ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ବିଭିନ୍ନ ବ୍ୟାଙ୍କକୁ ନୋଡାଲ ବ୍ୟାଙ୍କ ଭାବେ ଜଡିତ କରିଛନ୍ତି । ବିରୁଡା ଗ୍ରାମ ପଞ୍ଚାୟତ ପାଇଁ ଇଣ୍ଡିଆନ ବ୍ୟାଙ୍କ ବହୁ ଦିନ ଧରି କାର୍ଯ୍ୟ କରି ଆସୁଛି । ପ୍ରଥମରୁ ସୌଦାମିନୀ ଅବିବାହିତା ସମୟରେ ଉକ୍ତ ପଞ୍ଚାୟତରେ ସହାୟିକା ଭାବେ କାର୍ଯ୍ୟ କରି ଘର ଘର ବୁଲି ଇଣ୍ଡିଆନ ବ୍ୟାଙ୍କରେ ବହୁ ଆକାଉଣ୍ଟ ଖୋଲିଛନ୍ତି ଏବଂ ଲୋକ ମାନଙ୍କ ପାଇଁ ବହୁ ସାହାଯ୍ୟ କରିଛନ୍ତି । ଲୋକ ମାନେ ପୂର୍ବରୁ ବିଶ୍ୱାସରେ ଟଙ୍କା ଡିପୋଜିଟ କରିବାଠୁ ଆରମ୍ଭ କରି ଉଠାଣ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସୌଦାମିନୀଙ୍କ ଉପରେ ନ୍ୟସ୍ତ କରିଥିଲେ । ସୌଦାମିନୀ ବିଶ୍ୱାସର ସହିତ ଲୋକ ମାନଙ୍କର ଆସ୍ଥା ଭାଜନ ହୋଇପାରିଥିଲେ । ସେ ବିବାହ କଲା ପରେ ଟଙ୍କା ହଡପ ପରି ଘଟଣା ସାମନାକୁ ଆସିଛି । ସେ ଏତେ ଟଙ୍କା ହଡ଼ପ କରି କ’ଣ କଲେ ବୋଲି ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ବିଭିନ୍ନ ସୁତ୍ରରୁ ମିଳିଥିବା ଖବର ଅନୁସାରେ ତାଙ୍କ ସ୍ୱାମୀ ଗତ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ଭାବେ ନିର୍ବାଚନ ଲଢ଼ିଥିଲେ । ଏବଂ ନିର୍ବାଚନରେ ଜିତିଥିଲେ । ଏଥି ସହିତ ସେ ଅନେକ ବ୍ୟବସାୟରେ କ୍ଷତି ସହିଥିବା ସୁଚନା ମିଳିଛି । ଏହା କେତେଦୁରୁ ସତ୍ୟ ଅନୁସନ୍ଧାନ ମୁଳକ । ଏବେ ଏହି ହଡ଼ପ ଟଙ୍କା ତାଙ୍କ ସ୍ୱାମୀ ଖର୍ଚ୍ଚ କରିଥିବା ସାଧାରଣରେ ଚର୍ଚ୍ଚା ଜାରି ରହିଛି । ଯେଉଁଥିପାଇଁ ସ୍ୱାମୀଙ୍କ ପାଇଁ ସ୍ତ୍ରୀ ଜେଲ ଗଲେ ବୋଲି ଆଲୋଚନା ହେଉଛି ।





