ସଙ୍ଗୀନ ଅଭିଯୋଗରେ କୋର୍ଟ ଚାଲାଣ

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା କାହ୍ନୁର ଖେଳ ଆଜି ଖତମ୍ ହୋଇଛି । ଦୀର୍ଘ ୪ ମାସ ଧରି ପୁଲିସକୁ ପାଣି ପିଆଇ ଦେଇଥିବା ଏହି ମାଫିଆକୁ ପୁଲିସ ଟେକି ଆଣିଛି । ଆଜି ଚାନ୍ଦପୁର ପୁଲିସ କାହ୍ନୁକୁ ସଙ୍ଗୀନ ଅଭିଯୋଗରେ କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ମିଳିଥିବା ସୂଚନାନୁସାରେ, ଟାଙ୍ଗିର କାହ୍ନୁ ଚରଣ ପ୍ରଧାନ ଓରଫ କାହ୍ନୁ ଦୀର୍ଘବର୍ଷ ଧରି ନୟାଗଡ଼ ଜିଲ୍ଲା ରଣପୁର ଥାନା, ଚାନ୍ଦପୁର ଥାନା ଏବଂ ଟାଙ୍ଗି ଥାନା ଅଂଚଳରେ ନିଜର କାୟା ବିସ୍ତାରି ଚାଲିଥିଲା । ନିଜକୁ ହୋମ ଡିପାଟ୍ମେଣ୍ଟ ସେକ୍ରେଟେରୀ, ଶିକ୍ଷା ସଚିବ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ମନ୍ତ୍ରୀ, ନେତାଙ୍କ ପାଖଲୋକ ବୋଲି ପରିଚୟ ସୃଷ୍ଟି କରି ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଖଣି ମାଫିଆ ପର୍ଯ୍ୟନ୍ତ ସମସ୍ତଙ୍କୁ ଚୂନ ଲଗାଇ ଚାଲିଥିଲା । କିଛି ତହସିଲ, ବ୍ଲକ ଏବଂ ଚାନ୍ଦପୁର ଡାକ୍ତରଖାନାର ଜୈନିକ କର୍ମଚାରୀଙ୍କୁ ହାତ କରି ଆତଙ୍କ ରାଜ ଚଳାଇ ଆସିଥିଲା । ଯାହାକୁ ନେଇ ପ୍ରଶାସନିକ ଅଧିକାରୀ ଏବଂ ସଚ୍ଚୋଟ ସରକାରୀ କର୍ମଚାରୀ ଅତିଷ୍ଠ ହୋଇପଡ଼ିଥିବା ବେଳେ କାହ୍ନୁ ନିଜର ଭୋକ ମେଣ୍ଟାଇବାକୁ ରାଇପଡ଼ା ଗୋଷ୍ଠୀ ସଂଘର୍ଷ ସୃଷ୍ଟି କରାଇଥିଲା । ଯାହାକୁ ନେଇ ଚାନ୍ଦପୁର ପୁଲିସ କାହ୍ନୁ ନାମରେ ବିଭିନ୍ନ ମାମଲା ରୁଜୁ କରାଇବାରୁ ସେ ତା’ର ଚେଲା ଚାମୁଣ୍ଡାଙ୍କୁ ଲଗାଇ ଥାନା ଅଧିକାରୀଙ୍କ ନାମରେ କୋର୍ଟରେ କେଶ୍ କରାଇଥିଲା । ପୁଲିସ ଦୀର୍ଘ ୪ ମାସ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିବା ବେଳେ ଗତକାଲି ରାତିରେ କଟକର ଏକ ସ୍ଥାନରୁ ପୁଲିସ କାହ୍ନୁକୁ ଉଠାଇ ଆଣିଥିଲା । ଚାନ୍ଦପୁର ଥାନା ଅଧିକାରୀଙ୍କୁ ସୂଚନା ମୁତାବକ, ନୟାଗଡ଼ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ କାହ୍ନୁକୁ ଧରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ସେ ଧରା ପଡ଼ିଥିବା ବେଳେ ତାଙ୍କଠାରୁ ବିଭିନ୍ନ ପ୍ରକାର ପରିଚୟ ପତ୍ର, ଏକାଧିକ ବ୍ୟାଙ୍କ ପାସ୍ବୁକ୍, ଦୁଇଟି ଲାପଟପ୍ ଏବଂ ଏକ କାର ଜବତ କରାଯାଇଛି । ତାଙ୍କ ନାମରେ ରାଇପଡ଼ା ଗୋଷ୍ଠୀ ସଂଘର୍ଷ ମାମଲା ସହ ଏକ ବିଦ୍ୟାଳୟ ଖୋଲିବା ସହ ଠକେଇ ପ୍ରଭୃତି ମାମଲା ରହିଥିଲା । ଆଜି ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।






