Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦେବୀର ମୁହଁ

ଅନୀଲ କୁମାର ପଣ୍ଡା

by Anil Panda
October 23, 2020
in Literature, Nayagarh
ଦେବୀର ମୁହଁ
640
VIEWS
Share on FacebookShare on Twitter

ଚାନ୍ଦିନୀଚୌକ୍ ଛକରୁ ସିଂହର ଗର୍ଜ୍ଜନ ଶୁଭୁଛି ।

        ଟ୍ରାଫିକ୍ ପୋଲିସ ରାସ୍ତା ବନ୍ଦ କରିଦେଇ ଗୋଟିଏ ରାସ୍ତାରେ ଗାଡ଼ି ଗୁଡ଼ିକ ଛାଡ଼ୁଛନ୍ତି । ଅଘଟଣ ଆଶଙ୍କାରେ ମଝି ରାସ୍ତାରେ ଠିଆ ହୋଇଯାଇଛି ପି.ସି.ଆର । ମାଳମାଳ ପୋଲିସ ରାସ୍ତା କଡ଼ରେ । ଦୁର୍ଗାପୂଜା ତୋରଣ ଆଲୋକ ଅନ୍ଧାରକୁ କାଟି ଝଲସୁଛି । ନାଲି, ନେଳୀ, ହଳଦିଆ, ସାତରଂଗ ଏକାଠି ହୋଇଯାଇଛି ମାଆଙ୍କ ପାଇଁ ।

        ଦି କପ୍ ଚା ଏକାଥରକେ ପି’ ସାରିବା ପରେ ସିଗାରେଟରେ ନିଆଁ ଲଗାଇ ସାରିଛି ନାନୁ । ମୁହଁରେ ବୁନ୍ଦା ବୁନ୍ଦା ଝାଳ । ପାଟିରେ ପୁଳାପୁଳା ଧୂଆଁ, ଅନ୍ଧାରୁଆ ପାନ ଦୋକାନରୁ ସଂନ୍ଧ୍ୟା ଆକାଶକୁ ଉଡ଼ି ଯାଉଛି । କାହାକୁ ଅପେକ୍ଷା କରିଛି ବୋଧେ ।

         ଛକ ଉପରେ ବସିଥିବା ଛେନା, ରାବିଡ଼ି ବାଲାର ଆଜି ବେପାର ମାନ୍ଦା । ଦଶହରା ଯାତ୍ରାରେ କେତେ ଖାଦ୍ୟ ଷ୍ଟଲରେ ଭିଡ଼ ଲାଗିଛି । ଏ ଛେନା ରାବିଡ଼ିକୁ ପଚାରେ କିଏ ।

         ସବୁ ଗହଳିକୁ କାଟି ଉଚ୍ଚ ସ୍ୱରରେ ଶୁଭୁଛି ସିଂହର ଗର୍ଜ୍ଜନ । ମୁଣ୍ଡକୁ ହଲାଇ ସିଂହ ଗର୍ଜ୍ଜନ କରୁଛି । ଆଖିରେ ଲାଗିଥିଲା ନାଲି ରଂଗର ଲାଇଟ ଜଳି ଉଠୁଛି । ସିଂହ ତା’ ବିଶାଳ ପାଟି ଖୋଲି ଧରି ପକାଉଛି ମଇଁସିର ବେକ । ମଇଁସି ବେକରୁ ପୁଳାଏ ରକ୍ତ ବୋହି ଆସୁଛି । ଚାଲିଗଲା ଲୋକ ଏ କୁଞ୍ଜ ନିକଟରେ ଦେଖିବାକୁ ଅଟକି ଯାଉଛି ।

         ଭଲା ଏ ଦଶରା । କଟକର ଗଳି କନ୍ଦିରେ ମେଢ଼ । ବାଉନ ବଜାର ତେପନ ଗଳି ଝଲଶୁଛି ଆଲୋକମାଳାରେ । ଜୀବନରେ କେତେବେଳେ କଟକ ଦଶରା ଦେଖିବାର ସୁଯୋଗ ମିଳି ନଥାନ୍ତା । ଯଦି ରିତୁର ଦେହ ଖରାପ ହୋଇନଥାନ୍ତା ।

            ଆରେ ହେ, ତା’ ପାଇଁ ଔଷଧ ନେଇ ଯିବି ! ମନେ ପଡ଼ିଲା ନାନୁର ।

        ବାଇକ ଧରି ଶିଶୁ ଭବନ ଯିବା ବେଳକୁ ଗାଡ଼ି ଅଟକାଇ ଦେଲେ ପୁଲିସ । ଏପଟେ ନୁହଁ ସେପଟେ ଯିବାକୁ ହାତ ଦେଖାଇଲେ । ସେପଟ ରାସ୍ତାରେ ବୁଲିଲା ବେଳକୁ ଚାନ୍ଦିନଚୈକ୍ ଛକର ମେଢ଼ ଉପରେ ନଜର ପଡ଼ିଲା ତା’ର । ସୁନା ମୁକୁଟ ମାଆଙ୍କ ମୁଣ୍ଡରେ ଝଲସି ଉଠୁଥିଲା । ଅତି ଉଜ୍ଜ୍‌ଳ ଆଲୋକରେ ମାଆଙ୍କ ଆଖି ପ୍ରଜ୍ଜ୍ୱଳିତ ହୋଇ ଆସୁଥିଲା ।

           ଫୋନଟା ବାଜି ଉଠିଲା । ଗହଳି ଭିତରୁ ଗାଡ଼ି ପାଖେଇ ମୋବାଇଲ କାଢ଼ି କଥା ହେବା ବେଳକୁ ମାଇକରେ ଦୁର୍ଗାଙ୍କ ବନ୍ଦନା ଖୁବ ଉଚ୍ଚ ସ୍ୱରରେ ବାଜି ଉଠିଲା । ଫୋନରେ ଅପରପାଶ୍ୱର୍ରୁ କିଛି ସ୍ୱର ଶୁଣା ଗଲା ନାହିଁ । କଲ୍ କାଟି ପୁଣିଥରେ ଗାଡ଼ି ଷ୍ଟାର୍ଟ କଲା ନାନୁ । ଦଶରା ମେଢ଼ ନିକଟରେ ଝଲୁସୁଥିବା ଲିଚୁ ମାଳ ଗାଡ଼ି ଲାଇଟକୁ ଫିକା କରି ଦେଲା । ଜହ୍ନ ଆକାଶ, ଭୂମିକୁ ଛୁଇଁବା ଭଳି ମନେ ହେଉଥିଲା ।

              ନାନୁ ଯାଇ ପହଂଚିଲା ଶିଶୁ ଭନବରେ । ରିତୁକୁ ଜର । ତା’ ପୁଣି ଆଜିକୁ ମାସେ ହେଲାଣି । ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ନାନୁ ତା’କୁ ନେଇ ବୁଲି ବୁଲି ନୟାନ୍ତ ହୋଇଯିବା ପରେ ଆସି ପହଚିଂଛି ସର୍ଦ୍ଦାର ବଲ୍ଲଭ ଭାଇ ମେଡିକାଲ ଶିଶୁ ଭବନରେ ।

             ରିତୁୁ ଶୋଇଛି ବେଶ୍ ଟିକେ ଆରାମରେ । ତା’ ପାଖରେ ଷ୍ଟୁଲରେ ବସି ଖଟ ଉପରକୁ ଆଉଜି ଯାଇଛି ସୁମି । ଝିଅଟା ରାତି ସାରା ଶୁଆଇ ଦେଇନି । ଏଭଳି ଅବସ୍ଥାରେ ସେଦୁହେଁ ଆଉ କୋଉ ଶୋଇବେ । ଦି’ ଜଣ ରାତି ସାରା ତାକୁ ଜଗି ବସିଛନ୍ତି ।

              ମୁଣ୍ଡଟା ଉପରକୁ ଟେକି ଆଖି ତରାଟି ପିଲାଟା ଖାଲି ଦୀର୍ଘ ନିଶ୍ୱାସ ନେଉଥାଏ । ହାତ ମୁଠା ମୁଠା କରି ପକାଉଥାଏ । ରାତି ଦୁଇଟା ବେଳକୁ ଦିହ ବି ନେଳୀ ପଡ଼ି ଯାଇଥିଲା । ଆଖିକୁ କେମିତି ନିଦ ଆସିଥାନ୍ତା ଯେ ।

             ସକାଳୁ ବଡ଼ ଡାକ୍ତର ଆସି ଇଞ୍ଜେକ୍ସନ୍ ଦେବା ପରେ ଛୁଆଟା ଟିକେ ଭଲ ଅଛି । ରିତୁ ଜନ୍ମ ହେଲା ଦିନଠୁ ପରିବାରର ଖୁସି କହିଲେ ନସରେ । ହେଲେ ଟିକେ ଅବହେଳାରୁ ତା’ର ଏଇ ଅବସ୍ଥା ହେଲା ଯେ, ମାସେ କାଳ ହଇରାଣ । ସୁମି ମୁଣ୍ଡ ପାଖରେ ଔଷଧ ମୁଣାକୁ ଥୋଇ ବାହାରକୁ ଚାଲିଗଲା ନାନୁ । ମନଟା ଅସ୍ଥିର ଲାଗୁଥିଲା । ଭାରିଭାରି ବି ଲାଗୁଥିଲା । ସେହି ସିଂହର ଗର୍ଜ୍ଜନ ତା ଭିତରେ ବାନ୍ଧି ହୋଇଯାଇଥିଲା ।

             ନାନୁ ବାହାରି ସାରିଥିଲା କାଠଯୋଡ଼ି ରାସ୍ତାରେ । ସାଇ ମନ୍ଦିର ପାଖରୁ ରାସ୍ତା ପାର ହୋଇ ବେଶ ଆଗକୁ ଚାଲି ଯାଇଥିଲା । ନୂଆ ବିଜ୍ର ପାଖ ଦେଇ କିଛି ବାଟ ଗଲା । ରାସ୍ତାକଡ଼ରେ ଦହିବରା, ଗୁପୁଚୁପ ପସରା । ଛାପସା୍ ଅନ୍ଧାରରେ ଲୋକ ଘେରି ରହିଛନ୍ତି । ନୂଆ ରାସ୍ତାରେ ଲାଗିଥିବା ଏଲଇଡି ଲାଇଟ ସବୁ ଅନ୍ଧାରକୁ ପୋଛି ପାରୁନଥଲେ ମଧ୍ୟ ଭୟକୁ ବଢ଼ିବାକୁ ଦେଉନଥାନ୍ତି । କିଛି ବାଟ ଆସି ସାରିବା ପରେ ନାନୁ ରାସ୍ତା କଡ଼ର ଏକ ପଥର ଉପରେ ବସି ପଡ଼ିଲା । ନଦୀ କୂଳ ଶୀତଳ ପବନ ଦେହର ଲୋମକୁ ଥରାଇ ଦେଉଥିଲା । ପ୍ୟାକେଟରୁ ପୁଣି ଏକ ସିଗାରେଟ କାଡ଼ି ନିଆଁ ଧରାଇଲା । ସିଗାରେଟର ଧୂଆଁ ସବୁ ପବନ ସହ ଯୁଦ୍ଧ କରି, ପଛକୁ ଫେରି ମୁହଁରେ ପିଟି ହଉଥିଲା । ନାନୁ ଘର ଛାଡ଼ି ଆସିବାର ଅନେକ ଦିନ ହୋଇ ସାରିଲାଣି । ଘରେ ବାପା, ବୋଉ ଅସ୍ଥିର ହୋଇଗଲେଣି । ରିତୁର ଦେହ ସଂମ୍ପୁର୍ଣ୍ଣ ଠିକ ହେବାକୁ ଆଉ ଦି ଚାରି ଦିନ ଲାଗିବ ।

             ନଦୀ କୂଳର ନିର୍ଜ୍ଜନତା, ନିସ୍ତବତା ଭିତରେ ବାନ୍ଧି ହୋଇ ନାନୁ ଭାବୁଥିଲା ତା କର୍ମକ୍ଷେତ୍ରର କଥା । କେବେ ସେ ଫେରିବ । ଅନେକ ଦିନ ହେବ ବ୍ୟବସାୟ ବନ୍ଦ । ଏଭିତରେ ଅନେକ ଖର୍ଚ୍ଚ ହୋଇ ପାଖରୁ ଅର୍ଥ ଖାଲି ହୋଇ ଆସୁଛି । ହଠାତ୍ ଶୁଭିଲା ଗୋଟେ ଛୋଟ ଝିଅର ବିକଟାଳ ସ୍ୱର । ସ୍ୱରଟା ଗୋଟିଏ ଥରରେ ହିଁ ଅଟକି ଗଲା । କିଛି ବୁଝିବା ପୂର୍ବରୁ ନାନୁ ଶୁଣି ପାରୁଥିଲା ସିଂଘର ରଡ଼ି । ଚାନ୍ଦିନୀ ଚୈକ୍ ଛକର ସେ ରଡ଼ି କ’ଣ ଏତେ ଦୂର ନଦୀ କୂଳରେ ପହଂଚିପାରୁଛି । ନା’ ଏହା ତା’ର ଭ୍ରମ । ନଦୀ ବନ୍ଧରେ ଯାଉଥିବା ଗାଡ଼ିର ଶଦ୍ଦ ବି ଏଠିକୁ ବହୁତ କ୍ଷୀଣ ଶୁଭୂଛି । ଚାନ୍ଦିନୀଚୈାକୀ ଛକ ଏଠୁ କିଲୋମିଟରରୁ ଅଧିକ ହେବ । ନାନୁ ପଥର ଉପରୁ ଉଠି ନଦୀକୂଳକୁ ଚାଲିଲା । ନଦୀରେ ଭରା ପାଣି ଧାରଠାରୁ ବାଲି ପଠା ପର୍ଯ୍ୟନ୍ତ ଚାରିଆଡ଼େ ଘୂରି ଆସିଲା । କୂଳରେ ପଡ଼ିଥିବା ପଥରରେ ଶିଉଳୀ । କାଶତଣ୍ଡି ଫୁଲ ସବୁ ଜହ୍ନ ଆଲୁଅକୁ ଚାହିଁ ରହିଥାନ୍ତି । ପାଣି ଧାର ମାଡ଼ ହୋଇ ମଝିରେ ମଝିରେ ହଲି ତରଙ୍ଗାୟିତ ହେଉଥାନ୍ତି ।

            କୋଉଠୁ ଏ ସ୍ୱର ଶୁଭିଲା? ସିଂଘର ରଡ଼ି ଭଳି ଏ ସ୍ୱର କ’ଣ ଭ୍ରମ ଥିଲା । ନାଁ ନିଶ୍ଚୟ ସେ ଝିଅଟିର ପାଟି ସ୍ୱର ଶୁଣିଛି । ନାନୁ ମୋବାଇଲ ଟର୍ଚ୍ଚ ଲାଇଟକୁ ଜାଳି ପୁଣି ଥରେ ପଥର ଉପରୁ ଏପଟ ସେପଟକୁ ପକାଇଲା । ଫ୍ଲାସ ଲାଇଟର ଆଲୋକରେ ତାକୁ ଝାପ୍‌ସା ଦେଖାଯାଉଥିବା ଅନ୍ଧାର ଗାଢ଼ ଦେଖାଗଲା । ସେଇ ପାଖରେ ଥିବା ଏକ ଗଛ ମୂଳରେ କିଛି ଖଚଖଚ ଶଦ୍ଦ ଶୁଣାଗଲା । ନାନୁ ଧିରେ ସେ ସ୍ୱରକୁ କାନେଇଲା । ପୁଣିଥରେ କିଛି ଗୋଟେ ଦୁଲ କରି ପଡ଼ିବାର ଶଦ୍ଦ । ନାନୁ ନିଶ୍ଚିତ ହେଲା କିଛି ଗୋଟେ ଘଟୁଛି । ନାନୁ ଗଛ ମୂଳକୁ ଯିବା ବେଳକୁ ପତ୍ର ଉପରେ କାହାର ପାଦ ଶଦ୍ଦ । ସେ ଅଟକି ଗଲା । ଶୁଭା ଯାଉଥିବା ଶଦ୍ଦ ମଧ୍ୟ ଅଟକି ଗଲା । ଏହା ତା’ ନିଜ ପାଦ ଶଦ୍ଦ ନା ଆଉ କିଛି । ରାସ୍ତାରେ ଯାଉଥିବା ଏକ ବଡ଼ ଗାଡ଼ିର ଲାଇଟ୍ ଆସି ତା ଦେହରେ ପଡ଼ିଲା । ନାନୁ ସେ ଲାଇଟକୁ ଅନୁସରଣ କରି ରାସ୍ତା ଉପରକୁ ଚାଲି ଆସିଲା । ଫେରିଲା ଶିଶୁ ଭବନ ରାସ୍ତାରେ ।

          ରାତିରେ ବି ନାନୁ ଆଖିକୁ ନିଦ ନାହିଁ । ପାହାନ୍ତିଆ ପହରରୁ ଆଖି ଲାଖି ଯାଇଥିଲା ଯେ, ହୋ ହାଲ୍ଲାରେ ନିଦ ଭାଙ୍ଗିଗଲା ।

        ସର୍ଜରୀ ୱାର୍ଡ଼ ଆଗରେ ବେଶ ଗହଳୀ । ଶହ ଶହ ଲୋକଙ୍କ ଭିଡ଼ । ଦୁଇ ଚାରିଟା ପି.ସି.ଆଇ ଭ୍ୟାନ ମଧ୍ୟ ଛିଡ଼ା ହୋଇଛି । ସେ ଗହଳୀକୁ ଆଡ଼େଇ ନାନୁ ଆଗେଇ ଚାଲିଲା । ଟିକେ ଆଗକୁ ଯିବା ପରେ ପୁଲିସ କର୍ମଚାରୀମାନେ ଅଟକାଇ ଦେଲେ । ଭିତରକୁ ଯିବାକୁ ବାରଣ । ପୁଲିସ ବଡ଼ ବଡ଼ ଅଧିକାରୀ ସେଠି ଛିଡ଼ା ହୋଇଥିଲେ । ପାଖରେ ମେଂଚାଏ ସାମ୍ବାଦିକ । ମେଂଚା ମେଂଚା କ୍ୟାମେରା ଓ ବୁମ ନେଇ ପିଟିସି ଦେଉଥାନ୍ତି । ତା ସାଙ୍ଗକୁ ପୁଣି ଲୋକଙ୍କ ମତାମତ । ଲୋକ ଗହଳିରୁ ଖାଲି ଟୁପୁରୁ ଟାପର ଶଦ୍ଦ । ନାନୁକୁ ବୁଝିବାକୁ ବାକି ରହିଲାନି । ନିଶ୍ଚେ କିଛି ଅଘଟଣ ଘଟିଛି । ତାହା ପୁଣି ବଡ଼ ଧରଣର ।

          ପଛକୁ ଫେରି ଆସି ନାନୁ ଜଣେ ବ୍ୟକ୍ତିଙ୍କୁ ପଚାରିଲା, କ’ଣ ହୋଇଛି? ସେ ଲୋକ ଚୁପ ରହିଲେ, ମୁହଁକୁ ଟିକେ ଗମ୍ଭୀର କରି ପାଖେଇ ଗଲେ । ନାନୁକୁ ଟିକେ ଖରାପ ଲାଗିଲା । ତଥାପି ମନର ଦ୍ୱନ୍ଦ ଦୂର କରିବା ପାଇଁ ଅନ୍ୟ ଜଣଙ୍କୁ ପଚାରିଲା, ଭାଇ ! କ’ଣ ହୋଇଛି ?

           ଛାଡ଼, ଏଡ଼େ ଛୋଟ ଝିଅଟାର କି ଅବସ୍ଥା ହୋଇଛି । ନାନୁ ପଚାରିଲା, ଅବସ୍ଥା! କ’ଣ ହୋଇଛି ?

         ଗୋଟେ ଝିଅଟି ସହ କେହି ଖରାପ କାମ କରି, ନଦୀ ପଠାରେ ପକାଇ ଦେଇଥିଲା । ଏକଥା ଶୁଣିବା ପରେ ନାନୁ, ସେ ଝିଅଟିକୁ ଦେଖିବାକୁ ବ୍ୟାକୁଳ ହୋଇଗଲା । ହେଲେ ନାଚାର । ଚାହୁଁ ଚାହୁଁ ଗହଳୀ ବଢ଼ିବାକୁ ଲାଗିଲା ।

           ଭାଇଚାରାର ସହର କଟକର ଲୋକମାନେ ଶିଶୁ ଭବନ ଚାରିପଟେ ଘେରି ସାରିଥିଲେ । ପ୍ରବଳ ଗହଳୀକୁ ଆଡ଼େଇ ମହିଳା ସଂଗଠନର କିଛି କର୍ମକର୍ତ୍ତା ସେଠି ପହଂଚି ଗଲେ । ଫାଟକ ସାମନାରେ ହାତରେ ପ୍ଲାକାର୍ଡ଼ ଧରି ସେମାନେ ନାରାବାଜି କରିବାକୁ ଲାଗିଲେ । ହେଲେ ଦଶରା ମାଇକ ଶଦ୍ଦ ଆଗରେ ସେମାନଙ୍କ ନାରାବାଜି ଫିକା ପଡ଼ିଗଲା । ସୂର୍ଯ୍ୟଙ୍କ କିରଣରେ ସେମାନଙ୍କ ପ୍ଲାକାର୍ଡ଼ ଝାପସା ଦିଶିଲା । ସିଂଘର ଗର୍ଜ୍ଜନ ତାଙ୍କ ନାରାବାଜିଠାରୁ ଆହୁରୁ ପ୍ରଖର ହୋଇ ଆସିଲା । ନାନୁ ଏସବୁ ଦେଖି ନିଜକୁ ଦୋଷୀ ଭାବିବାକୁ ଆରମ୍ଭ କଲା ।

         ଟିଭିରେ ସେ ଘଟଣାର ଖବର । ନାବାଳିକାକୁ ଗଣଦୁଷ୍କର୍ମ କରି ନଦୀ ପଠାରେ ପିଙ୍ଗିଦେଲେ । ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ଶିଶୁ ଭନରେ ଭର୍ତ୍ତୀ କଲେ ସ୍ଥାନୀୟ ଲୋକେ । ପୁଲିସ ପକ୍ଷରୁ ଛାନଭିନ । ଖବର ଦେଖିବା ପରେ ତା ଦେହ ହାତ ଥରିବାକୁ ଲାଗିଲା । କାରଣ ଘଟଣାର ସମୟ ଓ ସ୍ଥାନ ଯାହା ପ୍ରକାଶ ପାଇଛି, ସେହି ସ୍ଥାନକୁ ସେହି ସମୟରେ ନାନୁ ଯାଇଥିଲା । କାଠଯୋଡ଼ି ନଦୀ କୂଳର ସେଇ ପଥର ଉପରେ ବସି ନାନୁ ନିଜକୁ ଟିକେ ହାଲକା କରିବାକୁ ଚେଷ୍ଟା କରୁଥିଲା ।

            ମାତ୍ର ସେ କ’ଣ କରି ପାରିବ । ଘଟଣାକୁ ଛାତି ତଳେ ଚାପି ଦେବାକୁ ଚେଷ୍ଟା କରିବ ଭାବି ଚାଲି ଆସିଲା । ବହୁ ଚେଷ୍ଟା କଲେ ମଧ୍ୟ ସେ ଭୁଲି ପାରୁନଥିଲା ଝିଅଟିର ଅବସ୍ଥା । ଯଦି ସେ ତା ଝିଅ ହୋଇଥାନ୍ତା !

          କ’ଣ ସେ ଭୁଲି ପାରିଥାନ୍ତା ?

         ଦୋଷୀକୁ କ୍ଷମା କରିପାରିଥାନ୍ତା ?

          ନିଜ ଭିତରର କୋହକୁ ଚାପି ଦେଇ ପାରିଥାନ୍ତା ?

          ନାନୁ ଏକ ଗୋଲକଧନ୍ଦା ଭିତରେ ଆବିଷ୍କାର କରି ପାରୁଥିଲା । କାହିଁକି ସେ ଏତେ ଅସ୍ଥିର ହୋଇପଡ଼ୁଛି । ସେ ଝିଅ ସହ ତା’ର କି ସଂମ୍ପର୍କ ରହିଛି । ଦିନସାରା ଅନେକ ପ୍ରଶ୍ନ ବାନ୍ଧି ଧରୁଥିଲା ତାକୁ ।

           ନାନୁ ରାତି ଖାଇବା ଧରି ମେଡିକାଲ ୱାର୍ଡ଼ରେ ପଂହଚିଲା । ତାକୁ ଦେଖି ରିତୁ ସାର୍ଟ ଭିଡ଼ି ପକାଉଥାଏ । ପିଲାଟା ଟିକେ ସ୍ନେହ ପାଇବା ପାଇଁ ଅସ୍ଥିର । ଭାରାକ୍ରାନ୍ତ ଲାଗୁଥିଲେ ବି କୋଳେଇ ନେଲା ସେ । ରିତୁକୁ ଗେହ୍ଲା କଲା । କିଛି ସମୟ ତାକୁ ଖେଳେଇବା ପରେ ତାକୁ ଛାଡ଼ି ପୁଣି ଚାଲି ଆସିଲା ବାହାରକୁ । କାହିଁକି ସେ ଅସ୍ଥିର ହୋଇପଡ଼ୁଛି । କାଲି ରାତିର ଅନିଦ୍ରା ପାଇଁ ଏ ଅବସ୍ଥା । ହଁ ହେଇପାରେ ! ରାତି ସାରା ସେ ଶୋଇ ନାହିଁ । ବାହାରକୁ ଯାଇ ଶିଶୁ ଭବନର ବାରଣ୍ଡାରେ ମଶିଣା ବିଛାଇ ଶୋଇପଡ଼ିଲା । ପାଖରେ ମେଂଚାଏ ଲୋକ । ସମସ୍ତେ ପିଲାଙ୍କୁ ନେଇ ଚିକିତ୍ସା ପାଇଁ ଆସିଛନ୍ତି । ମେଡିକାଲ କଥା, ଖିଆ ପିଆ କିଛି ଠିକ ରୁହେନି । ଯାହା ମିଳିଲା ଖାଇବ, ଯୋଉଠି ସୁବିଧା ଶୋଇବ । ଶିଶୁ ଭବନରେ ରୋଗୀ ସଂମ୍ପର୍କୀୟ ମାନଙ୍କ ପାଇଁ ରାତ୍ରି ଯାପନ କରିବାକୁ ସରକାର ଏକ ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି । ହେଲେ କିଏ କାହା ପିଲାକୁ ବେଡରେ ଛାଡ଼ି ସେଠି ଶୋଇବ ।

           ବେଶ ନିଦ ଲାଗି ଯାଇଥାଏ ନାନୁକୁ । ଗତରାତିର ଅନିଦ୍ରା, ଦିନସାରା ବୁଲାବୁଲିର କ୍ଲାନ୍ତି ପାଇଁ ମଶାର ନିର୍ଯ୍ୟାତନା ମଧ୍ୟ ଜାଣି ପାରୁନଥାଏ ନାନୁ । ରାତିବି ଅନେକ ହୋଇସାରି ଥାଏ । ଚାରିଆଡ଼ ଶୁନଶାନ ହୋଇଯାଇଥାଏ ।

          ଚାଉଁକିନା ଉଠିପଡ଼ିଲା ସେ, ହଠାତ୍ ଏମିତି ସ୍ୱପ୍ନ । ଆଶ୍ଚର୍ଯ୍ୟ ହୋଇଗଲା । ତା ଝିଅ ରିତୁର ମୁହଁ ସାରା ଆଂଚୁଡ଼ା ଦାଗ । ଦେହ କ୍ଷତବିକ୍ଷତ ହୋଇଯାଇଛି । ନିଶ୍ୱାସ ନେବା ତା’ ପାଇଁ କଷ୍ଟକର । ଦେହରେ ଧଳା ବେଡସିଡ୍ । ବେଡଶିଡ୍ ତଳୁ ବୋହି ଆସୁଛି ରକ୍ତର ଧାର । ଆଃ କି କଷ୍ଟ !

            ରିତୁ ବିକଳରେ ବାପା ବାପା ବୋଲି ଡାକ ଛାଡ଼ୁଛି ।

           ଅସହ୍ୟ ହୋଇପଡ଼ିଲା ନାନୁ । ଉଠିପଡ଼ି ୱାର୍ଡ଼ର କବାଟ ଖୋଲିଲା, ଧାଇଁଲା ବେଡ ପାଖକୁ । ରିତୁ ଓ ସୁମି ଶୋଇଛନ୍ତି । ନାନୁ ରିତୁର ଦେହ ମୁଣ୍ଡ ହାତ ବୁଲାଇ ଆଣିଲା । ତା’ ପେଟ, ଜଙ୍ଘରେ ଉପରୁ କପଡ଼ା ପାଖେଇ ନିରିଖେଇଲା । ନାହିଁ, କିଛି ବି ଆଞ୍ଚୁଡ଼ା ଦାଗ ନାହିଁ । ରିତୁ ବେଶ୍ ଆରାମରେ ଶୋଇଛି । ତଥାପି ମନରୁ ସନ୍ଦେହ ଗଲାନି । ଆଉ ଥରେ ରିତୁକୁ ଓଲଟାଇ, ଦେହଠାରୁ ମୁଣ୍ଡ ଆଖି ଘୁରେଇ ଆଣିଲା ।

          ନାନୁର ନଜର ପଡ଼ିଲା ରିତୁ ହାତରେ । ହାତରେ ଗୋଟେ ମଇଁସିର ଖେଳନା । ନାନୁ ଆଶ୍ଚର୍ଯ୍ୟ ହୋଇପଡ଼ିଲା । ମଇଁସି ଖେଳନାକୁ ଦେଖିବା ପରେ ତାକୁ ଅଜବ ଅଜବ ଲାଗିଲା । ନାନୁ ପୁଣିଥରେ ରିତୁର ମୁଣ୍ଡ ଆଉଁସି ଦେଇ ତା ହାତରୁ ଖେଳନାକୁ ନେଇ ଚାଲିଗଲା । ନିର୍ଜ୍ଜନ ରାତିର ଛାତିକୁ ଚିରି ନଳକୂଅ ପାଖକୁ ଯାଇ ଦୁଇ ଚାରି ମୁଠା ପାଣି ନିଜ ମୁହଁରେ ମାରିହେଲା । ନଳକୂପର ହ୍ୟାଣ୍ଡେଲକୁ ଧରି ସେଇ ସିମେଣ୍ଟ ଚଟାଣ ଉପରେ ବସିଗଲା । ହୃଦସ୍ପନ୍ଦନର ସ୍ଥିରତା ଆସିବା ପରେ ସେଇ ମଇଁସି ଖେଳନାକୁ ଭାଙ୍ଗି ଦେଇ ନାଳରେ ଫିଙ୍ଗିଦେଲା ।

               ତା’ କାନ ପାଖରେ ଗୁଞ୍ଜରିତ ହେଉଥିଲା ସିଂଘର ଗର୍ଜ୍ଜନ । ନାନୁ ଆଖି ଆଗରେ ଦେବୀର ମୁହିଁ!

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!