ଚାନ୍ଦିନୀଚୌକ୍ ଛକରୁ ସିଂହର ଗର୍ଜ୍ଜନ ଶୁଭୁଛି ।
ଟ୍ରାଫିକ୍ ପୋଲିସ ରାସ୍ତା ବନ୍ଦ କରିଦେଇ ଗୋଟିଏ ରାସ୍ତାରେ ଗାଡ଼ି ଗୁଡ଼ିକ ଛାଡ଼ୁଛନ୍ତି । ଅଘଟଣ ଆଶଙ୍କାରେ ମଝି ରାସ୍ତାରେ ଠିଆ ହୋଇଯାଇଛି ପି.ସି.ଆର । ମାଳମାଳ ପୋଲିସ ରାସ୍ତା କଡ଼ରେ । ଦୁର୍ଗାପୂଜା ତୋରଣ ଆଲୋକ ଅନ୍ଧାରକୁ କାଟି ଝଲସୁଛି । ନାଲି, ନେଳୀ, ହଳଦିଆ, ସାତରଂଗ ଏକାଠି ହୋଇଯାଇଛି ମାଆଙ୍କ ପାଇଁ ।
ଦି କପ୍ ଚା ଏକାଥରକେ ପି’ ସାରିବା ପରେ ସିଗାରେଟରେ ନିଆଁ ଲଗାଇ ସାରିଛି ନାନୁ । ମୁହଁରେ ବୁନ୍ଦା ବୁନ୍ଦା ଝାଳ । ପାଟିରେ ପୁଳାପୁଳା ଧୂଆଁ, ଅନ୍ଧାରୁଆ ପାନ ଦୋକାନରୁ ସଂନ୍ଧ୍ୟା ଆକାଶକୁ ଉଡ଼ି ଯାଉଛି । କାହାକୁ ଅପେକ୍ଷା କରିଛି ବୋଧେ ।
ଛକ ଉପରେ ବସିଥିବା ଛେନା, ରାବିଡ଼ି ବାଲାର ଆଜି ବେପାର ମାନ୍ଦା । ଦଶହରା ଯାତ୍ରାରେ କେତେ ଖାଦ୍ୟ ଷ୍ଟଲରେ ଭିଡ଼ ଲାଗିଛି । ଏ ଛେନା ରାବିଡ଼ିକୁ ପଚାରେ କିଏ ।
ସବୁ ଗହଳିକୁ କାଟି ଉଚ୍ଚ ସ୍ୱରରେ ଶୁଭୁଛି ସିଂହର ଗର୍ଜ୍ଜନ । ମୁଣ୍ଡକୁ ହଲାଇ ସିଂହ ଗର୍ଜ୍ଜନ କରୁଛି । ଆଖିରେ ଲାଗିଥିଲା ନାଲି ରଂଗର ଲାଇଟ ଜଳି ଉଠୁଛି । ସିଂହ ତା’ ବିଶାଳ ପାଟି ଖୋଲି ଧରି ପକାଉଛି ମଇଁସିର ବେକ । ମଇଁସି ବେକରୁ ପୁଳାଏ ରକ୍ତ ବୋହି ଆସୁଛି । ଚାଲିଗଲା ଲୋକ ଏ କୁଞ୍ଜ ନିକଟରେ ଦେଖିବାକୁ ଅଟକି ଯାଉଛି ।
ଭଲା ଏ ଦଶରା । କଟକର ଗଳି କନ୍ଦିରେ ମେଢ଼ । ବାଉନ ବଜାର ତେପନ ଗଳି ଝଲଶୁଛି ଆଲୋକମାଳାରେ । ଜୀବନରେ କେତେବେଳେ କଟକ ଦଶରା ଦେଖିବାର ସୁଯୋଗ ମିଳି ନଥାନ୍ତା । ଯଦି ରିତୁର ଦେହ ଖରାପ ହୋଇନଥାନ୍ତା ।
ଆରେ ହେ, ତା’ ପାଇଁ ଔଷଧ ନେଇ ଯିବି ! ମନେ ପଡ଼ିଲା ନାନୁର ।
ବାଇକ ଧରି ଶିଶୁ ଭବନ ଯିବା ବେଳକୁ ଗାଡ଼ି ଅଟକାଇ ଦେଲେ ପୁଲିସ । ଏପଟେ ନୁହଁ ସେପଟେ ଯିବାକୁ ହାତ ଦେଖାଇଲେ । ସେପଟ ରାସ୍ତାରେ ବୁଲିଲା ବେଳକୁ ଚାନ୍ଦିନଚୈକ୍ ଛକର ମେଢ଼ ଉପରେ ନଜର ପଡ଼ିଲା ତା’ର । ସୁନା ମୁକୁଟ ମାଆଙ୍କ ମୁଣ୍ଡରେ ଝଲସି ଉଠୁଥିଲା । ଅତି ଉଜ୍ଜ୍ଳ ଆଲୋକରେ ମାଆଙ୍କ ଆଖି ପ୍ରଜ୍ଜ୍ୱଳିତ ହୋଇ ଆସୁଥିଲା ।
ଫୋନଟା ବାଜି ଉଠିଲା । ଗହଳି ଭିତରୁ ଗାଡ଼ି ପାଖେଇ ମୋବାଇଲ କାଢ଼ି କଥା ହେବା ବେଳକୁ ମାଇକରେ ଦୁର୍ଗାଙ୍କ ବନ୍ଦନା ଖୁବ ଉଚ୍ଚ ସ୍ୱରରେ ବାଜି ଉଠିଲା । ଫୋନରେ ଅପରପାଶ୍ୱର୍ରୁ କିଛି ସ୍ୱର ଶୁଣା ଗଲା ନାହିଁ । କଲ୍ କାଟି ପୁଣିଥରେ ଗାଡ଼ି ଷ୍ଟାର୍ଟ କଲା ନାନୁ । ଦଶରା ମେଢ଼ ନିକଟରେ ଝଲୁସୁଥିବା ଲିଚୁ ମାଳ ଗାଡ଼ି ଲାଇଟକୁ ଫିକା କରି ଦେଲା । ଜହ୍ନ ଆକାଶ, ଭୂମିକୁ ଛୁଇଁବା ଭଳି ମନେ ହେଉଥିଲା ।
ନାନୁ ଯାଇ ପହଂଚିଲା ଶିଶୁ ଭନବରେ । ରିତୁକୁ ଜର । ତା’ ପୁଣି ଆଜିକୁ ମାସେ ହେଲାଣି । ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ନାନୁ ତା’କୁ ନେଇ ବୁଲି ବୁଲି ନୟାନ୍ତ ହୋଇଯିବା ପରେ ଆସି ପହଚିଂଛି ସର୍ଦ୍ଦାର ବଲ୍ଲଭ ଭାଇ ମେଡିକାଲ ଶିଶୁ ଭବନରେ ।
ରିତୁୁ ଶୋଇଛି ବେଶ୍ ଟିକେ ଆରାମରେ । ତା’ ପାଖରେ ଷ୍ଟୁଲରେ ବସି ଖଟ ଉପରକୁ ଆଉଜି ଯାଇଛି ସୁମି । ଝିଅଟା ରାତି ସାରା ଶୁଆଇ ଦେଇନି । ଏଭଳି ଅବସ୍ଥାରେ ସେଦୁହେଁ ଆଉ କୋଉ ଶୋଇବେ । ଦି’ ଜଣ ରାତି ସାରା ତାକୁ ଜଗି ବସିଛନ୍ତି ।
ମୁଣ୍ଡଟା ଉପରକୁ ଟେକି ଆଖି ତରାଟି ପିଲାଟା ଖାଲି ଦୀର୍ଘ ନିଶ୍ୱାସ ନେଉଥାଏ । ହାତ ମୁଠା ମୁଠା କରି ପକାଉଥାଏ । ରାତି ଦୁଇଟା ବେଳକୁ ଦିହ ବି ନେଳୀ ପଡ଼ି ଯାଇଥିଲା । ଆଖିକୁ କେମିତି ନିଦ ଆସିଥାନ୍ତା ଯେ ।
ସକାଳୁ ବଡ଼ ଡାକ୍ତର ଆସି ଇଞ୍ଜେକ୍ସନ୍ ଦେବା ପରେ ଛୁଆଟା ଟିକେ ଭଲ ଅଛି । ରିତୁ ଜନ୍ମ ହେଲା ଦିନଠୁ ପରିବାରର ଖୁସି କହିଲେ ନସରେ । ହେଲେ ଟିକେ ଅବହେଳାରୁ ତା’ର ଏଇ ଅବସ୍ଥା ହେଲା ଯେ, ମାସେ କାଳ ହଇରାଣ । ସୁମି ମୁଣ୍ଡ ପାଖରେ ଔଷଧ ମୁଣାକୁ ଥୋଇ ବାହାରକୁ ଚାଲିଗଲା ନାନୁ । ମନଟା ଅସ୍ଥିର ଲାଗୁଥିଲା । ଭାରିଭାରି ବି ଲାଗୁଥିଲା । ସେହି ସିଂହର ଗର୍ଜ୍ଜନ ତା ଭିତରେ ବାନ୍ଧି ହୋଇଯାଇଥିଲା ।
ନାନୁ ବାହାରି ସାରିଥିଲା କାଠଯୋଡ଼ି ରାସ୍ତାରେ । ସାଇ ମନ୍ଦିର ପାଖରୁ ରାସ୍ତା ପାର ହୋଇ ବେଶ ଆଗକୁ ଚାଲି ଯାଇଥିଲା । ନୂଆ ବିଜ୍ର ପାଖ ଦେଇ କିଛି ବାଟ ଗଲା । ରାସ୍ତାକଡ଼ରେ ଦହିବରା, ଗୁପୁଚୁପ ପସରା । ଛାପସା୍ ଅନ୍ଧାରରେ ଲୋକ ଘେରି ରହିଛନ୍ତି । ନୂଆ ରାସ୍ତାରେ ଲାଗିଥିବା ଏଲଇଡି ଲାଇଟ ସବୁ ଅନ୍ଧାରକୁ ପୋଛି ପାରୁନଥଲେ ମଧ୍ୟ ଭୟକୁ ବଢ଼ିବାକୁ ଦେଉନଥାନ୍ତି । କିଛି ବାଟ ଆସି ସାରିବା ପରେ ନାନୁ ରାସ୍ତା କଡ଼ର ଏକ ପଥର ଉପରେ ବସି ପଡ଼ିଲା । ନଦୀ କୂଳ ଶୀତଳ ପବନ ଦେହର ଲୋମକୁ ଥରାଇ ଦେଉଥିଲା । ପ୍ୟାକେଟରୁ ପୁଣି ଏକ ସିଗାରେଟ କାଡ଼ି ନିଆଁ ଧରାଇଲା । ସିଗାରେଟର ଧୂଆଁ ସବୁ ପବନ ସହ ଯୁଦ୍ଧ କରି, ପଛକୁ ଫେରି ମୁହଁରେ ପିଟି ହଉଥିଲା । ନାନୁ ଘର ଛାଡ଼ି ଆସିବାର ଅନେକ ଦିନ ହୋଇ ସାରିଲାଣି । ଘରେ ବାପା, ବୋଉ ଅସ୍ଥିର ହୋଇଗଲେଣି । ରିତୁର ଦେହ ସଂମ୍ପୁର୍ଣ୍ଣ ଠିକ ହେବାକୁ ଆଉ ଦି ଚାରି ଦିନ ଲାଗିବ ।
ନଦୀ କୂଳର ନିର୍ଜ୍ଜନତା, ନିସ୍ତବତା ଭିତରେ ବାନ୍ଧି ହୋଇ ନାନୁ ଭାବୁଥିଲା ତା କର୍ମକ୍ଷେତ୍ରର କଥା । କେବେ ସେ ଫେରିବ । ଅନେକ ଦିନ ହେବ ବ୍ୟବସାୟ ବନ୍ଦ । ଏଭିତରେ ଅନେକ ଖର୍ଚ୍ଚ ହୋଇ ପାଖରୁ ଅର୍ଥ ଖାଲି ହୋଇ ଆସୁଛି । ହଠାତ୍ ଶୁଭିଲା ଗୋଟେ ଛୋଟ ଝିଅର ବିକଟାଳ ସ୍ୱର । ସ୍ୱରଟା ଗୋଟିଏ ଥରରେ ହିଁ ଅଟକି ଗଲା । କିଛି ବୁଝିବା ପୂର୍ବରୁ ନାନୁ ଶୁଣି ପାରୁଥିଲା ସିଂଘର ରଡ଼ି । ଚାନ୍ଦିନୀ ଚୈକ୍ ଛକର ସେ ରଡ଼ି କ’ଣ ଏତେ ଦୂର ନଦୀ କୂଳରେ ପହଂଚିପାରୁଛି । ନା’ ଏହା ତା’ର ଭ୍ରମ । ନଦୀ ବନ୍ଧରେ ଯାଉଥିବା ଗାଡ଼ିର ଶଦ୍ଦ ବି ଏଠିକୁ ବହୁତ କ୍ଷୀଣ ଶୁଭୂଛି । ଚାନ୍ଦିନୀଚୈାକୀ ଛକ ଏଠୁ କିଲୋମିଟରରୁ ଅଧିକ ହେବ । ନାନୁ ପଥର ଉପରୁ ଉଠି ନଦୀକୂଳକୁ ଚାଲିଲା । ନଦୀରେ ଭରା ପାଣି ଧାରଠାରୁ ବାଲି ପଠା ପର୍ଯ୍ୟନ୍ତ ଚାରିଆଡ଼େ ଘୂରି ଆସିଲା । କୂଳରେ ପଡ଼ିଥିବା ପଥରରେ ଶିଉଳୀ । କାଶତଣ୍ଡି ଫୁଲ ସବୁ ଜହ୍ନ ଆଲୁଅକୁ ଚାହିଁ ରହିଥାନ୍ତି । ପାଣି ଧାର ମାଡ଼ ହୋଇ ମଝିରେ ମଝିରେ ହଲି ତରଙ୍ଗାୟିତ ହେଉଥାନ୍ତି ।
କୋଉଠୁ ଏ ସ୍ୱର ଶୁଭିଲା? ସିଂଘର ରଡ଼ି ଭଳି ଏ ସ୍ୱର କ’ଣ ଭ୍ରମ ଥିଲା । ନାଁ ନିଶ୍ଚୟ ସେ ଝିଅଟିର ପାଟି ସ୍ୱର ଶୁଣିଛି । ନାନୁ ମୋବାଇଲ ଟର୍ଚ୍ଚ ଲାଇଟକୁ ଜାଳି ପୁଣି ଥରେ ପଥର ଉପରୁ ଏପଟ ସେପଟକୁ ପକାଇଲା । ଫ୍ଲାସ ଲାଇଟର ଆଲୋକରେ ତାକୁ ଝାପ୍ସା ଦେଖାଯାଉଥିବା ଅନ୍ଧାର ଗାଢ଼ ଦେଖାଗଲା । ସେଇ ପାଖରେ ଥିବା ଏକ ଗଛ ମୂଳରେ କିଛି ଖଚଖଚ ଶଦ୍ଦ ଶୁଣାଗଲା । ନାନୁ ଧିରେ ସେ ସ୍ୱରକୁ କାନେଇଲା । ପୁଣିଥରେ କିଛି ଗୋଟେ ଦୁଲ କରି ପଡ଼ିବାର ଶଦ୍ଦ । ନାନୁ ନିଶ୍ଚିତ ହେଲା କିଛି ଗୋଟେ ଘଟୁଛି । ନାନୁ ଗଛ ମୂଳକୁ ଯିବା ବେଳକୁ ପତ୍ର ଉପରେ କାହାର ପାଦ ଶଦ୍ଦ । ସେ ଅଟକି ଗଲା । ଶୁଭା ଯାଉଥିବା ଶଦ୍ଦ ମଧ୍ୟ ଅଟକି ଗଲା । ଏହା ତା’ ନିଜ ପାଦ ଶଦ୍ଦ ନା ଆଉ କିଛି । ରାସ୍ତାରେ ଯାଉଥିବା ଏକ ବଡ଼ ଗାଡ଼ିର ଲାଇଟ୍ ଆସି ତା ଦେହରେ ପଡ଼ିଲା । ନାନୁ ସେ ଲାଇଟକୁ ଅନୁସରଣ କରି ରାସ୍ତା ଉପରକୁ ଚାଲି ଆସିଲା । ଫେରିଲା ଶିଶୁ ଭବନ ରାସ୍ତାରେ ।
ରାତିରେ ବି ନାନୁ ଆଖିକୁ ନିଦ ନାହିଁ । ପାହାନ୍ତିଆ ପହରରୁ ଆଖି ଲାଖି ଯାଇଥିଲା ଯେ, ହୋ ହାଲ୍ଲାରେ ନିଦ ଭାଙ୍ଗିଗଲା ।
ସର୍ଜରୀ ୱାର୍ଡ଼ ଆଗରେ ବେଶ ଗହଳୀ । ଶହ ଶହ ଲୋକଙ୍କ ଭିଡ଼ । ଦୁଇ ଚାରିଟା ପି.ସି.ଆଇ ଭ୍ୟାନ ମଧ୍ୟ ଛିଡ଼ା ହୋଇଛି । ସେ ଗହଳୀକୁ ଆଡ଼େଇ ନାନୁ ଆଗେଇ ଚାଲିଲା । ଟିକେ ଆଗକୁ ଯିବା ପରେ ପୁଲିସ କର୍ମଚାରୀମାନେ ଅଟକାଇ ଦେଲେ । ଭିତରକୁ ଯିବାକୁ ବାରଣ । ପୁଲିସ ବଡ଼ ବଡ଼ ଅଧିକାରୀ ସେଠି ଛିଡ଼ା ହୋଇଥିଲେ । ପାଖରେ ମେଂଚାଏ ସାମ୍ବାଦିକ । ମେଂଚା ମେଂଚା କ୍ୟାମେରା ଓ ବୁମ ନେଇ ପିଟିସି ଦେଉଥାନ୍ତି । ତା ସାଙ୍ଗକୁ ପୁଣି ଲୋକଙ୍କ ମତାମତ । ଲୋକ ଗହଳିରୁ ଖାଲି ଟୁପୁରୁ ଟାପର ଶଦ୍ଦ । ନାନୁକୁ ବୁଝିବାକୁ ବାକି ରହିଲାନି । ନିଶ୍ଚେ କିଛି ଅଘଟଣ ଘଟିଛି । ତାହା ପୁଣି ବଡ଼ ଧରଣର ।
ପଛକୁ ଫେରି ଆସି ନାନୁ ଜଣେ ବ୍ୟକ୍ତିଙ୍କୁ ପଚାରିଲା, କ’ଣ ହୋଇଛି? ସେ ଲୋକ ଚୁପ ରହିଲେ, ମୁହଁକୁ ଟିକେ ଗମ୍ଭୀର କରି ପାଖେଇ ଗଲେ । ନାନୁକୁ ଟିକେ ଖରାପ ଲାଗିଲା । ତଥାପି ମନର ଦ୍ୱନ୍ଦ ଦୂର କରିବା ପାଇଁ ଅନ୍ୟ ଜଣଙ୍କୁ ପଚାରିଲା, ଭାଇ ! କ’ଣ ହୋଇଛି ?
ଛାଡ଼, ଏଡ଼େ ଛୋଟ ଝିଅଟାର କି ଅବସ୍ଥା ହୋଇଛି । ନାନୁ ପଚାରିଲା, ଅବସ୍ଥା! କ’ଣ ହୋଇଛି ?
ଗୋଟେ ଝିଅଟି ସହ କେହି ଖରାପ କାମ କରି, ନଦୀ ପଠାରେ ପକାଇ ଦେଇଥିଲା । ଏକଥା ଶୁଣିବା ପରେ ନାନୁ, ସେ ଝିଅଟିକୁ ଦେଖିବାକୁ ବ୍ୟାକୁଳ ହୋଇଗଲା । ହେଲେ ନାଚାର । ଚାହୁଁ ଚାହୁଁ ଗହଳୀ ବଢ଼ିବାକୁ ଲାଗିଲା ।
ଭାଇଚାରାର ସହର କଟକର ଲୋକମାନେ ଶିଶୁ ଭବନ ଚାରିପଟେ ଘେରି ସାରିଥିଲେ । ପ୍ରବଳ ଗହଳୀକୁ ଆଡ଼େଇ ମହିଳା ସଂଗଠନର କିଛି କର୍ମକର୍ତ୍ତା ସେଠି ପହଂଚି ଗଲେ । ଫାଟକ ସାମନାରେ ହାତରେ ପ୍ଲାକାର୍ଡ଼ ଧରି ସେମାନେ ନାରାବାଜି କରିବାକୁ ଲାଗିଲେ । ହେଲେ ଦଶରା ମାଇକ ଶଦ୍ଦ ଆଗରେ ସେମାନଙ୍କ ନାରାବାଜି ଫିକା ପଡ଼ିଗଲା । ସୂର୍ଯ୍ୟଙ୍କ କିରଣରେ ସେମାନଙ୍କ ପ୍ଲାକାର୍ଡ଼ ଝାପସା ଦିଶିଲା । ସିଂଘର ଗର୍ଜ୍ଜନ ତାଙ୍କ ନାରାବାଜିଠାରୁ ଆହୁରୁ ପ୍ରଖର ହୋଇ ଆସିଲା । ନାନୁ ଏସବୁ ଦେଖି ନିଜକୁ ଦୋଷୀ ଭାବିବାକୁ ଆରମ୍ଭ କଲା ।
ଟିଭିରେ ସେ ଘଟଣାର ଖବର । ନାବାଳିକାକୁ ଗଣଦୁଷ୍କର୍ମ କରି ନଦୀ ପଠାରେ ପିଙ୍ଗିଦେଲେ । ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ଶିଶୁ ଭନରେ ଭର୍ତ୍ତୀ କଲେ ସ୍ଥାନୀୟ ଲୋକେ । ପୁଲିସ ପକ୍ଷରୁ ଛାନଭିନ । ଖବର ଦେଖିବା ପରେ ତା ଦେହ ହାତ ଥରିବାକୁ ଲାଗିଲା । କାରଣ ଘଟଣାର ସମୟ ଓ ସ୍ଥାନ ଯାହା ପ୍ରକାଶ ପାଇଛି, ସେହି ସ୍ଥାନକୁ ସେହି ସମୟରେ ନାନୁ ଯାଇଥିଲା । କାଠଯୋଡ଼ି ନଦୀ କୂଳର ସେଇ ପଥର ଉପରେ ବସି ନାନୁ ନିଜକୁ ଟିକେ ହାଲକା କରିବାକୁ ଚେଷ୍ଟା କରୁଥିଲା ।
ମାତ୍ର ସେ କ’ଣ କରି ପାରିବ । ଘଟଣାକୁ ଛାତି ତଳେ ଚାପି ଦେବାକୁ ଚେଷ୍ଟା କରିବ ଭାବି ଚାଲି ଆସିଲା । ବହୁ ଚେଷ୍ଟା କଲେ ମଧ୍ୟ ସେ ଭୁଲି ପାରୁନଥିଲା ଝିଅଟିର ଅବସ୍ଥା । ଯଦି ସେ ତା ଝିଅ ହୋଇଥାନ୍ତା !
କ’ଣ ସେ ଭୁଲି ପାରିଥାନ୍ତା ?
ଦୋଷୀକୁ କ୍ଷମା କରିପାରିଥାନ୍ତା ?
ନିଜ ଭିତରର କୋହକୁ ଚାପି ଦେଇ ପାରିଥାନ୍ତା ?
ନାନୁ ଏକ ଗୋଲକଧନ୍ଦା ଭିତରେ ଆବିଷ୍କାର କରି ପାରୁଥିଲା । କାହିଁକି ସେ ଏତେ ଅସ୍ଥିର ହୋଇପଡ଼ୁଛି । ସେ ଝିଅ ସହ ତା’ର କି ସଂମ୍ପର୍କ ରହିଛି । ଦିନସାରା ଅନେକ ପ୍ରଶ୍ନ ବାନ୍ଧି ଧରୁଥିଲା ତାକୁ ।
ନାନୁ ରାତି ଖାଇବା ଧରି ମେଡିକାଲ ୱାର୍ଡ଼ରେ ପଂହଚିଲା । ତାକୁ ଦେଖି ରିତୁ ସାର୍ଟ ଭିଡ଼ି ପକାଉଥାଏ । ପିଲାଟା ଟିକେ ସ୍ନେହ ପାଇବା ପାଇଁ ଅସ୍ଥିର । ଭାରାକ୍ରାନ୍ତ ଲାଗୁଥିଲେ ବି କୋଳେଇ ନେଲା ସେ । ରିତୁକୁ ଗେହ୍ଲା କଲା । କିଛି ସମୟ ତାକୁ ଖେଳେଇବା ପରେ ତାକୁ ଛାଡ଼ି ପୁଣି ଚାଲି ଆସିଲା ବାହାରକୁ । କାହିଁକି ସେ ଅସ୍ଥିର ହୋଇପଡ଼ୁଛି । କାଲି ରାତିର ଅନିଦ୍ରା ପାଇଁ ଏ ଅବସ୍ଥା । ହଁ ହେଇପାରେ ! ରାତି ସାରା ସେ ଶୋଇ ନାହିଁ । ବାହାରକୁ ଯାଇ ଶିଶୁ ଭବନର ବାରଣ୍ଡାରେ ମଶିଣା ବିଛାଇ ଶୋଇପଡ଼ିଲା । ପାଖରେ ମେଂଚାଏ ଲୋକ । ସମସ୍ତେ ପିଲାଙ୍କୁ ନେଇ ଚିକିତ୍ସା ପାଇଁ ଆସିଛନ୍ତି । ମେଡିକାଲ କଥା, ଖିଆ ପିଆ କିଛି ଠିକ ରୁହେନି । ଯାହା ମିଳିଲା ଖାଇବ, ଯୋଉଠି ସୁବିଧା ଶୋଇବ । ଶିଶୁ ଭବନରେ ରୋଗୀ ସଂମ୍ପର୍କୀୟ ମାନଙ୍କ ପାଇଁ ରାତ୍ରି ଯାପନ କରିବାକୁ ସରକାର ଏକ ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି । ହେଲେ କିଏ କାହା ପିଲାକୁ ବେଡରେ ଛାଡ଼ି ସେଠି ଶୋଇବ ।
ବେଶ ନିଦ ଲାଗି ଯାଇଥାଏ ନାନୁକୁ । ଗତରାତିର ଅନିଦ୍ରା, ଦିନସାରା ବୁଲାବୁଲିର କ୍ଲାନ୍ତି ପାଇଁ ମଶାର ନିର୍ଯ୍ୟାତନା ମଧ୍ୟ ଜାଣି ପାରୁନଥାଏ ନାନୁ । ରାତିବି ଅନେକ ହୋଇସାରି ଥାଏ । ଚାରିଆଡ଼ ଶୁନଶାନ ହୋଇଯାଇଥାଏ ।
ଚାଉଁକିନା ଉଠିପଡ଼ିଲା ସେ, ହଠାତ୍ ଏମିତି ସ୍ୱପ୍ନ । ଆଶ୍ଚର୍ଯ୍ୟ ହୋଇଗଲା । ତା ଝିଅ ରିତୁର ମୁହଁ ସାରା ଆଂଚୁଡ଼ା ଦାଗ । ଦେହ କ୍ଷତବିକ୍ଷତ ହୋଇଯାଇଛି । ନିଶ୍ୱାସ ନେବା ତା’ ପାଇଁ କଷ୍ଟକର । ଦେହରେ ଧଳା ବେଡସିଡ୍ । ବେଡଶିଡ୍ ତଳୁ ବୋହି ଆସୁଛି ରକ୍ତର ଧାର । ଆଃ କି କଷ୍ଟ !
ରିତୁ ବିକଳରେ ବାପା ବାପା ବୋଲି ଡାକ ଛାଡ଼ୁଛି ।
ଅସହ୍ୟ ହୋଇପଡ଼ିଲା ନାନୁ । ଉଠିପଡ଼ି ୱାର୍ଡ଼ର କବାଟ ଖୋଲିଲା, ଧାଇଁଲା ବେଡ ପାଖକୁ । ରିତୁ ଓ ସୁମି ଶୋଇଛନ୍ତି । ନାନୁ ରିତୁର ଦେହ ମୁଣ୍ଡ ହାତ ବୁଲାଇ ଆଣିଲା । ତା’ ପେଟ, ଜଙ୍ଘରେ ଉପରୁ କପଡ଼ା ପାଖେଇ ନିରିଖେଇଲା । ନାହିଁ, କିଛି ବି ଆଞ୍ଚୁଡ଼ା ଦାଗ ନାହିଁ । ରିତୁ ବେଶ୍ ଆରାମରେ ଶୋଇଛି । ତଥାପି ମନରୁ ସନ୍ଦେହ ଗଲାନି । ଆଉ ଥରେ ରିତୁକୁ ଓଲଟାଇ, ଦେହଠାରୁ ମୁଣ୍ଡ ଆଖି ଘୁରେଇ ଆଣିଲା ।
ନାନୁର ନଜର ପଡ଼ିଲା ରିତୁ ହାତରେ । ହାତରେ ଗୋଟେ ମଇଁସିର ଖେଳନା । ନାନୁ ଆଶ୍ଚର୍ଯ୍ୟ ହୋଇପଡ଼ିଲା । ମଇଁସି ଖେଳନାକୁ ଦେଖିବା ପରେ ତାକୁ ଅଜବ ଅଜବ ଲାଗିଲା । ନାନୁ ପୁଣିଥରେ ରିତୁର ମୁଣ୍ଡ ଆଉଁସି ଦେଇ ତା ହାତରୁ ଖେଳନାକୁ ନେଇ ଚାଲିଗଲା । ନିର୍ଜ୍ଜନ ରାତିର ଛାତିକୁ ଚିରି ନଳକୂଅ ପାଖକୁ ଯାଇ ଦୁଇ ଚାରି ମୁଠା ପାଣି ନିଜ ମୁହଁରେ ମାରିହେଲା । ନଳକୂପର ହ୍ୟାଣ୍ଡେଲକୁ ଧରି ସେଇ ସିମେଣ୍ଟ ଚଟାଣ ଉପରେ ବସିଗଲା । ହୃଦସ୍ପନ୍ଦନର ସ୍ଥିରତା ଆସିବା ପରେ ସେଇ ମଇଁସି ଖେଳନାକୁ ଭାଙ୍ଗି ଦେଇ ନାଳରେ ଫିଙ୍ଗିଦେଲା ।
ତା’ କାନ ପାଖରେ ଗୁଞ୍ଜରିତ ହେଉଥିଲା ସିଂଘର ଗର୍ଜ୍ଜନ । ନାନୁ ଆଖି ଆଗରେ ଦେବୀର ମୁହିଁ!






