ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପୁଲିସ ଲୁଟେରାଙ୍କୁ ଧରିବାରେ ବିଫଳ । ବିଭିନ୍ନ ସିରିଜ ଲୁଟ ଘଟଣାରେ ପୁଲିସ ଆଜି ପର୍ଯ୍ୟନ୍ତ ସଫଳତା ପାଇପାରିନଥିବା ବେଳେ ଆଜି ନୟାଗଡ଼ ସହରରୁ ଦିନ ଦ୍ୱିପହରରେ ଲୁଟ ହୋଇଛି । ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଦେବୋତ୍ତର କଲୋନୀ ୪ ନମ୍ବର ଲେନ୍ରୁ ଲୁଟ ହୋଇଛି ।
ଲୁଟେରା ଭଡ଼ାରେ ରହିଥିବା ଇଟାମାଟି ବଡ଼ଟାଙ୍ଗିପାଟଣାର ଶିବ ପ୍ରସାଦ ସାହୁଙ୍କ ଘରୁ ବ୍ୟାପକ ପରିମାଣର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଛନ୍ତି । ଶିବ ପ୍ରସାଦ ତାଙ୍କ ଭଡ଼ା ଘର ଚାବି ପକାଇ ଆଜି ମଧ୍ୟାହ୍ନରେ ଶ୍ୱଶୁର ଘର ପଞ୍ଚରିଡ଼ାକୁ ଯାଇଥିଲେ । ସେଠାରୁ ଫେରିବା ପରେ ଘର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ।
ଘର ଭିତରକୁ ଯିବା ପରେ ଗଡରେଜ୍ ଆଲମିରା ଭାଙ୍ଗି ଟଙ୍କା ଓ ସୁନା ଲୁଟ ହୋଇଥିବା ଦେଖିଥିଲେ । ୩ ଲକ୍ଷ ଟଙ୍କା, ୩ ଶହ ଗ୍ରାମ ସୁନା, ୫ ଶହ ଗ୍ରାମ ରୂପା ଅଳଙ୍କାର ଚୋରୀ ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିବା ଜଣାପଡ଼ିଛି । ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମର ମଧ୍ୟ ସହାୟତା ନିଆଯାଇଛି ।





