ରଣପୁର, (ବାଘୁଆବାର୍ତ୍ତା) : ସରକାରଙ୍କର ୫ଟି ଯୋଜନା ସହ ପୁଳା ପୁଳା ଯୋଜନା ଫେଲ୍ ମାରିଛି ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ । ଗାଁ କୁ ରାସ୍ତା ସାତସପନ ହୋଇଛି ଏଠାକାର ଅଧିବାସୀ ମାନଙ୍କ ପାଇଁ । ପ୍ରକାଶ ଥାଉକି ନରେନ୍ଦ୍ରପୁର ଠାରୁ ରାସୋଳ ପର୍ଯ୍ୟନ୍ତ ୨ କିମି କଚ୍ଚା ରାସ୍ତା ଏ ପର୍ଯ୍ୟନ୍ତ ପକ୍କାରାସ୍ତା ହୋଇ ପାରିଲା ନାହିଁ । ଗତ ଆର୍ôଥକ ବର୍ଷରେ ଏନ୍ଆରଇଜିଏସ୍ରୁ ୫ ଲକ୍ଷ କାର୍ଯ୍ୟାଦେଶରେ କରାଯାଇଥିବା ନିମ୍ନମାନର କାମଯୋଗୁ ବର୍ତ୍ତମାନ ରାସ୍ତାଟି ଧୋଇ ହୋଇଯାଇଛି । ଖାଲ ଖମାରେ ପରିପୂର୍ଣ୍ଣ କାଦୁଅ ରାସ୍ତା ଯୋଗୁଁ ପ୍ରତିଦିନ ଛୋଟ ମୋଟ ଦୁର୍ଘଟଣା ଘଟୁଛି । ନରେନ୍ଦ୍ରପୁର ନିକଟସ୍ଥ ରାଜସୁନାଖଳା ରଣପୁର ବ୍ଲକର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳ ହୋଇଥିବାରୁ ବ୍ୟବସାୟ, ଚିକିତ୍ସା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଉକ୍ତ ରାସ୍ତାଦେଇ ରାସୋଳ ସାନପଦର, ଦେଉଳି, ଜାମୁସାହି, ଆଦି ବହୁ ଗାଁର ହଜାର ହଜାର ଲୋକ ଯାତାୟତ କରିଥାଆନ୍ତି । ଏପରିକି ସଂକଟାପର୍ଣ୍ଣ ରୋଗୀ ଏହି ରାସ୍ତା ଦେଇ ରାଜସୁନାଖଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ କଚ୍ଚା ରାସ୍ତାକୁ ପକ୍କା ରାସ୍ତାରେ ପରିଣତ କରିବା ପାଇଁ ସ୍ଥାନୀୟ ଅଂଚଳରେ ଦାବୀ ହେଉଛି ।






