ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ସବୁଠାରୁ ଉଚ୍ଚତମ ପାହାଡ଼ ରାଜଗିରୀରୁ ୧୧ଶହ ମିଟରର ମୁକ୍ତାହାର ପରି ବହି ଯାଉଛି କଦଳୀ ଝରଣା । ଏଥିସହିତ ରାଜଗିରୀ ପର୍ବତର ଶିଖରରେ ବିରାଜମାନ ମହାବୀର ଆସ୍ଥାନ ଏବଂ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରସ୍ତରୁ ଉପରୁ ହଠାତ୍ ଲମ୍ପ ପ୍ରପାତ ସୃଷ୍ଟି କରୁଥିବା ଗୁଲୁବାସ ଝରଣାର ଅପରୂପ କାନ୍ତି ପର୍ଯ୍ୟଟକଙ୍କୁ ବେଶ୍ ଆମୋଦିତ କରୁଛି । ଏଠାକୁ ବଣଭୋଜି ଓ ପ୍ରକୃତି ବିହାର ପାଇଁ ଅନେକ ଲୋକଙ୍କ ବର୍ଷତମାମ ଛୁଅ ଛୁଟୁଥିବା ବେଳେ ଆଜି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଗସ୍ତ କରି ଏହାର ବିକାଶ ପାଇଁ ପଦକ୍ଷେପ ନେବାକୁ କହିଛନ୍ତି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମାଳିସାହି ପଂଚାୟତ ଅଧିନସ୍ଥ ତଥା ନୟାଗଡ଼ ବନାଞ୍ଚଳରେ ରହିଥିବା ଏହି ପାହାଡ଼କୁ ବାଲୁଗାଁ – ପାଣିପଇଲା ଠାରୁ ଚିନିକଳ ରାସ୍ତାଦେଇ ରାଜଗିରୀ ପର୍ବତ଼କୁ ଯିବାକୁ ହୋଇଥାଏ । ନୟାଗଡ଼ଠାରୁ ରାଜଗିରୀ ପର୍ବତର ପାଦଦେଶ ପର୍ଯ୍ୟନ୍ତ ଗାଡ଼ି ମୋଟର ଧରି ଯିବାକୁ ରାସ୍ତାର ସୁବିଧା ଥିଲାବେଳେ ରାଜଗିରୀ ପାଦଦେଶରୁ କଦଳୀ ଝରଣା ପର୍ଯ୍ୟନ୍ତ ଘଂଚ ଜଙ୍ଗଲ ଢିମା ରାସ୍ତାରେ ଯାଇ କଦଳୀ ଝରଣାର ପ୍ରାକୃତିକ ପରିବେଶରେ ପହଂଚିବାକୁ ହୁଏ । ସେଠାରୁ ଏକ କଲୋମିଟର ପାହାଡ଼ ଉଠିଗଲେ ରାଜଗିରୀର ଶିଖରରେ ପହଂଚି ମହାବୀରଙ୍କ ଆସ୍ଥାନ ସହ ଝର୍ଝର ନାଦରେ ନିନାଦିତ ଗୁଲୁବାସ ଝରଣାର ସୌନ୍ଦର୍ଯ୍ୟକୁ ଅବଲୋକନ କରିହୁଏ । ରାଜଗିରୀକୁ ଯିବାପାଇଁ ସେତେ ସୁବିଧାଜନକ ରାସ୍ତା ନଥିବାରୁ ଏପରି ଏକ ମନୋମୁଗ୍ଧକର ସ୍ଥାନକୁ ଭ୍ରମଣକାରୀମାନଙ୍କ ଯିବାକୁ କଷ୍ଟସାଧ୍ୟ ହୋଇପଡ଼େ । ନୟାଗଡ଼ ବନାଚଂଳର ଅଧିନସ୍ଥ ଏହି ରାଜଗିରୀ ପାହାଡ଼ କାହିଁ କେଉଁ ଆବାହମାନ କାଳରୁ ଜନମନ ହରଣ କରି ଲୋକମାନଙ୍କୁ ଆକର୍ଷିତ କରି ଏଠାକୁ ଟାଣିଆଣୁଥିଲେ ମଧ୍ୟ ବିଭାଗୀୟ ଗୁରୁତ୍ୱ ନଥିବାରୁ ଏହି ସ୍ଥାନଟି ପର୍ଯ୍ୟଟକଙ୍କ ଆଢୁଆଳରେ ରହିଯାଉଛି । ପାହାଡ଼ର ଶୀର୍ଷରେ ଏକ ବିରାଟ ପଥର ଚଟାଣ ଥିବାବେଳେ ଭ୍ରମଣକାରୀଙ୍କ ପାହାଡ଼ ଚଢିବାର କଷ୍ଟ ଲାଘବ କରନ୍ତି ସଂକଟମୋଚନ ମହାବୀର । ପଥର ଚଟାଣ ଉପରେ ଭ୍ରମଣକାରୀମାନେ ବଣଭୋଜି କରି ଖୁସି ମନାଉଥିବାବେଳେ କିଛି ଦୂରରେ ଥିବା ଝରଣାର ଗାଧୁଆ ମଜ୍ଜା ଅନେକଙ୍କୁ ଆତ୍ମ ବିଭୋର କରିଥାଏ । ପାହାନ୍ତାରୁ ସିନ୍ଦୁର ଫାଟିବାର ଦୃଶ୍ୟ ବେଶ୍ ମନଲୋଭା । ପକ୍ଷୀମାନଙ୍କ କିଚିରି ମିଚିରି ଶଦ୍ଦରେ ସକାଳ ସୂର୍ଯ୍ୟକିରଣର ରକ୍ତିମ ଆଭା ,ସବୁଜ ବନାନୀ,ଝରଣାର କୁଳୁକୁଳୁ ନାଦ ଭ୍ରମରକାରୀଙ୍କ ଚଳାପଥର କଷ୍ଟ ଲାଘବ କରିଦିଏ । ବର୍ଷାରୁ ରକ୍ଷା ପାଇବା ପାଇଁ କେତେକ ସ୍ୱେଚ୍ଛାସେବୀ ଭ୍ରମଣକାରୀଙ୍କ ସୁବିଧା ପାଇଁ ସେଠାରେ ୨ଟି ଖୋଲା ଟିଣ ଘରର ସୁବିଧା କରିଦେଇଛନ୍ତି ମାଳିସାହି ଗ୍ରାମବାସୀ । ମାଳିସାହିର ସ୍ୱେଚ୍ଛାସେବୀଙ୍କ ଆଗ୍ରହ ଯୋଗୁଁ ରାଜଗିରୀ କ୍ଷେତ୍ରକୁ ଯାହା କିଛି ଭ୍ରମଣକାରୀଙ୍କୁ ଆକର୍ଷିତ କରିପାରିଛି । ଥରେ ଗଲେ ରାଜଗିରୀକୁ ମାନସିକ କ୍ଲେଶ ଭୁଲି ପ୍ରକୃତି କୋଳରେ ହଜିଯିବା ସହ ଦିନେ ଦି’ଦିନ ରହିଯିବାକୁ ଇଛା ହୁଏ ବୋଲି ବହୁ ପର୍ଯ୍ୟଟକ ମତବ୍ୟକ୍ତ କରନ୍ତି । ରାଜଗିରୀ ପର୍ବତରେ ୨୧ଶହ ପ୍ରକାରର ଔଷଧୀୟ ବୃକ୍ଷ ମିଳୁଥିବାବେଳେ ସମସ୍ତ ପ୍ରକାର ଔଷଧୀୟ ଲତା, ଗୁଳ୍ମ ବୃକ୍ଷାଦି ଏଠାକୁ ସଂଗ୍ରହ କରିବାକୁ ଆସନ୍ତି ବୋଲି ଚେରମୂଳୀ ବୈଦ୍ୟମାନେ କହନ୍ତି । କାହି କେ୍ଉଁକାଳୁ ଏଠାରେ ହନୁମାନଙ୍କ ଆସ୍ଥାନ ଓ ହନୁମାନଙ୍କ ପାଦଚିହ୍ନ ଥିବା ସହ ଗନ୍ଧମାର୍ଦ୍ଦନ ପର୍ବତ ପରି ଏଠାର ଔଷଧୀୟ ସମାଞ୍ଜସ୍ୟ ଥିବାରୁ ରାଜଗିରୀକୁ ଗନ୍ଧମାର୍ଦ୍ଦନ ପର୍ବତ ବୋଲି ଚେରମୂଳୀ ବୈଦ୍ୟ ଓ ବହୁ ପୁରୁଣାକାଳିଆ ଲୋକମାନଙ୍କ ମୁହଁରୁ ଶୁଣିବାକୁ ମିଳେ । ଆଜି ଏଠାକୁ ବିଧାୟକଙ୍କ ସହ ନୂଆଗାଁ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସାହୁ, ଅତିରିକ୍ତ ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁ, ବନପାଳ ସୁମିତ୍ରା ମିଶ୍ର ଏବଂ ମହାବୀର ସେବା ସଂଘର ବହୁ ସଦସ୍ୟ ଯାଇଥିବା ଜଣାଯାଇଛି । ରାଜଗିରର ପାକୃତିକ ଶୋଭାରାଜିରେ ବିମୋହିତ ହୋଇ, ସେଠାକୁ ବଣଭୋଜି ପାଇଁ ଆସୁଥିବା ଲୋକଙ୍କ ପାଇଁ ସୁବିଧା, ରାସ୍ତା ନିର୍ମାଣ, ପାନୀୟ ଜଳ ବ୍ୟବସ୍ଥା ଏବଂ ହନୁମାନ ମନ୍ଦିର ନିର୍ମାଣ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ବିଧାୟକ କହିଛନ୍ତି । ଏଥିସହିତ ସେଠାକୁ ଆସୁଥିବା ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବା ସହ ଆସନ୍ତା ପୂଜାରେ ମନ୍ଦିର ନିର୍ମାଣ ପାଇଁ ଶୁଭ ଦିଆଯିବ ବୋଲି କହିଛନ୍ତି । ବନବିଭାଗ ଅଧିନରେ ଏହି ସ୍ଥାନ ଆସୁଥିବାରୁ ବିଭାଗର ସହଯୋଗରେ ଏସବୁ ବିକାଶ କାର୍ଯ୍ୟ ଯଥାଶୀଘ୍ର କରିବା ପାଇଁ ବିଧାୟକ ପ୍ରତିଶୃତି ଦେବା ସହ ମହାବୀର ସେବା ସଂଘକୁ ଧନ୍ୟବାଦ ଦେଇଛନ୍ତି ।






