ନୟାଗଡ଼, (ବାଘୁଆବାର୍ତ୍ତା) : ଜିଲ୍ଲାରେ ଆଜି ସୁଦ୍ଧା କରୋନା ଆକ୍ରାନ୍ତ ସଂଖ୍ୟା ୫୬୧ରେ ପହଂଚିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୩୫୦ରୁ ଉର୍ଦ୍ଧ୍ୱ ରହିଛି । ପ୍ରତ୍ୟେକ ଦିନ ୧୦ରୁ ଉର୍ଦ୍ଧ୍ୱ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ଜିଲ୍ଲାର ଅଧିକାଂଶ ବ୍ଲକରେ ଆକ୍ରାନ୍ତ ସଂଖ୍ୟା ୫୦ରୁ ଉର୍ଦ୍ଧ୍ୱ ହୋଇସାରିଛି । ଏଭଳି ପରିସ୍ଥିତିରେ ଜିଲ୍ଲାରୁ ପ୍ରତ୍ୟେକ ଦିନ ଚିହ୍ନଟ ହେଉଥିବା ସ୍ଥାନୀୟ ସଂକ୍ରମିତଙ୍କ ସଠିକ୍ କଣ୍ଟାକ୍ ଟ୍ରେସିଂ ହେଉନଥିବା ଅଭିଯୋଗ ହେଉଛି । ଯାହା ଫଳରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଗୃହ ସଂଗରୋଧରେ ରଖାଯାଇ ପାରୁ ନାହିଁ । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନେକ ବ୍ୟକ୍ତି ଅନ୍ୟାୟସରେ ସହର, ବଜାର ଏପରିକି ସରକାରୀ କାର୍ଯ୍ୟାଳୟକୁ ଆସି ସଂକ୍ରମଣ ବଢ଼ାଉ ଥିବାର ଅଭିଯୋଗ ହୋଇଛି । ସେହିଭଳି ଭାବେ ବାହାରୁ ଆସିଥିବା ବ୍ୟକ୍ତି ଏବଂ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜର ସ୍ୱାବ ପରୀକ୍ଷା ପାଇଁ ଦେଇ ବାହାରେ ବୁଲୁଥିବା ଅଭିଯୋଗ ହେଉଛି । ସ୍ୱାବ ଦେଇଥିବା କଥାକୁ ଲୁଚାଇ ବ୍ୟକ୍ତିମାନେ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ କିଛି ଗୋଳିଆ କରି ଦେଉଛନ୍ତି । ସେମାନଙ୍କ ପରୀକ୍ଷା ରିର୍ପୋଟ ଆସିବା ବେଳକୁ ସଂପୃକ୍ତ ଅଂଚଳରେ ଭାଳେଣୀ ପଡ଼ି ଯାଉଛି । ପଂଚାୟତ ସରପଂଚ ସ୍ଥାନୀୟ ଅଂଚଳକୁ ସଟ୍ଡାଉନ୍ କରୁଛନ୍ତି ଅଥବା ଜିଲ୍ଲାପାଳ କଣ୍ଟେନ୍ମେଣ୍ଟ ଘୋଷଣା କରୁଛନ୍ତି । ଯାହାକୁ ନେଇ, ଏହାକୁ ରୋକା ନଗଲେ ଏବଂ କଟକଣାକୁ କଡ଼ା କଡ଼ି କରାନଗଲେ ଆଗକୁ ପରିସ୍ଥିତି ଭୟାବହ ହେବ ବୋଲି ଆକଳନ କରାଯାଉଛି । ସ୍ୱାବ ଦେଉଥିବା ବ୍ୟକ୍ତିଙ୍କୁ ଗୃହ ସଂଗରୋଧ ରହିବା ବାଧ୍ୟତାମୂଳକ କରିବା ନେଇ ବିଭିନ୍ନ ମହଲରୁ ଦାବି ହେଉଛି, ଏହାକୁ ଜିଲ୍ଲା ପ୍ରଶାସନ ଗୁରୁତର ସହ ନେବାର ଆବଶ୍ୟକତା ରହିଛି । ଯେଉଁ ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରାଯାଉଛି, ସେ ବ୍ୟକ୍ତିଙ୍କ ସଂମ୍ପର୍କରେ ତଥ୍ୟ ସ୍ଥାନୀୟ ଅଧିକାରୀ, ଉକ୍ତ ପଂଚାୟତ ନିର୍ବାହୀ ଅଧିକାରୀ ଏବଂ ସରପଂଚଙ୍କୁ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି । ନତୁବା ଜିଲ୍ଲାରେ ଅନେକ ପଂଚାୟତକୁ କଣ୍ଟେନ୍ମେଣ୍ଟ କରିବା ଆବଶ୍ୟକ ପଡ଼ିବ ବୋଲି ଆଲୋଚନା ହେଉଛି । ସ୍ୱାବ ଦେଇଥିବା ବ୍ୟକ୍ତିଙ୍କ ସଂପର୍କରେ କିଛି ସୂଚନା ନଥିବାରୁ ଗତକାଲି ବିରୁଡ଼ା, ଶ୍ୟମାଘନପୁର ଏବଂ ବଡ଼ପଣ୍ଡୁସର ଗ୍ରାମରେ ସୃଷ୍ଟି ହୋଇଥିବା ପରିସ୍ଥିତି ଏହାର ଉଦାହରଣ ବୋଲି ଧରା ଯାଇପାରେ ।






