କଟକ, (ବାଘୁଆବାର୍ତ୍ତା): କଟକ ସଦର ଥାନା ଅନ୍ତର୍ଗତ ଇନ୍ଦିରା ଗ୍ରାମରେ ଗତ ରବିବାର ବିଳମ୍ବିତ ରାତିରେ ରାଜେଶ ସାହୁ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଶ୍ୟାମ ପ୍ରଧାନକୁ ଗିରଫ କରିଛି ସଦର ଥାନା ପୋଲିସ । ପ୍ରେମ ବ୍ୟାପାରକୁ ନେଇ ହତ୍ୟା କରାଯାଇଥିବା ନେଇ ସଦର କଟକ ଏଡିସିପି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କଟକ ସଦର ଥାନା ଅନ୍ତର୍ଗତ ଇନ୍ଦିରା ଗାଁର ରାଜେଶ ସାହୁ ଓରଫ ଟୁଟୁ ସାହୁ ସେହି ଗାଁର ଜଣେ ନାବାଳିକାଙ୍କୁ ୪ ବର୍ଷ ଧରି ପ୍ରେମ କରି ଆସୁଥିଲେ । ଏମିତିକି ପୂର୍ବରୁ ଥରେ ଉକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜେଲ୍କୁ ଯାଇଥିଲା । ଏହାପରେ ଦୁଇ ପରିବାର ମଝିରେ ଆପୋଷ ସମାଧାନ ହୋଇଥିଲା । ଝିଅ ସାବାଳିକା ହେଲେ ଉଭୟଙ୍କ ବାହାଘର କରାଯିବ ବୋଲି କଥାବାର୍ତ୍ତା ମଧ୍ୟ ହୋଇଥିଲା । ଏହାପରେ ବାହାଘର ପାଇଁ ଜିଦ୍ ଧରି ବିଭିନ୍ନ ସମୟରେ ରାଜେଶ ଝିଅ ଘରକୁ ଯିବାଆସିବା କରେ । ମାତ୍ର ରବିବାର ଦିନ ରାଜେଶ ଉକ୍ତ ନାବାଳିକାଙ୍କ ଘର ସମ୍ମୁଖରେ ଝାମେଲା ସୃଷ୍ଟି କରିଥିଲେ । ଝିଅଘର ଲୋକେ ଏହାକୁ ବିରୋଧ କରିଥିଲେ । ଏପରିକି ଅତିଶୟ ହେବା ଫଳରେ ସେଠାରେ ନାବାଳିକାଙ୍କ ମଉସା ଶ୍ୟାମପ୍ରଧାନ ଏକ ଧାରୁଆ ଛୁରୀରେ ହତ୍ୟା କରିଥିବା ନେଇ କଟକ ଏଡିସିପି ଅନୀଲ କୁମାର ମିଶ୍ର କହିଛନ୍ତି । ଏହି ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଥିଲା ସଦର ଥାନା ପୋଲିସ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶ୍ୟାମ ପ୍ରଧାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଏହି ଘଟଣାରେ ବ୍ୟବହୃତ ଧାରୁଆ ଛୁରୀକୁ ଜବତ କରିଛି ପୋଲିସ । ଏହାସହ ମଙ୍ଗଳବାର ଶ୍ୟାମପ୍ରଧାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି କଟକ ଏଡିସିପି କହିଛନ୍ତି । ସେହିଭଳି ଏହି ହତ୍ୟାକାଣ୍ଡ ଭିଆଇଥିବା ନେଇ ଅଭିଯୁକ୍ତ ଶ୍ୟାମ ପ୍ରଧାନ ସ୍ବୀକାର କରିଛି ।





