ଦେବଗଡ଼, (ବାଘୁଆବାର୍ତ୍ତା): ଦେବଗଡ଼ରୁ ଅପରହଣ । ସୁନ୍ଦରଗଡ଼ରୁ ଉଦ୍ଧାର । ଦେବଗଡ଼ରେ ଜେଜେମା କୋଳରୁ ଶିଶୁ ଅପହରଣ ଘଟଣାରେ ପୋଲିସକୁ ମିଳିଛି ସଫଳତା । ହେଲେ ଅଭିଯୁକ୍ତଙ୍କୁ ଧରିବାରେ ଫେଲ୍ ମାରିଛି ପୋଲିସ । ଘଟଣାରେ ତଦନ୍ତକୁ ଜୋରଦାର କରିଛି ପୋଲିସ । ଖବର ଅନୁଯାୟୀ, ସୋମବାର ଦିନ ବ୍ୟବସାୟୀ ଆଲୋକ ଅଗ୍ରଓ୍ୱାଲ୍ଙ୍କ ପାଞ୍ଚ ବର୍ଷ ଶିଶୁ କନ୍ୟା ଟିଉସନ ସାରି ଜେଜେମା ସହିତ ଘରକୁ ଫେରୁଥିଲେ । ଏହି ସମୟରେ ଦୁଇ ଦଣ ଦୁର୍ବୃତ୍ତ ବାଇକ୍ରେ ଆସି ଶିଶୁକନ୍ୟାଙ୍କ ଜେଜେମାଙ୍କୁ ଧକ୍କା ମାରିଥିଲେ । ଏହାପରେ ତାଙ୍କ କୋଳରୁ ପାଞ୍ଚ ବର୍ଷର ଶିଶୁ କନ୍ୟାଙ୍କୁ ନେଇ ଫେରାର ମାରିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିଲା । ଏପିରିକି ଅପହରଣ ହୋଇଥିବା ସ୍ଥାନରୁ ସମସ୍ତ ଗାଡି ମଟର ଯାଞ୍ଚ କରିଥିଲା । ଶେଷରେ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଦେବଗଡ଼ ପୋଲିସକୁ ମିଳିଛି ସଫଳତା । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଅଞ୍ଚଳରୁ ଶିଶୁକନ୍ୟାକୁ ଉଦ୍ଧାର କରିଛି । ଅପହରଣ କରିଥିବା ଦୁର୍ବୃତ୍ତମାନେ ରାସ୍ତାରେ ଶିଶୁକନ୍ୟାଙ୍କୁ ଛାଡି ଫେରାର ମାରିଥିଲେ । ସେପଟେ ପୋଲିସ ଘଟଣାରେ ତଦନ୍ତକୁ ଜୋରଦାର କରିଛି । କପଡ଼ା ବ୍ୟବସାୟୀ ଆଲୋକ ଅଗ୍ରଓ୍ୱାଲଙ୍କ ଝିଅ ପିହୁ ଅଗ୍ରଓ୍ୱାଲଙ୍କୁ କାହିଁକି ଅପହରଣ କରାଯାଇଥିଲା । ସେନେଇ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।





