ନୟାଗଡ଼, (ବାଘୁଆବାର୍ତ୍ତା) : କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର୍ ଅନୀଲ କୁମାର ସାମଲ ଆଜି ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ କରୋନା ମୁକାବିଲାର ବାଟ ବତାଇଛନ୍ତି । ବିଶେଷତଃ ଭାବେ କରୋନା ମୁକାବିଲା ଉପରେ ଗୁରୁତ୍ୱ ଦେଇ ରାଜସ୍ୱ କମିଶନର ଗ୍ରାମାଞ୍ଚଳକୁ ଯାଇ ସ୍ଥିତି ପରଖିଥିବା ଜଣାଯାଇଛି । ସୂଚନାନୁସାରେ, ପ୍ରଥମେ ଆର୍ଡିସି ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ସର୍କିଟ ହାଉସଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଜିଲ୍ଲାପାଳ ଡ. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ବଣଖଣ୍ଡ ଅଧିକାରୀ ଧନରାଜ୍ ଏଚ୍ଡି, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରଂଜିତା ବିଶ୍ୱାଳ, ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ବିଡିଓ ମନୋଜ ପାତ୍ର ପ୍ରମୂଖ ଉପସ୍ଥିତ ରହିଥିଲେ । ଜିଲ୍ଲାରେ କୋଭିଡ୍ କେୟାର ହୋମ୍ ପ୍ରସ୍ତୁତି, କରୋନା ମୁକାବିଲା, ଚାନ୍ଦପୁର କୋଭିଡ୍ ହେଲ୍ଥ ସେଣ୍ଟରଠାରେ ରୋଗୀଙ୍କ ପାଇଁ କରାଯାଇଥିବା ଚିକିତ୍ସା ସୁବିଧା ସଂମ୍ପର୍କରେ ଜିଲ୍ଲାପାଳ ଆର୍ଡିସିଙ୍କୁ ଅବଗତ କରିଥିଲେ । ଜିଲ୍ଲାରେ କୋଭିଡ୍ ନିୟମ ଉଲଂଘନ ଏବଂ କଟକଣା ସଂମ୍ପର୍କରେ ଆର୍ଡିସି ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଏହି ବୈଠକରେ ପଚାରି ବୁଝିଥିଲେ । ଏଥିସହିତ ସାଧାରଣ ରୋଗୀଙ୍କ ପାଇଁ କିଭଳି ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା କରାଯାଇଛି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଭଳି ରୋଗୀ ସେବା ଚାଲିଛି ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ପରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆର୍ଡିସି କ୍ରିଦାଶପୁର ପଂଚାୟତ ନିକଟରେ ପ୍ରସ୍ତୁତ କରାଯାଇଥିବା କୋଭିଡ୍ କେୟାର ହୋମ୍ ବୁଲି ଦେଖିବା ସହ ଆଶା, ଅଙ୍ଗନୱାର୍ଡ଼ି, ପଂଚାୟତ ନିର୍ବାହୀ ଅଧିକାରୀ ଏବଂ ସରପଂଚଙ୍କ ସହ ଆଲୋଚନା କରିଥିଲେ । ସରକାରଙ୍କ ପକ୍ଷରୁ କରାଯାଉଥିବା ସର୍ଭେ କାର୍ଯ୍ୟକ୍ରମକୁ ସୂଚନାରୁ ଋପେ କରିବା ପାଇଁ ଆର୍ଡିସି ଶ୍ରୀଯୁକ୍ତ ସାମଲ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଲକ୍ଷ୍ମୀପ୍ରସାଦ ପଂଚାୟତର କୋଭିଡ୍ କେୟାର ହୋମ୍କୁ ଆର୍ଡିସି ପରିଦର୍ଶନ କରିଥିବା ଜଣାଯାଇଛି ।





