ରାଉରକେଲା, (ବାଘୁଆବାର୍ତ୍ତା): ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ (୩୫)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ପୋଷ୍ଟମର୍ଟମ ରିପୋର୍ଟ ପୁଲିସ୍ର ହସ୍ତଗତ ହୋଇଛି । ପାଣିରେ ବୁଡ଼ି ଶ୍ୱାସରୁଦ୍ଧ ହେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଥିବା ପୁଲିସ୍ ସୂତ୍ରରୁ ଜଣାପଡ଼ିଛି । ରିପୋର୍ଟ ଆଧାରରେ ଏହା ଆତ୍ମହତ୍ୟା ବୋଲି ପୁଲିସ୍ କହୁଛି । ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଥିବା ତଥ୍ୟକୁ ବିଶ୍ୱାସ କରୁନାହାନ୍ତି ସୁସ୍ମିତାଙ୍କ ଭାଇ ସନ୍ଦୀପ । ପୁଲିସ୍ର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ସିବିଆଇ ତଦନ୍ତ ଦାବି କରିଛନ୍ତି । ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତାଙ୍କ ମୃତ୍ୟୁର ୩ଦିନ ପରେ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ମଧ୍ୟ ଘଟଣାର କାରଣ ନେଇ ବଢିବାରେ ଲାଗିଛି ସସ୍ପେନ୍ସ । ସୁସ୍ମିତା ରହୁଥିବା ହୋଟେଲର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି । ମୃତ୍ୟୁ ଦିନ ସକାଳ ପ୍ରାୟ ୮ଟା ୫୫ମିନିଟ୍ ସମୟରେ ସୁସ୍ମିତା ହୋଟେଲରୁ ବାହାରି ଯାଇଥିଲେ । ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ବି ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି ପୁଲିସ୍ । ମୃତ୍ୟୁ ପୂର୍ବରୁ ସୁସ୍ମିତା ପୁଲିସ୍ ନିକଟରେ ପରିବାର ସଦସ୍ୟଙ୍କ ବିରୋଧରେ କରିଥିବା ୩ଫର୍ଦ୍ଦର ଲିଖିତ ଅଭିଯୋଗକୁ ନେଇ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି । ଏଥିରେ ସେ ତାଙ୍କ ଭାଇ ଓ ମା’ଙ୍କ ନାମରେ ଅଭିଯୋଗ ରହିଛି । ସେମାନଙ୍କ ଠାରୁ ତାଙ୍କୁ କୌଣସି ସହାୟତା କିମ୍ବା ସହଯୋଗ ବଦଳରେ ନିର୍ୟ୍ୟାତନା ମିଳୁଥିବା ନେଇ ଏଥିରେ ଉଲ୍ଲେଖ ରହିଛି । ଉଦିତନଗର ଥାନାରୁ ସୁସ୍ମିତାଙ୍କୁ ଆଣିବା ପାଇଁ ଭାଇ ସନ୍ଦୀପ ଓ ମାଆଙ୍କ ସାଙ୍ଗରେ ଆଉ ଜଣେ ବ୍ୟକ୍ତି ଯାଇଥିଲେ । ବିଶେଷ କରି ସେହି ବ୍ୟକ୍ତିଙ୍କୁ ଦେଖିବା ପରେ ଅଧିକ ପ୍ରତିକ୍ରିୟାଶୀଳ ହୋଇ ସେ ଘରକୁ ଯିବା ପାଇଁ ରାଜି ହୋଇନଥିଲେ । ସେହି ବ୍ୟକ୍ତିଙ୍କୁ ଭୟ କରୁଥିବା ନେଇ ଅଭିଯୋଗପତ୍ରରେ ସୁସ୍ମିତା ଦର୍ଶାଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ହେଲେ ସେହି ବ୍ୟକ୍ତି ଜଣକ କିଏ? ସୁସ୍ମିତାଙ୍କ ପରିବାର ସହ ତାଙ୍କର କି ସମ୍ପର୍କ ରହିଛି? ସେ ସୁସ୍ମିତାଙ୍କ ସମ୍ପର୍କରେ କଣ ଲାଗିବେ ସେ ସମ୍ପର୍କରେ ପୁଲିସ୍ ଖୋଳତାଡ଼ କରୁଥିବା ସୂଚନା ମିଳିଛି । ଏସବୁ ଘଟଣାକୁ ନେଇ ସୁସ୍ମିତାଙ୍କ ଭାଇ ଓ ମାଆଙ୍କୁ ମଧ୍ୟ ପୁଲିସ୍ ପଚରାଉଚରା କରିପାରେ । ସୁସ୍ମିତା କରିଥିବା ଅଭିଯୋଗ ସମ୍ପର୍କରେ ସନ୍ଦୀପଙ୍କୁ ପଚରାଯିବାରୁ ସେ କହିଥିଲେ, ପୁଲିସ୍ ର୍ପୂବରୁ ଅଭିଯୋଗ ପତ୍ର ଦେଖାଇନଥିଲା । ଯଦି ଆମ ବିରୋଧରେ ଅଭିଯୋଗ ରହିଥିଲା ତେବେ ଆମକୁ ଗିରଫ କରାଗଲାନି କାହିଁକି ବୋଲି ଓଲଟା ପ୍ରଶ୍ନ କରିଥିଲେ । ଶନିବାର ସୁସ୍ମିତାଙ୍କ ଭାଇ ଓ ମାଆ ପ୍ଲାଣ୍ଟସାଇଟ୍ ଥାନାରେ ପହଞ୍ଚିଥିଲେ । ସନ୍ଦୀପ ଗତ ୨୦ ତାରିଖରେ କରିଥିବା ଲିଖିତ ଅଭିଯୋଗ ସମ୍ପର୍କରେ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଅଧିକାରୀଙ୍କ ପ୍ରକୋଷ୍ଠରୁ ବାହାରି ସନ୍ଦୀପ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଅଭିଯୋଗପତ୍ରର ନକଲ କପି ନେବାକୁ ପୁଲିସ୍ ପାଖକୁ ଆସିଥିଲି । କିନ୍ତୁ ପୁଲିସ୍ ମୋ ଅଭିଯୋଗକୁ ନେଇ ମାମଲା ରୁଜୁ କରିବାକୁ ପ୍ରସ୍ତୁତ ନୁହେଁ । ଶବ ବ୍ୟବଚ୍ଛେଦ ରିପୋର୍ଟରେ ଯାହା ଉଲ୍ଳେଖ ରହିଛି ତାହାକୁ ସନ୍ଦୀପ ସହଜରେ ଗ୍ରହଣ କରୁନଥିବା ପ୍ରକାଶ କରିଛନ୍ତି । ନ୍ୟାୟ ପାଇଁ ସିବିଆଇ ତଦନ୍ତ ପାଇଁ ଆବେଦନ କରିବେ ବୋଲି କହିଛନ୍ତି ।





